ରାଉରକେଲା: ଦୀର୍ଘ ଦିନ ହେଲା ସହରବାସୀ ବିମାନସେବା ପାଇଁ ଦାବି କରିଆସୁଥିଲେ। ଶେଷରେ ଜାନୁଆରି ୭ ତାରିଖରେ ଭୁବନେଶ୍ବର-ରାଉରକେଲା ବିମାନସେବା ଆରମ୍ଭ ହୋଇଥିଲା। ସେବା ଆରମ୍ଭ ହେବାର ୬ ମାସ ବିତିଲାଣି; କିନ୍ତୁ ବିମାନବନ୍ଦରରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ଅନ୍ତ ହେଉନାହିଁ। ବିଶେଷକରି ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲ୍ଏସ୍) ବ୍ୟବସ୍ଥା ସ୍ଥାପିତ ହୋଇନଥିବାରୁ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି। ପାଣିପାଗ ବିଗିଡ଼ିଲେ ବିମାନକୁ ଅଘୋଷିତ ବାତିଲ କରିଦିଆଯାଉଛି। ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଥିବା ଅଘୋଷିତ ବାତିଲ, ବିମାନ ଅବତରଣ କରିନପାରିବା ଯୋଗୁଁ ଯାତ୍ରୀ ସଂଖ୍ୟା ୪୫ ପ୍ରତିଶତକୁ ଖସିଲାଣି। ଏବେ ଆଇଏଲ୍ଏସ୍ ସ୍ଥାପନ ନେଇ ନୂଆ ଆଶା ଜନ୍ମିଛି। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଆଇଏଲ୍ଏସ୍ ସ୍ଥାପନ କରିବାକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)କୁ ପତ୍ର ଲେଖିଛନ୍ତି।
ଶ୍ରୀମତି ପାଢ଼ୀ ଏଏଆଇ ଅଧକ୍ଷ ସଞ୍ଜୀବ କୁମାରଙ୍କ ନିକଟକୁ ଲେଖିଥିବା ପତ୍ରରେ ରାଉରକେଲା ଓ ଜୟପୁର ବିମାନବନ୍ଦରରେ ଆଇଏଲ୍ଏସ ସ୍ଥାପନ ପାଇଁ ଅଗ୍ରାଧିକାର ଦେବାକୁ ନିବେଦନ କରିଛନ୍ତି। ସଂପ୍ରତି ରାଉରକେଲା ବିମାନବନ୍ଦର ୨ସି ମାନ୍ୟତା ପାଇଥିବାବେଳେ ଜୟପୁର ବିମାନବନ୍ଦର ୨ବି ମାନ୍ୟତାପ୍ରାପ୍ତ। ଏଠାରେ ଆଇଏଲ୍ଏସ ବ୍ୟବସ୍ଥା ନ ଥିବାରୁ ରାତ୍ରିକାଳୀନ ବିମାନ ଅବତରଣ ସମ୍ଭବ ହେଉନି। ଏଣୁ ଯଥାଶୀଘ୍ର ମାଷ୍ଟର ପ୍ଲାନିଂ, ଜମି ଆବଶ୍ୟକତା, ପ୍ରସ୍ତାବିତ ଲ୍ୟାଣ୍ଡିଂ ଓ ସହାୟତା ସମ୍ପର୍କିତ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉ। ଏହାସହ କ୍ୟାଟେଗୋରି-୧ ଆଇଏଲ୍ଏସ୍ ରାତ୍ରି ଅବତରଣ ସୁବିଧା, ଆଇଏଏଲ୍, ମୋଟ୍ ବ୍ୟୟ ଅଟକଳ ଦାଖଲ କରିବାକୁ ନିବେଦନ କରାଯାଇଛି। ରାଉରକେଲା ବିମାନବନ୍ଦର ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଯୁକ୍ତିପରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନବନ୍ଦର ଆଶା ସୁଦୃଢ଼ ହେବାରେ ଲାଗିଛି।
