କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତାରେ ସରକାର

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କର୍ମଶାଳାରେ ନବୀନ
ଘର ଘର ବୁଲି କରୋନା ପରଖିବ ସ୍ବାସ୍ଥ୍ୟ ବିଭାଗ
ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ସ୍ଥିତି ବି ଦେଖିବେ

ଭୁବନେଶ୍ବର : ରାଜ୍ୟରେ କରୋନା ଯୋଦ୍ଧା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ଘଟଣାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏ ନେଇ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ପ୍ରମୁଖଙ୍କୁ ସତର୍କ କରାଇବା ସହିତ ସଂକ୍ରମଣ ରୋକିବା ପାଇଁ ଥିବା ନିୟମାବଳୀର ସମ୍ଭବତଃ ଉଲ୍ଲଙ୍ଘନ କରାଯାଇଛି ବୋଲି ଆଶଙ୍କାବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ, ଏକଥା ବି ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ଲମ୍ବା ଯୁଦ୍ଧରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ହିଁ ଲୋକମାନଙ୍କର ପ୍ରକୃତ ଶକ୍ତି। ସେମାନଙ୍କ ଟିମ୍‌ର ନିରାପତ୍ତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ଉପାୟ ହୋଇଥିବାରୁ ସେମାନେ ସତର୍କ ରହିବା ଦରକାର।

ଏହାସହିତ ସରକାର ଘୋଷଣା କରିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗ ସାରା ରାଜ୍ୟରେ ଘରକୁ ଘର ବୁଲି ସକ୍ରିୟ କୋଭିଡ୍ ସ୍ଥିତି ପର୍ଯ୍ୟବେକ୍ଷଣ କରିବ। କରୋନା ରୋଗୀଙ୍କୁ ଚିହ୍ନଟ ସହିତ ଗୁରୁତର ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ମଧ୍ୟ ଅନୁଧ୍ୟାନ କରିବ। ଏ ସଂକ୍ରାନ୍ତରେ ଏକ ସମନ୍ବିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ କୋଭିଡ୍ ପରିଚାଳନା ସଂକ୍ରାନ୍ତ ଏକ ବୈଷୟିକ କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଭିନ୍ନ ମେଡ଼ିକାଲ କଲେଜ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ତଥା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ କର୍ମକର୍ତ୍ତାଙ୍କୁ ନବୀନ କହିଥିଲେ ଯେ ଆଗକୁ ମୌସୁମୀ ଋତୁ ଆସୁଛି। ବିଭିନ୍ନ ସଂକ୍ରାମକ ରୋଗ ଏହି ସମୟରେ ହୋଇଥାଏ। ତେଣୁ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ କିଛି ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ କୋଭିଡ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। କୋଭିଡ୍ ସୁସ୍ଥତା ହାରରେ ମଧ୍ୟ ଓଡିଶା ଭାରତର ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଅନ୍ୟତମ। ଏଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଧନ୍ୟବାଦର ପାତ୍ର। ‘‘ଆପଣମାନେ କେବଳ ଆପଣଙ୍କ ପରିବାର ପାଇଁ ଗୁରୁତ୍ବପୂର୍ଣ୍ଣ ନୁହନ୍ତି, ଆମ ସମସ୍ତଙ୍କ ପାଇଁ ତଥା ସାରା ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ନିଜର ଯତ୍ନ ଠିକ୍‌ ଭାବରେ ନେବା ଦରକାର। କୋଭିଡ-୧୯ ରୋଗର ପ୍ରତିକାର ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ହେଉଛି ଶ୍ରେଷ୍ଠ ଉପାୟ। ତେଣୁ ଏଥିପ୍ରତି ସମସ୍ତେ ବିଶେଷ ଯତ୍ନବାନ ହେବା ଆବଶ୍ୟକ।’’ ବୋଲି ନବୀନ ଏହି ଅବସରରେ କହିଥିଲେ।

କରୋନା ମୁକାବିଲା ଭଳି କଠିନ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଲୋକଙ୍କ ପ୍ରକୃତ ହିରୋ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କର ଏହି ଭରସା ଓ ବିଶ୍ବାସ ସେମାନଙ୍କ ଉପରେ ଅଧିକ ଦାୟିତ୍ବ ଦେଉଛି। ତେଣୁ ସେମାନେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଥିବା ବିଭିନ୍ନ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ଅନୁପାଳନ ସହ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଦରକାର। ଏହି ପରିପ୍ରେକ୍ଷୀରେ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ବ୍ୟକ୍ତିଗତ ସୁରକ୍ଷା ନିୟମାବଳୀ ଯେପରି ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ବାରା ବିଭିନ୍ନ ଚିକିତ୍ସାଳୟରେ ଠିକ୍‌ ଭାବରେ ପାଳନ କରାଯିବ, ତାହା ହେଉଛି ଆମର ସାମୂହିକ ଦାୟିତ୍ବ ବୋଲି ସେ ସ୍ମରଣ କରାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏହି ଯୁଦ୍ଧରେ ଆମର ସ୍ବାସ୍ଥ୍ୟକର୍ମୀ ମାନେ ହିଁ ହେଉଛନ୍ତି ଆମର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। ତାସହିତ ଏହି ଯୁଦ୍ଧରେ ସେମାନଙ୍କ ଜୀବନ ମଧ୍ୟ ବିପଦସଙ୍କୁଳ ଅଟେ। ତେଣୁ ରାଜ୍ୟ ସରକାର ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଯୋଗାଇଦେବା ସହ ବ୍ୟାପକ ତାଲିମ ଉପରେ ଗୁରୁତ୍ବ ଦେଉଛନ୍ତି। ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହି କାମ କରୁଥିବା ଯୋଦ୍ଧାମାନେ ଯେପରି ସଂକ୍ରମିତ ନ ହେବେ, ସେଥିପାଇଁ ଆମକୁ ସୁରକ୍ଷା ନିୟମାବଳୀକୁ କଡାକଡି ଭାବରେ ପାଳନ କରିବାକୁ ହେବ ଏବଂ ଆମର ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକ ଉପରେ ଜନସାଧାରଣଙ୍କ ବିଶ୍ବାସ ଅତୁଟ ରଖିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସ୍ବାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ସ୍ତରରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ସଂକ୍ରମଣ ରୋକିବା ପାଇଁ ଥିବା ବିଭିନ୍ନ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଆବଶ୍ୟକତା ଭିତ୍ତିରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ନିୟମାବଳୀ ବିଷୟରେ ରିଫ୍ରେସର୍‌ ତାଲିମ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି କର୍ମଶାଳାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର