୫୨ ଦିନ ହେଲା ଜେଲ୍‌ରେ ୩୦ ଆଇନଜୀବୀ, ଓକିଲମାନଙ୍କୁ ଜେଲ୍‌ରୁ ବାହାର କରନ୍ତୁ ସରକାର: ଆଇଲାଜ

ଭୁବନେଶ୍ବର : ସମ୍ବଲପୁର କୋର୍ଟ‌ ପରିସରରେ ବିଶୃଙ୍ଖଳା ଘଟାଇବା ଅଭିଯୋଗରେ ଗିରଫ ହୋଇଥିବା ୩୦ ଆଇନଜୀବୀଙ୍କୁ ଶୀଘ୍ର ମୁକ୍ତ କରିବାକୁ ଦାବି କରିଛି ସର୍ବଭାରତୀୟ ଆଇନଜୀବୀ ପରିଷଦ (ଆଇଲାଜ)। ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦ ପକ୍ଷରୁ କୁହାଯାଇଛି ଯେ ଆଇନଜୀବୀମାନେ ଦୀର୍ଘ ୫୨ ଦିନରୁ ଊର୍ଦ୍ଧ୍ବ ହେବ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହାଦ୍ବାରା କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ତୁରନ୍ତ ଜେଲ୍‌ରୁ ବାହାର କରନ୍ତୁ ବୋଲି ପରିଷଦ କହିଛି।

ଆଇନଜୀବୀ ଗୁରୁ ମହାନ୍ତି, ଅଗସ୍ତି କାନୁନ୍‌ଗୋ, ପଞ୍ଚାନନ ସାହୁ ଓ ଧନୋଜ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଆଇନଜୀବୀଙ୍କ ଗିରଫଦାରୀ ସମ୍ପର୍କରେ ସଠିକ୍ ଖବର ସଂଗ୍ରହ କରିବାକୁ ଓଡ଼ିଶା ହାଇକୋର୍ଟର ୪ଜଣ ଆଇନଜୀବୀ ଗତ ୩ ତାରିଖରେ ସମ୍ବଲପୁର ଯାଇଥିଲେ। ସେଠାରେ ସେମାନେ ଆଇନଜୀବୀ ପ୍ରମୋଦ ଦାସ, ନିରଞ୍ଜନ ତ୍ରିପାଠୀ, ପ୍ରଭାତ ମହାପାତ୍ରଙ୍କ ସହ ୨୦ରୁ ଊର୍ଦ୍ଧ୍ୱ ଆଇନଜୀବୀଙ୍କ ଆଲୋଚନା କରିଥିଲେ। ୪ ତାରିଖ ଦିନ ସମ୍ବଲପୁର ଆଇନଜୀବୀଙ୍କ କାର୍ଯ୍ୟାଳୟରେ ସେଠିକାର ଆଇନଜୀବୀଙ୍କ ସହ କଟକରୁ ଯାଇଥିବା ତଥ୍ୟ ସଂଗ୍ରହ ଦଳ ସାକ୍ଷାତ ଆଲୋଚନା କରିଥିଲେ। ସମ୍ବଲପୁର ଆଇନଜୀବୀଙ୍କ ତରଫରୁ ଦିବ୍ୟଶଙ୍କର ମିଶ୍ରଙ୍କ ସହଯୋଗରେ ସମ୍ବଲପୁର ମଣ୍ଡଳ କାରାଗାର ବନ୍ଦୀ ଥିବା ସମ୍ବଲପୁର ଆଇନଜୀବୀ ସଂଘର ସଭାପତି ସୁରେଶ୍ୱର ମିଶ୍ର, ଆଇନଜୀବୀ ପ୍ରଦୀପ ବହିଦାର ଏବଂ ବାବୁଲି ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ଚଞ୍ଚକତା କରି ତାଙ୍କ ବିରୋଧରେ ମିଛ ରିପୋର୍ଟ ପ୍ରସ୍ତୁତ କରି ବନ୍ଦୀ କରାଯାଇଛି ବୋଲି କହିବା ସହ ସେମାନେ ଦୁଃଖ ପ୍ରକାଶ କରିଥିଲେ।

ଉକ୍ତ ଦିନ ୨ଟା ବେଳେ କଟକରୁ ଯାଇଥିବା ୪ଜଣ ସଭ୍ୟ ସେଠିକା ଜିଲ୍ଲା ଜଜ୍‌ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଚାରପତିଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଗତ ଡିସେମ୍ବର ୧୨ ତାରିଖ ଘଟଣାକୁ ବିଚାରପତି ଏକ ଦୁର୍ଘଟଣା ବୋଲି ଅଭିହିତ କରିବା ସହ ଦୁଃଖ ପ୍ରକାଶ କରିଥିଲେ। ଦିନ ୩ଟାରେ ସମ୍ବଲପୁର ମହିଳା କାରାଗାରରେ ଥିବା ୪ଜଣ ମହିଳା ଅଫ୍‌ସାନା ବାନୁ, ଅନୁଜୁମ୍‌, ଶୁଭାନ ବିବି ବାରିକ, ସେବତୀ ବାନ୍‌ଚୁର ଓ ବିଷ୍ଣୁପ୍ରିୟା ଭୋଇଙ୍କ ସହ ସାକ୍ଷାତ କରିବା ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେମାନେ ଦୁଃଖର ସହ କହିଥିଲେ ଯେ ଘଟଣା ଦିନ ସେମାନେ କୋର୍ଟ ପରିସରରେ ମହିଳା ଜଜ୍‌ଙ୍କୁ ସୁରକ୍ଷା ଦେବାକୁ ଯାଇଥିଲେ। କିନ୍ତୁ ସେମାନଙ୍କୁ ମିଛ ମାମଲାରେ ଛନ୍ଦି ଦିଆଯାଇଛି ବୋଲି କହିଥିଲେ। ତେଣୁ ବନ୍ଦୀ ଜୀବନ କଟାଉଥିବା ଆଇନଜୀବୀମାନଙ୍କୁ ରାଜ୍ୟ ସରକାର ତୁରନ୍ତ ଜେଲ୍‌ରୁ ବାହାର କରିବାର ବ୍ୟବସ୍ଥା କରନ୍ତୁ ବୋଲି ପରିଷଦ ଯୁକ୍ତି ବାଢ଼ିଛି।

ସମ୍ବନ୍ଧିତ ଖବର