କଟକ: ନକଲି ଡାକ୍ତରଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ସମସ୍ତ ପଞ୍ଜୀକୃତ ଡାକ୍ତରଙ୍କୁ ସେମାନଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ସେମାନଙ୍କ ଠାରୁ ମିଳିଥିବା ତଥ୍ୟକୁ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିକରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କର ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବିଶ୍ବବ୍ୟାଙ୍କ ସର୍ଭେ ରିପୋର୍ଟରୁ ଜଣାପଡ଼ିଥିଲା। ଫଳରେ, ରାଜ୍ୟରେ ଡାକ୍ତରୀ ପେସାରେ ଥିବା ସବୁ ଡାକ୍ତରଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ହାଇକୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ୨୦୨୨ ଡିସେମ୍ବର ୨୧ରେ ନିର୍ଦ୍ଦେଶ ଦେଇଥିଲେ। ୨୦୨୩ ଜାନୁଆରି ୨୫ରେ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ସରକାରୀ ମେଡିକାଲ କଲେଜ ଓ ସରକାରୀ ଡାକ୍ତରଖାନା ଗୁଡ଼ିକରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କ ପଞ୍ଜୀକରଣର ସ୍ଥିତି ଓ ନବୀକରଣ ପ୍ରସଂଗ ଯାଞ୍ଚ ପାଇଁ ଓଡ଼ିଶା କାଉନସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନ ପକ୍ଷରୁ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଡିଏମଇଟି, କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ଆରଜିଏଚ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଥିଲା। ସେହିଭଳି ଘରୋଇ ଡାକ୍ତରଖାନା ଗୁଡିକରେ କାର୍ଯ୍ୟରତ ଡାକ୍ତରଙ୍କ ପଞ୍ଜୀକରଣ ଯାଞ୍ଚ ପ୍ରସଂଗରେ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ସମସ୍ତ ସିଡିଏମଓ, ଡିଏମଇଟିଙ୍କୁ ୨୦୨୨, ଡିସେମ୍ବର ୨୬ରେ ଚିଠି ଲେଖା ଯାଇଥିଲା। ଏଥିସହିତ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁସାରେ ରାଜ୍ୟରେ ଡାକ୍ତରୀ ପେସାରେ ଥିବା ସବୁ ଏଲୋପାଥିକ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟ ପ୍ରମାଣପତ୍ର ଯାଞ୍ଚ ସବୁ ଜିଲ୍ଲା ସିଡିଏମଓ କରିବେ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।

Advertisment

ଏ ସଂପର୍କିତ ରିପୋର୍ଟ ସିଡିଏମଓଙ୍କ ତରଫରୁ ଓଡ଼ିଶା କାଉନସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନର ରେଜିଷ୍ଟ୍ରାରଙ୍କ ନିକଟରେ ଅଧିକ ଯାଞ୍ଚ ପାଇଁ ଦାଖଲ କରାଯିବ। ଯାଞ୍ଚ ପ୍ରକ୍ରିୟା ଅବଧି ପରେ ଯଦି କୌଣସି ଡାକ୍ତର ବୈଧ ପଞ୍ଜୀକରଣ ବିନା କାର୍ଯ୍ୟ କରୁଥିବା ଜଣାପଡ଼ିବ, ତା’ହେଲେ ସଂପୃକ୍ତ ଜିଲ୍ଲାର ସିଡିଏମଓ ଏ ନେଇ ଏତଲା ଦାୟର କରିବେ ବୋଲି ସରକାର ସତ୍ୟପାଠରେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସତ୍ୟପାଠର କପି ଆମିକସ୍ କ୍ୟୁରିଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରି ସତ୍ୟପାଠକୁ ଅନୁଧ୍ୟାନ କରି ପରବର୍ତ୍ତୀ ଶୁଣାଣି ସମୟରେ ଏହା ଉପରେ ପକ୍ଷ ରଖିବେ। ଆମିକସ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଏହି ମାମଲା ପରିଚାଳନା କରୁଛନ୍ତି। ଫେବ୍ରୁଆରି ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଉଲ୍ଲେଖଯୋଗ୍ୟ ଯେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବାକୁ କଣ କୌଶଳ ରହିଛି ଏବଂ ରାଜ୍ୟରେ ଏପରି କିଛି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି କି ନାହିଁ, ସେ ନେଇ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ୨୦୨୩, ଜୁନ ୨୨ରେ ନିର୍ଦ୍ଦେଶ ଦେଇଥିଲେ।