ଅଯୋଗ୍ୟ ସଂସ୍ଥାକୁ ଓର୍‌ମାସ୍‌ର ଅନୁଗ୍ରହ

୫ ଘରୋଇ ସଂସ୍ଥାକୁ ୧୧ କୋଟି ଅଧିକ ଅର୍ଥ ପ୍ରଦାନ
ଛତ୍ରପୁର ଜମିଅଧିଗ୍ରହଣ ଅଧିକାରୀଙ୍କ ତ୍ରୁଟି, ସରକାର ଦେଲେ ୨୯ କୋଟି ଅଧିକ

ଭୁବନେଶ୍ବର : ଜାତୀୟ ଗ୍ରାମୀଣ ଜୀବିକା ମିସନର ଏକ ଅଂଶ ସ୍ବରୂପ ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜିକେୱାଇ) କାର୍ଯ୍ୟକାରୀ ହେଉଛି। ଏଥିରେ ଗ୍ରାମୀଣ ଯୁବାଙ୍କୁ କୌଶଳ ପ୍ରଦାନ ଓ ସେମାନଙ୍କୁ ନିୟମିତ ମାସିକ ମଜୁରି ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି। ଓଡ଼ିଶାରେ ଉକ୍ତ ଯୋଜନା କାର୍ଯ୍ୟାନ୍ବୟନର ଦାୟିତ୍ବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓର୍‌ମାସ୍) ହାତରେ ନ୍ୟସ୍ତ କରାଯାଇଛି। ନିଯୁକ୍ତି ସଂପର୍କିତ କୌଶଳ ବିକାଶ ପାଠ୍ୟକ୍ରମରେ ପ୍ରଶିକ୍ଷଣ ଦେବା ଓ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଓର୍‌ମାସ୍‌ ବେସରକାରୀ କ୍ଷେତ୍ରରେ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ବା ପିଆଇଏକୁ ନିୟୋଜିତ କରିଥିଲା। ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଓର୍‌ମାସ୍ ବ୍ୟାପକ ତ୍ରୁଟି କରିଛି। ପ୍ରକଳ୍ପର ଆବଶ୍ୟକୀୟ ଗୁଣବତ୍ତାର ମୂଲ୍ୟାଙ୍କନକୁ ପରିକଳ୍ପନା ନକରି ତାଲିମ ପ୍ରକଳ୍ପକୁ ଅନୁମୋଦନ କରିବା, ଯୋଗ୍ୟତା ନଥିବା ସଂସ୍ଥା ଗୁଡ଼ିକୁ ଅଧିକ ମୂଲ୍ୟର ପ୍ରକଳ୍ପ ପ୍ରଦାନ, ସନ୍ଦେହାତ୍ମକ କାର୍ଯ୍ୟଦକ୍ଷତା ଥିବା ବେସରକାରୀ ସଂସ୍ଥାକୁ ଅନିୟମିତ ଭାବେ ପ୍ରକଳ୍ପ ଅନୁମୋଦନ ଏବଂ ପ୍ରକୃତ କାର୍ଯ୍ୟଦକ୍ଷତାକୁ ଯାଞ୍ଚ ନକରି ଅଧିକ କାର୍ଯ୍ୟଦକ୍ଷତା ରିପୋର୍ଟ ଦାଖଲ କରିଥିବା ସଂସ୍ଥାଗୁଡ଼ିକୁ ଅନୁଚିତ ଅନୁଗ୍ରହ ଦେଖାଯାଇ ପ୍ରକଳ୍ପ ପ୍ରଦାନ କରାଯାଇଛି। ଏଥିସହିତ ପ୍ରାର୍ଥୀମାନଙ୍କର ତାଲିମ ନେବା ଆଧାରରେ ପିଆଇଏଗୁଡ଼ିକୁ ଅଗ୍ରିମ ମଞ୍ଜୁର କରାଯାଇଥାଏ। ୩.୩୦ କୋଟି ଟଙ୍କା ପାଇବାକୁ ଯୋଗ୍ୟ ଥିବା ଗୋଟିଏ ପିଆଇଏକୁ ତାଲିମ ପ୍ରକଳ୍ପର କାର୍ଯ୍ୟାନ୍ବୟନ ପାଇଁ ଓର୍‌ମାସ୍‌ ୬.୬୦ କୋଟି ଟଙ୍କା ଅଗ୍ରିମ ପ୍ରଦାନ କରିଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।

