ଓଟିଏମ୍‌କୁ ହାତକୁ ନେବେ ସରକାର; ଜମା କରିଛନ୍ତି ୩୫ କୋଟି

କର୍ମଚାରୀଙ୍କ ବକେୟା ତଥ୍ୟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବନ୍ଦହୋଇ ପଡ଼ିରହିଥିବା ଓଟିଏମ୍‌କୁ ରାଜ୍ୟସରକାର ହାତକୁ ନେବେ। ଓଟିଏମ୍‌ କାରଖାନା ଓ ଏହାର ଜମିକୁ ରାଜ୍ୟ ସରକାର ହାତକୁ ନେବାପାଇଁ ଦେଢ଼ଶହ କୋଟି ଟଙ୍କା ଜମା କରିବେ। ସେଠାରେ ଏକ ଟେକ୍ସଟାଇଲ୍‌ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ହାଇକୋର୍ଟରେ ଓଟିଏମ୍ ମାମଲା ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଏପରି ତଥ୍ୟ ଦାଖଲ କରାଯାଇଛି। ଏଥିସହିତ, ହାଇକୋର୍ଟରେ ମାମଲାର ଶୁଣାଣି ପରେ ଓଟିଏମ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ମିଳିବାର ପଥ ପରିଷ୍କାର ହୋଇଛି।

ଆଜି ହାଇକୋର୍ଟ ଓଟିଏମ୍‌ ପୁନରୁଦ୍ଧାର ସଂପର୍କିତ ମାମଲାର ଶୁଣାଣି କରିଥିଲେ। ଶୁଣାଣିବେଳେ କର୍ମଚାରୀଙ୍କ କେତେ ଦରମା ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ରହିଛି, ତାହା ଆକଳନ କରିବାପାଇଁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଦାୟିତ୍ବ ଦେବାକୁ ଓଟିଏମ୍‌ର ଅଫିସିଆଲ ଲିକ୍ବିଡେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି, ସେନେଇ ସବିଶେଷ ତଥ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ଏଥିସହିତ, ଓଟିଏମ୍‌କୁ ରାଜ୍ୟ ସରକାର ହାତକୁ ନେବାପାଇଁ ନିଷ୍ପତ୍ତି ନେଇଥିବାବେଳେ ଏଥିପାଇଁ ୧୫୦ କୋଟି ଟଙ୍କା ସରକାର ଦେବେ। ୧୫୦ କୋଟି ଟଙ୍କାରୁ ଇତିମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୩୦ କୋଟି ଓ ୫ କୋଟି ଟଙ୍କା ସରକାରଙ୍କ ତରଫରୁ ଅଫିସିଆଲ ଲିକ୍ବିଡେଟରଙ୍କ ନିକଟରେ ଜମା କରାଯାଇଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ପୂର୍ବରୁ ଓଟିଏମ୍‌ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସଂସ୍ଥାକୁ ୧ କୋଟି ୨୫ ଲକ୍ଷ ଟଙ୍କା ଫେରାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଦର୍ଶାଯାଇଥିଲା।

ଓଟିଏମ୍‌ କଲୋନିରେ ରହୁଥିବା ପ୍ରାୟ ୯୦ଜଣ ପୂର୍ବତନ କର୍ମଚାରୀଙ୍କ କ୍ବାର୍ଟରକୁ ପୃଥକ୍‌ଭାବେ ବିଦ୍ୟୁତ୍‌ ସଂଯୋଗ ପ୍ରସଙ୍ଗରେ ମଧ୍ୟ ଆଜି ଶୁଣାଣି ହୋଇଥିଲା। ଗୋଟିଏ ମିଟରରୁ ସମସ୍ତ କ୍ବାର୍ଟରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବାରୁ ପୂର୍ବତନ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ବକେୟା ପ୍ରାପ୍ୟ ମିଳି ନଥିବା ବେଳେ ଆର୍ଥିକ ଅବସ୍ଥା ଭଲନାହିଁ। ଏଭଳି ସ୍ଥିତିରେ ସବୁ କ୍ବାର୍ଟରକୁ ପୃଥକ୍‌ ଘରୋଇ ବିଦ୍ୟୁତ୍‌ ସଂଯୋଗ ଦେବାକୁ ପୂର୍ବତନ କର୍ମଚାରୀଙ୍କ ତରଫରୁ ନିବେଦନ କରାଯାଇଥିଲା। ଏହି ପ୍ରସଙ୍ଗରେ ଅଫିସିଆଲ୍‌ ଲିକ୍ବିଡେଟରଙ୍କୁ ପୂର୍ବତନ କର୍ମଚାରୀମାନେ ଅବଗତ କରିବେ। ଏହାପରେ ଅଫିସିଆଲ ଲିକ୍ବଡେଟର୍‌ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩କୁ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଟିଏମ୍‌ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୂର୍ବତନ କର୍ମଚାରୀଙ୍କ ତରଫରୁ ଆଇନଜୀବୀ ତ୍ରିଲୋଚନ ବାରିକ ମାମଲା ପରିଚାଳନା କରୁଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୪୬ ମସିହାରେ କମ୍ପାନିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୫୦ ମସିହାରୁ ଏଠାରେ କପଡ଼ା ଉତ୍ପାଦନ ଆରମ୍ଭ ହୋଇଥିଲା। ୧୯୮୦ ମସିହା ପର୍ଯ୍ୟନ୍ତ ଏହା ଘରୋଇ କମ୍ପାନି ଅଧୀନରେ ପରିଚାଳିତ ହୋଇଆସୁଥିଲା ବେଳେ ୧୯୮୧ରେ ରାଜ୍ୟସରକାର ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ। ୧୯୮୬ ମସିହା ପର୍ଯ୍ୟନ୍ତ ଓଟିଏମ୍‌ ଲାଭ ଦେଖାଇ ପାରୁଥିଲା। କିନ୍ତୁ, ଏହାପରଠୁ ଧୀରେଧୀରେ କ୍ଷତି ଆରମ୍ଭ ହୋଇଥିଲା। ଶେଷରେ ୨୦୦୧ ମସିହା ଜୁଲାଇ ୩୧ ତାରିଖରେ ଓଟିଏମ୍‌ ଗେଟ୍‌ରେ ତାଲା ପଡ଼ିଯାଇଥିଲା। ଓଟିଏମ୍‌ ବନ୍ଦ ହେବାବେଳକୁ ସେଥିରେ ପାଖାପାଖି ୩୭୦୦ ଶ୍ରମିକ କାର୍ଯ୍ୟ କରୁଥିଲେ। ଇତିମଧ୍ୟରେ ଓଟିଏମ୍‌ର ୭ଶହରୁ ଅଧିକ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି।

ସମ୍ବନ୍ଧିତ ଖବର