ଭୁବନେଶ୍ବର : ଓଡ଼ିଶାର କୋରାପୁଟ ଜିଲ୍ଲାରେ ରହିଛି ମାଛକୁଣ୍ଡ ନଦୀ। ଜିଲ୍ଲା ମୁଖ୍ୟାଳୟଠାରୁ ୮୮ କିମି ଦୂରରେ ଏହି ନଦୀ ଉପରେ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ’ ନିର୍ମାଣ ହୋଇଛି। ଅଥଚ ଦୀର୍ଘ ୭ରୁ ୮ ଦଶନ୍ଧି ଧରି ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ଫଳରେ ଧୀରେ ଧୀରେ ଆନ୍ଧ୍ର ସରକାର ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ଏହି ବୃହତ ପ୍ରକଳ୍ପକୁ ଅକ୍ତିଆର କରି ସାରିଲାଣି। ଏହାକୁ ତୁରନ୍ତ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ନିଜ ଅଧୀନକୁ ଆଣନ୍ତୁ ବୋଲି ‘ବିଶାଳ ଓଡ଼ିଶା କ୍ରାନ୍ତି ପରିଷଦ’ ଦାବି କରିଛି।

Advertisment

ପରିଷଦର ସଭାପତି ପ୍ରଭାତ ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଅବଗତ କରିଛନ୍ତି। ସେ କହିଛନ୍ତି ଓଡ଼ିଶାର ପ୍ରକଳ୍ପ ଓଡ଼ିଶା ସରକାର ଚଳାଇବା ପରିବର୍ତ୍ତେ ଆନ୍ଧ୍ର ହାତକୁ ଟେକି ଦେବା ଓଡ଼ିଆଙ୍କ ପ୍ରତି ଅପମାନ। ୨୦୨୦ ମସିହାରେ ଆନ୍ଧ୍ର ସହ ଓଡ଼ିଶା ସରକାର କରିଥିବା ଚୁକ୍ତି ଅନୁସାରେ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍‌ ୫୦ ପ୍ରତିଶତ ଓଡ଼ିଶା ଓ ୫୦ ପ୍ରତିଶତ ଆନ୍ଧ୍ର ନେବ। ଏଥିସହ ଉଭୟ ରାଜ୍ୟର ୫୦ ପ୍ରତିଶତ ଲେଖାଏ ଲୋକଙ୍କୁ ପ୍ରକଳ୍ପରେ ନିଯୁକ୍ତି ଦିଆଯିବ। କିନ୍ତୁ ଦୁଃଖର କଥା, ଓଡ଼ିଶାର ଲୋକଙ୍କୁ ସେଠାରେ ନିଯୁକ୍ତି ଦିଆଯାଉନାହିଁ। ସମସ୍ତ ପଦବିରେ ଆନ୍ଧ୍ର ଅଧିକାରୀ ରହିଛନ୍ତି। ତେଣୁ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ତା’ର କୌଣସି ଠିକ୍‌ ସୂଚନା ଓଡ଼ିଶା ସରକାରଙ୍କ ପାଖରେ ନାହିଁ। ଧୀରେ ଧୀରେ ଏହି ପ୍ରକଳ୍ପ ଓଡ଼ିଶାର ନୁହେଁ, ଆନ୍ଧ୍ରର ବୋଲି ପ୍ରଚାର କରଯାଉଛି। ଏମିତିକି ଓଡ଼ିଆ ପିଲାଙ୍କ ପାଠ ବହିରେ ମାଛକୁଣ୍ଡ ଆନ୍ଧ୍ରରେ ରହିଛି ବୋଲି ପ୍ରକାଶ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏବେ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଏହି ପ୍ରକଳ୍ପରୁ ଆନ୍ଧ୍ରକୁ ବାଦ୍‌ ଦେବା ସହ ଓଡ଼ିଆ ଶ୍ରମିକଙ୍କୁ ଶତ ପ୍ରତିଶତ ନିଯୁକ୍ତି ଏବଂ ସମସ୍ତ ଉତ୍ପାଦନ ଓଡ଼ିଶାକୁ ଆସୁ ବୋଲି ପରିଷଦ ଦାବି କରିଛି। ଆସନ୍ତା ଏପ୍ରିଲ ମାସ ୩୦ ତାରିଖ ମଧ୍ୟରେ ଯଦି ଓଡ଼ିଶା ସରକାର ଏହା ନ କରନ୍ତି, ତେବେ ମେ ୧ ତାରିଖରୁ ନବୀନ ନିବାସ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ଦାଶ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।