କେବଳ ସେତିକି ‌ନୁହେଁ, ତାଲିମ ପ୍ରଦାନରେ ହୋଇଥିବା ଅନ୍ୟ ଏକ କେଳେଙ୍କାରୀକୁ ମଧ୍ୟ ସିଏଜି ଧରିଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର କର୍ମଚାରୀ ଭବିଷ୍ୟନିଧି ସଂଗଠନର ୱେବସାଇଟ୍‌ରେ ଥିବା ପ୍ରାର୍ଥୀଙ୍କର ନିଯୁକ୍ତି ତଥ୍ୟ ସହିତ ପ୍ରାର୍ଥୀମାନଙ୍କର ତାଲିମ ତଥ୍ୟର ପୁନଃଯାଞ୍ଚରୁ ଜଣାଯାଇଛି ଯେ ୫୫ ପ୍ରତିଶତ ପାର୍ଥୀ ସେମାନଙ୍କର ତାଲିମ ସମୟରେ ନିଯୁକ୍ତି ପାଇ ସାରିଥିଲେ। ତେଣୁ ଦର୍ଶାଯାଇଥିବା ନିଯୁକ୍ତି ସଂଖ୍ୟାର ବି‌ଶ୍ବସନୀୟତା ସନ୍ଦେହଜନକ। ସେହିଭଳି ୧୨ଟି ପିଆଇଏ ଦ୍ବାରା ନିଯୁକ୍ତି ଦିଆଯାଇଥିବା ତଥ୍ୟ ନଥିର ନମୁନା ଯାଞ୍ଚରୁ ଦେଖାଯାଇଛି ଯେ ତି‌ନିଟି ପିଆଇଏ ଦ୍ବାରା ପ୍ରଦତ୍ତ ୨୩ ପ୍ରତିଶତ ପାର୍ଥୀଙ୍କର ବ୍ୟାଙ୍କ ବିବରଣୀ, ବ୍ୟାଙ୍କ ପାସବୁକ୍ ଗୁଡ଼ିକର ପ୍ରାମାଣିକତା ସନ୍ଦେହଜନକ ରହିଛି। ୫ଟି ପିଆଇଏକୁ ୧୦.୮୩ କୋଟି ଟଙ୍କା ଅଧିକ ପ୍ରଦାନ କରାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।

ଏଥିସହିତ ରାଜ୍ୟରେ ହୋଇଥିବା ଅନ୍ୟାନ୍ୟ ଅନିୟମିତତା ଓ ଦୁର୍ନୀତି ଆଦିକୁ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଜମି ଅଧିଗ୍ରହଣ ଅଧିକାରୀ, ଛତ୍ରପୁରଙ୍କ ଦ୍ବାରା ଜମିର ବଜାର ମୂଲ୍ୟ ନିର୍ଦ୍ଧାରଣର ତାରିଖକୁ ଭୁଲଭାବେ ଲାଗୁ କରିବାରୁ ୨୯.୪୫ କୋଟି ଟଙ୍କାର ଅଧିକ କ୍ଷତିପୂରଣ ଦେବାକୁ ପଡ଼ିଛି।

ବିଡିଏ, ବିଏମ୍‌ସିରେ ଦୁର୍ନୀତି
ସିଏଜି ତାଙ୍କ ରିପୋର୍ଟରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଦୁର୍ନୀତିକୁ ଧରିଛନ୍ତି। ଚୁକ୍ତିନାମା ଉଲ୍ଲଂଘନ କରିଥିବା କରିଥିବା ସତ୍ତ୍ବେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଭିଏଫଏସ ଗ୍ଲୋବାଲ ସର୍ଭିସେସ୍ ଲିମିଟେଡର ଚୁକ୍ତିକୁ ନାଁ ବାତିଲ କରିଥିଲେ ନା ବକେୟା ଅର୍ଥକୁ ବ୍ୟାଜ୍ୟାପ୍ତି କରିଥି‌ଲେ। ଏଥିପାଇଁ ୨.୬୨ କୋଟି ଟଙ୍କାର ନିଷ୍ଫଳ ଖର୍ଚ୍ଚ ହୋଇଥିଲା। ସେହିଭଳି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ର ନବ ନିର୍ମିତ ଫଳ ବଜାର ନିକଟରେ ଟ୍ରାନ୍ସଫର୍ମର ସ୍ଥାପନା ପାଇଁ ସ୍ଥାନ ଉପଲବ୍ଧ ନଥିବାରୁ ବିଦ୍ୟୁତ୍‌ ଯୋଗାଣ କରାଯାଇ ପାରି ନଥିଲା। ଏଥିପାଇଁ ୭୮ଟି ଦୋକାନ ଭଡ଼ା ସୂତ୍ରରେ ବଣ୍ଟନ କରାପାଇ ପାରି ନଥିଲା। ଫଳରେ ୧.୧୩ କୋଟି ଟଙ୍କାର ରାଜସ୍ବ ହାନି ହୋଇଛି। ସେତିକି ନୁହେଁ, ଟିମ୍ ଆଡ୍‌ମାର୍କ ବିଜ୍ଞାପନ ଏଜେନ୍ସିକୁ ମଧ୍ୟ ବିଏମ୍‌ସି ଅନୁଚିତ ଅନୁଗ୍ରହ ପ୍ରଦାନ କରିଛି। ଲାଇସେନ୍ସ ଦେୟ ଓ ତାହା ଉପରେ ସୁଧ ପ୍ରଦାନ କରିବାରେ ଏହି ସଂସ୍ଥାର ବିଫଳତା ସତ୍ତ୍ବେ ବିଏମ୍‌ସି ଏହା ସହିତ ଚୁକ୍ତିନାମା ରଦ୍ଦ କରି ନଥିଲା କିମ୍ବା ବ୍ୟାଙ୍କ ଗ୍ୟାରେଣ୍ଟିକୁ ନଗଦରେ ପରିଣତ କରି ନଥିଲା। ଏହିପରି ଭାବେ ବିଜ୍ଞାପନ ସଂସ୍ଥାଠାରୁ ବକେୟା ୧୩.୦୨ କୋଟି ଟଙ୍କା ଆଦାୟ ସମ୍ଭାବନା କ୍ଷୀଣ ଥିଲା।