ଗତ ୬ ମାସ ଭିତରେ ଦଶରୁ ଅଧିକ ଧର ଅଘୋଷିତ ବିମାନ ବାତିଲ ହୋଇଛି। ପାଣିପାଗ ବିଗିଡ଼ିଲେ ବିମାନସେବାକୁ ବାତିଲ କରାଯାଉଥିବାରୁ ଯାତ୍ରୀ ଟ୍ରେନ୍ରେ ଯିବାକୁ ପ୍ରାଥମିକତା ଦେଉଛନ୍ତି। ଫଳରେ ବିମାନ ଯାତ୍ରୀ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ପୂର୍ବରୁ ପାଖାପାଖି ୭୦% ସିଟ୍ ସଂରକ୍ଷିତ ରହୁଥିବାବେଳେ ଏବେ ଏହା ୪୫%କୁ ଖସିଲାଣି। ପ୍ରକାଶଥାଉକି, ଗତ ୩ ତାରିଖରେ ଭୁବନେଶ୍ବରରୁ ୫୨ ଜଣ ଯାତ୍ରୀ ରାଉରକେଲାକୁ ଆସିଥିବାବେଳେ ଏଠାରୁ ମାତ୍ର ୪୨ ଜଣ ଭୁବନେଶ୍ବରକୁ ଯାଇଥିଲେ। ସେହିଭଳି ଗତ ୪ ତାରିଖରେ ୩୭ ଜଣ ରାଉରକେଲାକୁ ଆସିଥିବାବେଳେ ୪୧ ଜଣ ଭୁବନେଶ୍ବରକୁ ଯାଇଥିଲେ। ତେବେ ଆଜି(ବୁଧବାର) ବୈଷୟିକ ସମସ୍ୟା ଯୋଗୁଁ ବିମାନ ବାତିଲ ହୋଇଯାଇଛି। ସୂଚନା ଅନୁସାରେ, ବିମାନର ଚକରେ ଆଜି ମରାମତି ଆବଶ୍ୟକ ହେଉଥିଲା। ତେବେ ଚକ ମରାମତି ପାଇଁ ପ୍ରାୟ ଅଢ଼େଇ ଘଣ୍ଟା ସମୟ ଲାଗିଥାନ୍ତା। ଯଦି ମରାମତି କରାଯାଇଥାନ୍ତା; ତା’ହେଲେ ଅତ୍ୟଧିକ ବିଳମ୍ବ ଯୋଗୁଁ ରାଉରକେଲାରେ ବିମାନ ଅବତରଣ କରିପାରିନଥାନ୍ତା। ଆଇଏଲଏସ୍ ବ୍ୟବସ୍ଥା ନ ଥିବାରୁ ଆଜି ମଧ୍ୟ ବିମାନ ସେବା ବାତିଲ ହୋଇଛି। ଏଣୁ ଭୁବନେଶ୍ବରକୁ ଯିବାକୁ ଯୋଜନା କରିଥିବା ୩୨ ଜଣ ଯାତ୍ରୀ ନିରାଶ ହୋଇଛନ୍ତି।
ଗତ ମାର୍ଚ୍ଚ ୨୫ ତାରିଖରେ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) କର୍ତ୍ତୃପକ୍ଷ ବିମାନବନ୍ଦରର ବିଭିନ୍ନ ସମସ୍ୟା ବିଷୟରେ ଏଏଆଇର ଦୃଷ୍ଟି ଆକର୍ଷଣ କରିଥିଲେ। ପତ୍ର ମାଧ୍ୟମରେ ଜଣାଇଥିଲେ, ବିମାନବନ୍ଦରର ଭିଜିବିଲିଟି ୫ ହଜାର ମିଟର ରହିବା ନିତାନ୍ତ ଆବଶ୍ୟକ। କିନ୍ତୁ ରାଉରକେଲା ବିମାନବନ୍ଦରରେ ତାହା ନାହିଁ। ଏଣୁ ପ୍ରାଥମିକତାର ସହ ଆଇଏଲ୍ଏସ୍/ ଭିଓଆର୍ ସ୍ଥାପନ ହେବା ଜରୁରୀ। ରାଉରକେଲାରେ ବିଶ୍ବର ସର୍ବବୃହତ ଆସନ ବିଶିଷ୍ଟ ‘ବିର୍ସା ମୁଣ୍ଡା ହକି ଷ୍ଟାଡିଅମ୍’, ରାଉରକେଲା ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି), ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି), ଇସ୍ପାତ ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଓ ସୁପରସ୍ପେଶିଆଲିଟି ହସପିଟାଲ, ହାଇଟେକ୍ ମେଡିକାଲ କଲେଜ ସମେତ ଏକାଧିକ ଶିଳ୍ପ କାରଖାନା ରହିଥିବାରୁ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ ବିମାନ ଅବତରଣ ବ୍ୟବସ୍ଥା, ଭୁବନେଶ୍ବର-ରାଉରକେଲା ବ୍ୟତିତ ଅନ୍ୟାନ୍ୟ ସହରକୁ ବିମାନ ସଂଯୋଗ, ରାଉରକେଲା ବିମାନବନ୍ଦରକୁ ୩ସି ମାନ୍ୟତା, ଆର୍ଏସ୍ପି ପ୍ରଦତ୍ତ ଅବଶିଷ୍ଟ ୧୧୧ଏକର ଜମିର(୩୫ ଏକର ଜମି ବ୍ୟବହାର ହୋଇସାରିଛି) ସଦୁପଯୋଗ କରିବାକୁ ନିବେଦନ କରାଯାଇଥିଲା।