ଅନୁଗୁଳ: ତାଳଚେର ଖଣି ଅଞ୍ଚଳରେ ଚାଲିଥିବା ଆନ୍ଦୋଳନ ରୋକିବା ପାଇଁ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏମ୍ସିଏଲ୍ ଦ୍ବାରା ଚାଲିଥିବା କୋଇଲା ଖନନ ଓ ପରିବହନ ବ୍ୟବସ୍ଥାରେ ଅତ୍ୟାବଶ୍ୟକ ସେବା ଆଇନ୍ (ଏସ୍ମା) ଲାଗୁ କରାଯାଇଛି। ଆସନ୍ତା ୬ ମାସ ପାଇଁ ଏହା ବଳବତ୍ତର ରହିବ। ଆଜି ସରକାରଙ୍କ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। 
ବିଜ୍ଞପ୍ତି ଅନୁସାରେ, କର୍ମଚାରୀ ଓ ବିଭିନ୍ନ ସଂଗଠନର ଆନ୍ଦୋଳନ ପାଇଁ କୋଇଲା ଉତ୍ତୋଳନ ଏବଂ ପରିବହନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଥର୍ମାଲ ପାୱାର ପ୍ଲାଣ୍ଟଗୁଡ଼ିକୁ କୋଇଲା ପହଞ୍ଚିପାରୁନି। ଏଥିପାଇଁ ଏନ୍ଟିପିସିର ପାୱାର ପ୍ଲାଣ୍ଟ ସହ ଅନ୍ୟ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏଣୁ ଖଣି ଅଞ୍ଚଳରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ଅତ୍ୟାବଶ୍ୟକ ସେବା ଆଇନ୍ ଲାଗୁ କରିଛନ୍ତି। ତାଳଚେରର ସମସ୍ତ କୋଇଲା ଖଣି ଅଞ୍ଚଳରେ ଏହା ଲାଗୁ ହୋଇଛି।
ଏସ୍ମା ଲାଗୁ ହେବା ପରେ ଆଉ କର୍ମଚାରୀ କିମ୍ବା ଶ୍ରମିକ ଧର୍ମଘଟ କରିପାରିବେନି। କୋଇଲା ଉତ୍ତୋଳନ ଓ ପରିବହନରେ ମଧ୍ୟ କେହି ବାଧା ଦେଇ ପାରିବେ ନାହିଁ। ଏହି ଆଇନ୍ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୁଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟ ସଂପାଦନରୁ ବିନା ଅନୁମତିରେ ଅନୁପସ୍ଥିତ ରହିବାକୁ ମଧ୍ୟ ଆନ୍ଦୋଳନ ଭାବେ ଗ୍ରହଣ କରାଯିବ। ଆନ୍ଦୋଳନ କରୁଥିବା ଓ ଆନ୍ଦୋଳନକୁ ପ୍ରବର୍ତ୍ତାଇବାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରି ସେମାନଙ୍କୁ ବିନା ୱାରେଣ୍ଟରେ ଗିରଫ କରିପାରିବ ବୋଲି ପୁଲିସ କହିଛି। ସେହିପରି କାର୍ଯ୍ୟରେ ଅସହଯୋଗ କରୁଥିବା କର୍ମଚାରୀଙ୍କୁ ଛଟେଇ କରିବାର ପ୍ରାବଧାନ ରହିଛି।
ବିନା ଅନୁମତିରେ ଅନୁପସ୍ଥିତ ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଦୋଷ ଲୁଚାଇବା ପାଇଁ ଦମନମୂଳକ ନିଷ୍ପତ୍ତି: ବିଧାୟକ
ସୂଚନାଯୋଗ୍ୟ, ତାଳଚେର କୋଇଲା ଖଣିର ଠିକା ଶ୍ରମିକ ସଂଗଠନ ପକ୍ଷରୁ ଗତ ୧୪ ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। କିଛି ଠିକା ଶ୍ରମିକମାନଙ୍କୁ ଆକ୍ରମଣ ହେବା ପରେ ସେମାନେ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିପାଇଁ ସମସ୍ତ ୯ଟି ଯାକ କୋଇଲା ଖଣିରେ କୋଇଲା ଓ ପରିବହନ ଏକପ୍ରକାର ବନ୍ଦ ହୋଇଯାଇଛି। ଏଥିପାଇଁ ଏନ୍ଟିପିସି ସମେତ ଅନ୍ୟ ତାପଜ ବିଦ୍ୟୁତ୍ କେନ୍ଦ୍ରରେ କୋଇଲା ସଙ୍କଟ ସୃଷ୍ଟି ହୋଇଛି। ଏପରିକି ବିଦ୍ୟୁତ୍ ଉତ୍ପାଦନ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏପଟେ ଠିକା ଶ୍ରମିକମାନେ ଆନ୍ଦୋଳନରୁ ହଟୁ ନଥିବାରୁ ସରକାର ବାଧ୍ୟ ହୋଇ ଏସ୍ମା ଲାଗୁ କରିଛନ୍ତି। ହେଲେ ଏହାକୁ ସମାଲୋଚନା କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ସେ କହିଛନ୍ତି, ସରକାର ଶ୍ରମିକମାନଙ୍କର ମୂଳ ସମସ୍ୟାର ସମାଧାନ ନ କରି ଏମିତି ଅଗାଣତାନ୍ତ୍ରିକ ଭାବେ ଏସ୍ମା ଲାଗୁ କରିବା ଠିକ୍ ହୋଇନି। ଆଗରୁ ଶ୍ରମିକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିଲା ବେଳେ ସରକାର ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରୁଥିଲେ। କିନ୍ତୁ ସରକାର ଏବେ ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏମିତି ଦମନମୂଳକ ନିଷ୍ପତ୍ତି ନେଇଛନ୍ତି। ଏହା ଠିକ୍ ହେଲାନି ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି। ଏପଟେ ଏସ୍ମା ଲାଗୁ ହେଲା ପରେ ବିଭିନ୍ନ ଶ୍ରମିକ ସଂଗଠନ ଭିତରେ ମନ୍ତ୍ରଣା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Strip_coal_mining-1.jpg)
