ସମ୍ବଲପୁର: କାରଖାନା ପାଉଁଶ (ଫ୍ଲାଏ ଆସ୍)ର ଉପଯୁକ୍ତ ପରିଚାଳନା ନିମନ୍ତେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁ ଅଞ୍ଚଳରେ ପାଉଁଶ ପକାଯାଉଛି, ସେଠାକାର ଜନଜୀବନ ପ୍ରତି ଯେପରି କୌଣସି ପ୍ରକାରର ବିପଦ ସୃଷ୍ଟି ନହୁଏ, ସେଥିପାଇଁ ଥିବା ନିୟମାବଳୀର ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ଏକ ମାସ ମଧ୍ୟରେ ଖସଡ଼ା ପ୍ରସ୍ତୁତ କରିବାକୁ ଉତ୍ତରାଞ୍ଚଳ ଆର୍ଡିସିଙ୍କୁ ଦାୟିତ୍ବ ଦିଆଯାଇଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ତେବେ ଗତ ୨୪ ବର୍ଷ ହେଲା ଏହି ସମସ୍ୟା ପ୍ରତି ଆଖିବୁଜି ଦିଆଯାଇଥିବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କହି ଶ୍ରୀ ପୂଜାରୀ ପୂର୍ବ ସରକାରକୁ ସମାଲୋଚନା କରିଥିଲେ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, ରାଜ୍ୟରେ କେତେ ପରିତ୍ୟକ୍ତ ଖଣି ରହିଛି ଏବଂ ସେସବୁ ଖଣିରେ କେତେ ପରିମାଣର ପାଉଁଶ ପୋତା ଯାଇପାରିବ, ସେ ଦିଗରେ ତଥ୍ୟ ମଗାଯାଇଛି। ଖଣିରେ ପାଉଁଶ ପୋତାଗଲେ ବି ଭୂତଳ ଜଳ ପ୍ରଭାବିତ ହେବ କି ନାହିଁ, ତାହାର ବି ଅନୁଧ୍ୟାନ କରାଯିବାକୁ ସ୍ଥିର ହୋଇଛି। ଅନୁଗୁଳ ଜିଲ୍ଲାର ଏକ ଖଣିରେ ପାଉଁଶ ପକାଯାଉଛି, ଭୂତଳ ଜଳ ଉପରେ ଏହାର କ’ଣ ପ୍ରଭାବ ପକାଉଛି, ତାହା ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ଏହାବ୍ୟତୀତ ଇଟା ତିଆରି, ସିମେଣ୍ଟ କାରଖାନା ତଥା ରାସ୍ତା ତିଆରିରେ ପାଉଁଶ ବ୍ୟବହାର କରୁଥିବା ପୂର୍ତ୍ତ ବିଭାଗ ଓ ଏନ୍ଏଚ୍ଏଆଇ ମଧ୍ୟରେ ସମନ୍ବୟ ରଖାଯିବ। ଶିଳ୍ପାନୁଷ୍ଠାନରୁ ନିର୍ଗତ ପାଉଁଶ, ଧୂଆଁ ଓ ବର୍ଜ୍ୟବସ୍ତୁ ଅଞ୍ଚଳର ଜଳ ଓ ବାୟୁକୁ ପ୍ରଦୂଷିତ କରୁଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରହିଥିବା ନିୟମାବଳୀର ନବୀକରଣ କରାଯିବାର ଆବଶ୍ୟକତା ରହିଛି।
ପରିତ୍ୟକ୍ତ ଖଣି ସଂପର୍କରେ ତଥ୍ୟ ମଗାଗଲା
ଲାଗିବ ସିସିଟିଭି, ନିୟମାବଳୀରେ ହେବ ସଂଶୋଧନ
ପାଉଁଶ ପକାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଏସ୍ପି ଓ ଜିଲ୍ଲାପାଳଙ୍କ ମଧ୍ୟରେ ରହିଥିବା ସମନ୍ବୟର ଅଭାବ ଦୂର ପାଇଁ ବୈଠକରେ ଗୁରୁତ୍ବ ଦିଆଯାଇଛି। ବୈଠକରେ ଯୋଗ ଦେଇଥିବା ଜନପ୍ରତିନିଧିମାନେ ସେମାନଙ୍କ ପରାମର୍ଶ ଦେଇଛନ୍ତି। ଏହା ବାହାରରେ ବି ଯଦି କିଛି ପ୍ରସ୍ତାବ ରହିଛି, ତାହାହେଲେ ଲିଖିତ ଭାବେ ଆର୍ଡିସିଙ୍କୁ ଦେଇପାରିବେ। ଉପଯୁକ୍ତ ପାଉଁଶ ପରିଚାଳନା ଦିଗରେ ଆଇଆଇଏମ ସମ୍ବଲପୁର, ଭିସୁଟ, ଭିମ୍ସାର, ସମ୍ବଲପୁର ବିଶ୍ବବିଦ୍ୟାଳୟର ସହାୟତା ନିଆଯିବ। ପାଉଁଶ ପରିବହନରେ ନିୟୋଜିତ ଗାଡ଼ିଗୁଡ଼ିକ ଏଣିକି ମନଇଚ୍ଛା ପାଉଁଶ ପକାଇପାରିବେ ନାହିଁ। ଗାଡ଼ି ପାଉଁଶ ନେଇ ବାହାରୁଥିବା ଜାଗାରୁ ନିର୍ଦ୍ଦିଷ୍ଟ ପକାଇବା ଜାଗା ମଧ୍ୟରେ ସିସିଟିଭି କ୍ୟାମେରା ଯୋଗେ ନିରୀକ୍ଷଣ କରାଯିବ। ଏସବୁ ପୁଲିସ ପ୍ରଶାସନ ନିୟନ୍ତ୍ରଣ କରିବ। ଏଣିକି ଶିଳ୍ପାନୁଷ୍ଠାନଗୁଡ଼ିକର ବର୍ଜ୍ୟବସ୍ତୁ, ପ୍ରଦୂଷଣ ଜଳ ଯେମିତି ନଦୀନାଳରେ ନ ମିଶିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜସ୍ବ ବିଭାଗର ଅଧିକାରୀମାନଙ୍କୁ ନେଇ ଜିଲ୍ଲାପାଳଙ୍କ ଦ୍ବାରା ଗଠିତ କମିଟି ତଦାରଖ କରିବେ। ତଳିଆ ଅଂଚଳର (ଲୋ ଲାଇନ୍ ଏରିଆ)ରେ ପାଉଁଶ ପୋତିବା ପାଇଁ ଅନୁମତି ଦିଆଯାଉଛି। ତାହାର ପରିଭାଷା ସ୍ଥିର ହୋଇନଥିବାରୁ ସମସ୍ୟା ହେଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସୁଦର୍ଶନ ହରିପାଲ, ବ୍ରଜକିଶୋର ପ୍ରଧାନ, ଟଙ୍କଧର ତ୍ରିପାଠୀ, ଭବାନୀଶଙ୍କର ଭୋଇ, ଯୋଗେଶ ସିଂ, ସି.ଏସ୍.ରାଜନ ଏକ୍କା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ, ସୁନ୍ଦରଗଡ଼ ସାଂସଦଙ୍କ ପ୍ରତିନିଧି ସୁକେଶୀ ଓରାମ, ଆର୍ଡିସି ସଚିନ କୁମାର ଯାଦବ, ପୁଲିସ ଆଇଜି ହିମାଂଶୁ ଲାଲଙ୍କ ସମେତ ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପ୍ରାଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।