ଟଙ୍କାକରେ ଚାରା ବାଣ୍ଟିବେ ସରକାର

ଗ୍ରାମାଞ୍ଚଳରେ ପ୍ରତି ବ୍ୟକ୍ତିଙ୍କୁ ୧୦ଟି, ସହରାଞ୍ଚଳରେ ୫ଟି ଦିଆଯିବ
ବଣ୍ଟନ କରାଯିବ ୧୩ କୋଟିରୁୁ ଅଧିକ ଚାରା
ବନ ମହୋତ୍ସବରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ

ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିରାଡ଼ମ୍ବର ଭାବେ ବନ ମହୋତ୍ସବ ପାଳିତ ହେବ। ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୩ କୋଟିରୁ ଅଧିକ ଚାରା ବଣ୍ଟନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଜଙ୍ଗଲ ବିଭାଗ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ମିସନ୍‌, ଶକ୍ତି, କୃଷି, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ଜଳ ସମ୍ପଦ, ଅନୁସୂଚିତ ଜନଜାତି ଉନ୍ନୟନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ମଧ୍ୟ ଚାରା ବିତରଣ ଓ ସେମାନଙ୍କ ନିଜ ନିଜ ବିଭାଗର ସରକାରୀ ଜାଗାରେ ଚାରାରୋପଣ କାର୍ଯ୍ୟକ୍ରମରେ ସାମିଲ ହେବେ।

କୋଭିଡ୍‌-୧୯ ନିର୍ଦ୍ଦେଶାବଳି ଅନୁସରଣ କରାଯାଇ ବନ ମ‌ହୋତ୍ସବ ପାଳିତ ହେବ। ନିର୍ବାଚିତ ଜନପ୍ରତିନିଧି, ସରକାରୀ ପଦାଧିକାରୀ, ପଞ୍ଚାୟତ ସମିତି ସଭ୍ୟ, ନ୍ୟାୟପାଳିକା, ବନ ସୁରକ୍ଷା ସମିତି ସଭ୍ୟ, ବେସରକାରୀ ସଙ୍ଗଠନ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର କର୍ମକର୍ତ୍ତା, ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ। ବନ ମହୋତ୍ସବ ପାଳନ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ସାନିଟାଇଜର୍‌ ଓ ହ୍ୟାଣ୍ଡୱାସ୍‌ର ବ୍ୟବହାର, ସାମାଜିକ ଦୂରତା ରକ୍ଷା କରାଯିବ। ପ୍ରତି କାର୍ଯ୍ୟକ୍ରମରେ ଅତି ବେଶିରେ ୫୦ଜଣ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିପାରିବେ। ବୃକ୍ଷ ଚାରା ବଣ୍ଟନ ସମ୍ପର୍କରେ ଯେକୌଣସି ସୂଚନା ପ୍ରଦାନ ଲାଗି ଭୁବନେଶ୍ବରସ୍ଥିତ ଅରଣ୍ୟ ଭବନରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ(୧୮୦୦୩୪୫୭୧୫୮) ଖୋଲା ଯାଇଛି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ସନ୍ଦୀପ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ୧୩କୋଟି ବୃକ୍ଷ ଚାରା ଉତ୍ପନ୍ନ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଉତ୍ପନ୍ନ ହୋଇଥିବା ଚାରା ମଧ୍ୟରୁ ଏହା ସର୍ବାଧିକ ଅଟେ। ଏହି ଚାରା ବିତରଣ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ବି ସାମିଲ କରାଯିବାର ବ୍ୟବସ୍ଥା ହୋଇଛି। ସହରାଞ୍ଚଳର ଲୋକେ ସିଧାସଳଖ ଭାବେ ଚାରା ଉତ୍ପାଦନ କେନ୍ଦ୍ରରୁ ଓ ଚାରା ବିତରଣ ଷ୍ଟଲ୍‌ରୁ ଆବଶ୍ୟକ ବୃକ୍ଷ ଚାରା ପାଇପାରିବେ। ଗ୍ରାମଗୁଡ଼ିକ ଓ ପଞ୍ଚାୟତରେ ଗ୍ରାମବାସୀମାନେ ଭ୍ରାମ୍ୟମାଣ ଚାରା ବିତରଣ ‌ଯାନରୁ ଚାରା ପାଇପାରିବେ। ବନଖଣ୍ଡ ଅଧିକାରୀଙ୍କ ଦ୍ବାରା ଜନସାଧାରଣଙ୍କୁ ଏହି ତଥ୍ୟ ଦିଆଯିବ। ଚାରା ପାଇବା ପାଇଁ ପ୍ରତ୍ୟେକ ବନଖଣ୍ଡ ଅନ୍ତର୍ଭୁକ୍ତ ଜିଲ୍ଲାରେ ଚାରା ବିତରଣ ଷ୍ଟଲ୍‌ ଓ ଭ୍ରାମ୍ୟମାଣ ଚାରା ବିତରଣ ଗାଡ଼ି ଜୁଲାଇ ପହିଲାଠାରୁ ୭ ତାରିଖ ପର୍ଯ୍ୟନ୍ତ ବୁଲିବ।

ଭ୍ରାମ୍ୟମାଣ ବୃକ୍ଷଚାରା ବିତରଣ ଯାନରୁ ଓ ଛୋଟ ଚାରା ବିତରଣ କେନ୍ଦ୍ରରୁ ସହରାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ସର୍ବାଧିକ ୫ଟି ବୃକ୍ଷ ଚାରା ଓ ଗ୍ରାମାଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧୦ଟି ଚାରା ଦିଆଯାଇ ପାରିବ। ଅନୁଷ୍ଠାନ କ୍ଷେତ୍ରରେ ସର୍ବାଧିକ ୧୦୦ଟି ବୃକ୍ଷ ଚାରା ଦିଆଯିବ। ଜନସାଧାରଣଙ୍କ ପାଇଁ ପ୍ରତି ବୃକ୍ଷ ଚାରାର ମୂଲ୍ୟ ୧ଟଙ୍କା ଧାର୍ଯ୍ୟ ହୋଇଛି। ସରକାରୀ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାଙ୍କୁ ବିନା ମୂଲ୍ୟରେ ବୃକ୍ଷଚାରା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର