୩୨୭୮ ମେଡିକାଲ୍‌ ଅଫିସର୍‌ ପଦବୀ ପୂରଣ ଲାଗି ଲୋକସେବା ଆୟୋଗଙ୍କୁ ଚିଠି ଲେଖିଲେ ସରକାର

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟ ସେବାକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ଅନେକ ସକାରାତ୍ମକ ପଦକ୍ଷେପ ପ୍ରସଂଗରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ରାଜ୍ୟରେ ୩୨୭୮ଟି ଜୁନିୟର୍‌ ଡାକ୍ତର ପଦବୀରେ ନିଯୁକ୍ତି ଲାଗି ପ୍ରାଥମିକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର।

ସୋମବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଓଡ଼ିଶା ଲୋକସେବା ଆୟୋଗର ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଖାଲି ପଡ଼ିଥିବା ୩୨୭୮ଟି ସ୍ଥାୟୀ ମେଡିକାଲ୍‌ ଅଫିସର୍‌ (ସହଯୋଗୀ ସର୍ଜନ) ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ୨୦୧୯-୨୦ ବର୍ଷରେ ଓଡ଼ିଆ ମେଡିକାଲ୍‌ ଆଣ୍ଡ୍‌ ହେଲ୍‌ଥ ସର୍ଭିସେସ୍‌ କ୍ୟାଡର ଅନ୍ତର୍ଗତ ଗ୍ରୁପ୍‌-ଏ ସ୍ତରର ଏହି ପଦବୀ ପୂରଣ ଲାଗି ପ୍ରାର୍ଥୀ ଚୟନ କରିବାକୁ ସରକାର ଲୋକସେବା ଆୟୋଗକୁ ଜଣାଇଛନ୍ତି।

ସ୍ୱାସ୍ଥ୍ୟସେବା ପ୍ରଭାବଶାଳୀ କରିବା ଲାଗି ନିକଟରେ ରାଜ୍ୟ ସରକାର ୨୦୦୦ ପଦବୀ ସୃଷ୍ଟି କରିବା ସହ ପୂର୍ବରୁ ଖାଲିଥିବା ୧୨୭୮ଟି ପଦବୀ ପୂରଣ କରିବା ଲାଗି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲୋକସେବା ଆୟୋଗ ପକ୍ଷରୁ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ। ଏ ନେଇ ଖୁବ୍‌ ଶୀଘ୍ର ଆୟୋଗ ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର