୭ରେ କୃଷକ ନେତା-ସରକାର ଆଲୋଚନା

ପ୍ରଥମ ମନ୍ତ୍ରୀସ୍ତରୀୟ କମିଟି ବୈଠକ

ଭୁବନେଶ୍ବର : ଆଜି ସଚିବାଳୟରେ ଚାଷୀଙ୍କ ସମସ୍ୟା ନେଇ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଥମ ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଚାଷୀଙ୍କ ପାଇଁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ତେବେ ଏହି ପ୍ରସଙ୍ଗ ନେଇ ଆସନ୍ତା ଡିସେମ୍ବର ୭ ତାରିଖରେ ବିଭିନ୍ନ କୃଷକ ସଂଗଠନର କର୍ମକର୍ତା, କୃଷି ବିଶେଷଜ୍ଞମାନେ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା କରିବାକୁ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ‌ ବେହେରା କହିଲେ, କୃଷକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ସରକାର ଚାହାଁନ୍ତି। ଏଥିପାଇଁ ଆସନ୍ତା ୭ ତାରିଖରେ ବିଭିନ୍ନ କୃଷକ ସଂଗଠନର କର୍ମକର୍ତା, କୃଷି ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରାଯିବ। ଆଲୋଚନାରେ ଯାହା ନିଷ୍କର୍ଷ ବାହାରିବ, ତା’ ଆଧାରରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଯୋଗାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ନବ ନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀ ଭୁବନେଶ୍ବର ଆଡ଼କୁ ଆସୁଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଚାଷୀମାନେ ଗର୍ଜନ କରିଥିଲେ। ଆଗାମୀ ଦିନରେ ନେତାମାନଙ୍କୁ ଗାଁଗଣ୍ଡାରେ ପୂରାଇ ଦେବୁନାହିଁ ବୋଲି ଚେତାବନୀ ଦେଇଥିଲେ। ତେବେ ସଂଗଠନର କର୍ମକର୍ତାମାନଙ୍କ ସହିତ ଆଲୋଚନା କରି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସରକାର ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିବା ପ୍ରକାଶ କରିଥିଲେ। ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀସ୍ତରୀୟ ବୈଠକରେ କି ଆଲୋଚନା ଏବଂ ନିଷ୍ପତ୍ତି ନିଆଯାଉଛି ସେ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର