ବିନାମୂଲ୍ୟରେ ପୁଣି ମିଳିବ ଚାଉଳ, ଡାଲି

ମୁଣ୍ଡପିଛା ମାସକୁ ୫ କେଜି ଚାଉଳ ଦିଆଯିବ
ପରିବାର ପିଛା ମାସକୁ ୧କେଜି ହରଡ଼ ଡାଲି
୩ ମାସ ପାଇଁ ଦିଆଯିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ଲୋକଙ୍କୁ ମିଳିବ
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ବି ପାଇବେ

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ବିନାମୂଲ୍ୟରେ ତିନି ମାସ ପାଇଁ ଦିଆଯିବ। ଏପ୍ରିଲ, ମେ’ ଓ ଜୁନ୍‌ ମାସ ପାଇଁ ଏହି ଚାଉଳ ବଣ୍ଟନ କରାଯିବ। ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସରକାର କହିଛନ୍ତି, ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ତିନି ମାସର ଚାଉଳ ସହିତ ପରିବାର ପିଛା ମାସକୁ ୧ କେଜି ହରଡ଼ ଡାଲି ୩ ମାସ ପାଇଁ ବିନାମୂଲ୍ୟରେ ଯୋଗାଇଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏଥି ନିମନ୍ତେ ତୁରନ୍ତ ଚାଉଳ ଓ ଡାଲି ଉଠାଣ ଓ ପରିବହନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ରାଜ୍ୟର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀ ଉପକୃତ ହେବେ। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୮୦ ଲକ୍ଷ ୨୬ ହଜାର ୩୭୫ଟି ପରିବାରର ୨ କୋଟି ୮୬ ଲକ୍ଷ ୬ ହଜାର ୨୩୯ ଜଣ ହିତାଧିକାରୀ ଏବଂ ଅନ୍ତଦ୍ୟୋୟ ଅନ୍ନ ଯୋଜନାର ୧୨ ଲକ୍ଷ ୫୯ ହଜାର ୧୮୧ଟି ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ରାସନ କାର୍ଡଧାରୀମାନଙ୍କୁ ୩ ମାସ ପାଇଁ ଯୋଗାଇ ଦିଆଯାଉଥିବା ଚାଉଳ ସହିତ ଅତିରିକ୍ତ ଭାବେ ଏହି ଚାଉଳ ଓ ଡାଲି ମାଗଣାରେ ଦିଆଯିବ।

ସମ୍ବନ୍ଧିତ ଖବର