ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ଅନ୍ତର୍ଗତ କଟାପାଲି ପଞ୍ଚାୟତର ବିଜାପଦର ଗ୍ରାମରେ ୨ ଜଣ ୧୭ ବର୍ଷ ନାବାଳିକାଙ୍କ ଗତ ନଭେମ୍ବର ୨୭ ଓ ଡିସେମ୍ବର ୪ ତାରିଖ ନିର୍ବନ୍ଧ ହୋଇଥିବା ସୂଚନା ମିଳିଥିଲା। ତରଭା ସିଡିପିଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ସବିତା ଦୋରା ଓ ତାଙ୍କ ଟିମ୍ ବିଜାପଦର ଗ୍ରାମକୁ ଯାଇ ଦୁଇ ନାବାଳିକାଙ୍କ ବାପା ମା’ଙ୍କୁ ବୁଝାଇ ଦୁଇଟିଯାକ ବାଲ୍ୟ ବିବାହକୁ ବନ୍ଦ କରିଛନ୍ତି। ଏହା କେବଳ ଉଦାହରଣ ମାତ୍ର। ସୁବର୍ଣ୍ଣପୁର ଜିଲ୍ଲାକୁ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ପ୍ରଥାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଏ ଦିଗରେ ଜିଲ୍ଲାକୁ ମୋଡେଲ ଭାବେ ଗଢ଼ି ତୋଳିବାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ବିଭିନ୍ନ ପଦକ୍ଷେପ ନେଇଛନ୍ତି।

Advertisment

କିଛି ମାସ ହେଲା ଏ ଦିଗରେ ନିରନ୍ତର ଭାବେ ପ୍ରୟାସ ଚାଲିଛି। ଗାଁଗୁଡ଼ିକରେ ସଚେତନତା କରି ଲୋକଙ୍କୁ ବାଲ୍ୟ ବିବାହ ନକରିବାକୁ ସଂକଳ୍ପ କରାଯାଉଛି। ଜିଲ୍ଲାର ସମସ୍ତ ସ୍କୁଲରେ ‘ବିଦ୍ୟାଳୟକୁ ହଁ, ବାଲ୍ୟ ବିବାହକୁ ନାଁ’ ଲେଖିବାକୁ ନିକଟରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ଶେଷ ପାଇଁ ୨୦ ତାରିଖକୁ ଧାର୍ଯ୍ୟ କରିଛନ୍ତି। ବାଲ୍ୟବିବାହ ବନ୍ଦ କରାଯାଇଥିବା ପୁଅଝିଅ ମାନଙ୍କର ବର୍ତ୍ତମାନର ସ୍ଥିତି, ବର୍ତ୍ତମାନ ତାଙ୍କର ବୟସ, ତାଙ୍କ ଶିକ୍ଷାଗତ ଯୋଗ୍ୟତା ଆଦି ବିଷୟରେ ଡିଏସ୍‌ଡବ୍ଲୁଓ ଓ ମିସନ ଶକ୍ତି ଡିପିସିଙ୍କୁ ୨୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କହିଛନ୍ତି। ଏହା ସହ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଏକ ଟାକ୍ସ ଫୋର୍ସ ଗଠନ କରିବା ପାଇଁ ଜିଲ୍ଲାପାଳ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ସୁବର୍ଣ୍ଣପୁର ଓ ଜିଲ୍ଲା କଲ୍ୟଣ ଅଧିକାରୀଙ୍କୁ ଗତ ଦୁଇ ବର୍ଷ ମଧ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଡ୍ରପ୍ ଆଉଟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ଆଦେଶ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ତଥା ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଜିଲ୍ଲା ସ୍ତରୀୟ ଟାକ୍ସ ଫୋର୍ସ ମିଟିଂ ଆସନ୍ତା ୨୮ ତାରିଖ ଦିନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମିଟିଙ୍ଗରେ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବ। ଜିଲ୍ଲାରେ ଚାଲିଥିବା ଏକ ମହତ୍‌କାଂକ୍ଷୀ ଯୋଜନା ସଫଳ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଏକ ମୋଡେଲ୍ ରୂପରେ ଓଡ଼ିଶାରେ ପରିଚିତ ହେବ ବୋଲି ମତ ପ୍ରକାଶ ପାଇଛି।