ସରକାରୀ ବିଶ୍ୱବିଦ୍ୟାଳୟ ପଛୁଆ

ପରୀକ୍ଷା କରିଦେଲେ ଡିମ୍‌ଡ ଓ ଘରୋଇ ବିଶ୍ବବିଦ୍ୟାଳୟ
ଦେଶର ୬୧% ବିଶ୍ୱବିଦ୍ୟାଳୟ ପରୀକ୍ଷା କରିବେ
ୟୁଜି ଓ ପିଜି ପରୀକ୍ଷା କରିବାକୁ ୟୁଜିସିର ପୁଣିଥରେ ନିର୍ଦେଶ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟଗୁଡ଼ିକର ପିଜି(ପୋଷ୍ଟ ଗ୍ରାଜୁଏଟ୍‌) ଓ ୟୁଜି(ଅଣ୍ଡର ଗ୍ରାଜୁଏଟ୍‌)ର ଶେଷ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ବାତିଲ୍‌ କରିବା ସମ୍ଭବପର ନୁହେଁ। ପରୀକ୍ଷା ଫଳକୁ ଆଧାର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ମେଧାବୀ ଚୟନ, ବୃତ୍ତି ପ୍ରଦାନ, ପୁରସ୍କାର, ନିଯୁକ୍ତି ଦିଆଯାଇଥାଏ। ଭବିଷ୍ୟତରେ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ମଧ୍ୟ ପରୀକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆମେରିକା, ଇଂଲଣ୍ଡ, କାନାଡା, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ହଙ୍ଗ୍‌କଙ୍ଗ ପରି ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା କରୁଛନ୍ତି। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ସେମାନେ ଅନ୍‌ଲାଇନ୍‌/ଅଫ୍‌ଲାଇନ୍‌/ଉଭୟ ବ୍ୟବସ୍ଥା କିମ୍ବା ବିକଳ୍ପ ବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଉଛନ୍ତି। ‌ତେଣୁ ଦେଶର ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକ ପରୀକ୍ଷା କରାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଦେଶର ୬୧ ପ୍ରତିଶତରୁ ଅଧିକ ବିଶ୍ବବିଦ୍ୟାଳୟ ପରୀକ୍ଷା କରାଇବା ଦିଗରେ ପଦ‌କ୍ଷେପ‌ ନେଇଛନ୍ତି। ୟୁଜିସି ତଥ୍ୟ ଅନୁଯାୟୀ ଦେଶର ୯୪୫ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୨୦୧୯-୨୦ରେ ୨୭ଟି ଘରୋଇ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସେଠାକାର ଛାତ୍ରଛାତ୍ରୀ ଶେଷ ସେମିଷ୍ଟର ପରୀକ୍ଷା ଦେବା ଲାଗି ଯୋଗ୍ୟତା ଅର୍ଜନ କରିନାହାନ୍ତି। ତେଣୁ ବାକି ୯୧୭ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୭୫୫ଟି ପରୀକ୍ଷା ସମ୍ପର୍କରେ ୟୁଜିସିକୁ ମତାମତ ଦେଇଛନ୍ତି। ଯେଉଁଥିରେ ୧୨୦ଟି ଡିମ୍‌ଡ ବିଶ୍ବବିଦ୍ୟାଳୟ, ୨୭୪ଟି ଘରୋଇ ବିଶ୍ବବିଦ୍ୟାଳୟ, ୪୦ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ୩୨୧ଟି ରାଜ୍ୟ ବିଶ୍ବବିଦ୍ୟାଳୟ ରହିଛନ୍ତି। ୭୫୫ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୫୬୦ଟି ପରୀକ୍ଷା କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ୧୯୪ଟି ବିଶ୍ବବିଦ୍ୟାଳୟ ପରୀକ୍ଷା କରିଛନ୍ତି ଏବଂ ୩୬୬ଟି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପରୀକ୍ଷା କରାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଆଗୁଆ ପରୀକ୍ଷା ବାତିଲ୍‌ କରି ବିବାଦରେ ଫସିଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପାରିବା ପଣିଆ ଏବେ ପଦାରେ ପଡ଼ିଛି। ଓଡ଼ିଶାର ଗୋଟିଏ ବି ସରକାରୀ ବିଶ୍ବବିଦ୍ୟାଳୟ ପରୀକ୍ଷା କରିପାରି ନାହାନ୍ତି। ଯେତେ‌ବେଳେ କି ଅନ୍ୟ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକ ଏକ୍ଷେତ୍ରରେ ଆଗରେ ଅଛନ୍ତି। ୟୁଜିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାରେ ଥିବା ଜାତୀୟ ଶିକ୍ଷାନୁଷ୍ଠାନ ସହ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ପରୀକ୍ଷା କରିବା କ୍ଷେତ୍ରରେ ଆଗରେ ଅଛନ୍ତି। ୧୦ଟି ଡିମ୍‌ଡି ଓ ଘରୋଇ ବିଶ୍ବବିଦ୍ୟାଳୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କରାଇଛନ୍ତି। ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟ ପରୀକ୍ଷା କରିବା‌ ସହ ମାର୍କସିଟ୍‌ ବାଣ୍ଟି ସାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ବବିଦ୍ୟାଳୟ ପରୀକ୍ଷା କରିପାରି ନାହାନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବିପିୟୁଟି ଓ ଭିଏସ୍‌ଏସ୍‌ୟୁଟି ପରୀକ୍ଷା କରିବା ଦିଗରେ ପଦକ୍ଷେପ ନେଇଛନ୍ତି ଏବଂ ଅଧାରୁ ବନ୍ଦ ରହିଛି। ସଂସ୍କୃତି ବିଭାଗ ଅଧୀନରେ ଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ପରୀକ୍ଷା କରିନାହିଁ ଏବଂ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତିକୁ ଅପେକ୍ଷା କରି ରହିଛି। କୃଷି ବିଭାଗ ଅଧୀନରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଆଇସିଏଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା ବାତିଲ୍‌ ସହ ପୁରୁଣା ସେମିଷ୍ଟରର ମାର୍କକୁ ଆଧାର କରି ରେଜଲ୍ଟ ପ୍ରକାଶ କରିବାକୁ ଯାଉଥିବା ଜଣାପଡ଼ିଛି।

ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା କରାଇବାକୁ ୟୁଜିସି ପକ୍ଷରୁ ପୁଣିଥରେ ବିଶ୍ବବିଦ୍ୟାଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ଆଧାର କରି ବିଶ୍ବବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ୍‌/ଅନ୍‌ଲାଇନ୍‌/ଉଭୟ ମୋଡ୍‌ରେ ପରୀକ୍ଷା କରାନ୍ତୁ। ଯଦି କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି ତେବେ ସେମାନଙ୍କ ଲାଗି ପରବର୍ତୀ ସମୟରେ ବିଭାଗ ଓ ବିଷୟ ଅନୁଯାୟୀ ସ୍ବତନ୍ତ୍ର ପରୀକ୍ଷା କରିପାରିବେ। ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧାରେ ନ ପକାଇ ଏମ୍‌ଏଚ୍‌ଆରଡି ଦ୍ବାରା ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର