ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୧ତାରିଖରୁ ଚାରି ଚକିଆ ଏବଂ ଏହାଠାରୁ ବଡ଼ ଗାଡ଼ିରେ ଜିପିଏସ୍‌ (ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଲାଗିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ଘରୋଇ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଗାଡ଼ିରେ ଏହା ଲାଗିବ। ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ମୋଟର ଯାନ ନିୟମ ୧୯୮୮ର ଧାରା ୫୯ ଅନୁଯାୟୀ, ଯେଉଁ ଗାଡ଼ି ଚାଲିବା ପାଇଁ ଆରଟିଓରୁ ପରମିଟ୍‌ ସାର୍ଟିଫିକେଟ୍‌ ନେଉଛନ୍ତି ସେମାନେ ଗାଡ଼ିରେ ଜିପିଏସ୍‌ ଲଗାଇବେ।

Advertisment

ଚାରି ଚକିଆ ଏବଂ ଏହାଠାରୁ ବଡ଼ ଗାଡ଼ିରେ ଜିପିଏସ୍‌ ଲାଗିଛି କି ନାହିଁ ସେନେଇ ଚେକିଂ କଡ଼ାକଡ଼ି କରିବା ସହ ପ୍ରତ୍ୟେକ ଗାଡ଼ିରେ ଯେପରି ଏହା ଲାଗିବ ସେନେଇ ନିଶ୍ଚିତ କରିବାକୁ ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୨ ଏବଂ ଉପଧାରା ୩୫ ଅନୁଯାୟୀ, ପ୍ରତ୍ୟେକ ଗାଡ଼ିର ସ୍ଥିତି ଜାଣିବା ଏବଂ ଜରୁରୀକାଳୀନ ସୁଇଚ୍‌ ଲଗାଇବା ନିୟମ ଅଛି। କେବଳ ଦୁଇ ଚକିଆ, ତିନି ଚକିଆ ଗାଡ଼ି ଏବଂ ଇ-ରିକ୍ସାରେ ଜିପିଏସ୍‌ ଲଗାଇବା ବାଧ୍ୟତାମୂଳକ ନୁହେଁ। ଏହାକୁ ଏପ୍ରିଲ ୧ରୁ କାର୍ଯ୍ୟକାରୀ କରାଯିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଭୁବନେଶ୍ୱର ଆରଟିଓ -୧ ପ୍ରଦୀପ ମହାନ୍ତିଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତିି ଯେ, ପ୍ରତ୍ୟେକ ଗାଡ଼ିରେ ଜିପିଏସ୍‌ ଲଗାଇବା ଏବଂ ଜରୁରୀକାଳୀନ ସୁଇଚ୍‌ ଲାଗିଛି କି ନାହିଁ ତାହାକୁ ଏପ୍ରିଲ ୧ରୁ ଯାଞ୍ଚ କରିବାକୁ ଆମକୁ ନିର୍ଦ୍ଦେଶନାମା ଆସିଛି। ଜିପିଏସ୍‌ ଲାଗିଲେ ଯେ କେହିବି ନିଜ ଗାଡ଼ିର ସ୍ଥିତି ଯେକୌଣସି ମୁହୂର୍ତ୍ତରେ ଜାଣିପାରିବେ। ଏହାଦ୍ୱାରା ଗାଡ଼ି ଚୋରି ଭୟ ଆଉ ରହିବନି। ଗାଡ଼ି ମାଲିକମାନେ ନିଜ ମୋବାଇଲ ମାଧ୍ୟମରେ ଗାଡ଼ିକୁ ଟ୍ରାକିଂ କରିପାରିବେ। ସେହିପରି ଟ୍ୟାକ୍ସି ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଗାଡ଼ିରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଜରୁରୀକାଳୀନ ସୁଇଚ୍‌ ଚିପିଲେ ପୁଲିସ ସହାୟତା ପାଇପାରିବେ।