ପୋଲ ନିର୍ମାଣରେ ୪.୨୨ କୋଟି ଅପବ୍ୟୟ
ମନ ଇଚ୍ଛା ୨ଟି ‌ପୋଲ ନିର୍ମାଣ କରିବା ଫଳରେ କାମକୁ ଅଧାରୁ ବନ୍ଦ କରିବାକୁ ପଡ଼ିଛି। ଏହାଫଳରେ ରାଜକୋଷର ୪.୨୨ କୋଟି ଟଙ୍କା ଅପଚୟ ହୋଇଛି। ଭାରତର ଆଭ୍ୟନ୍ତରୀଣ ଜଳପଥ କର୍ତ୍ତୃପକ୍ଷଙ୍କ ଦ୍ବାରା ଗଠିତ ଭୂଲମ୍ବ ଓ ଭୂସମାନ୍ତର ବିକାଶ ନିୟମାବଳୀକୁ ନମାନି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶାବଳୀକୁ ଅନୁକରଣ ନକରି ଏହି ପୋଲ ଦୁଇଟି ନିର୍ମାଣ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିଲା ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୫.୯୬ କୋଟିର ନିରର୍ଥକ ବ୍ୟୟ
ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଭବନ ପାଇଁ କର୍ମ ସମ୍ପାଦନ ଯୋଜନା ପ୍ରସ୍ତୁତ ନକରି ନିର୍ମାଣ କାର୍ଯ୍ୟ କରାଯିବା ଫଳରେ କୋଠାଘରଟି ଅବ୍ୟବହୃତ ହୋଇ ରହିଥିଲା। ନିର୍ମାଣରେ ଖର୍ଚ୍ଚ ହୋଇଥିବା ୫.୯୬ କୋଟି ଟଙ୍କା ନିରର୍ଥକ ହୋଇଥିଲା।

ଜେଆଇଟିପିଏଲ୍‌କୁ ୨.୩ କୋଟିର ଅନୁଚିତ ଅନୁକମ୍ପା
ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ (ଜେଆଇଟିପିଏଲ୍‌) ଜମିର ଅନଧିକୃତ ଦଖଲକାରୀ ହୋଇଥିବା ସତ୍ତ୍ବେ ଅନୁ‌ଗୁଳ ଜିଲ୍ଲାପାଳ ୨୦୧୭ ନଭେମ୍ବରରେ ଓଡ଼ିଶା ଶିଳ୍ପ ବିକାଶ ନିଗମ ସପକ୍ଷରେ ୧୨ ଏକର ସରକାରୀ ଜମି ଲିଜ୍‌ ସୂତ୍ରରେ ମଞ୍ଜୁର କରିଥିଲେ। ଯାହାକି ୩.୦୩ କୋଟି ଟଙ୍କା ପରିବର୍ତ୍ତେ ୭୨.୯୫ ଲକ୍ଷ ଟଙ୍କାର ରିହାତି ମୂଲ୍ୟରେ ଜେଆଇଟିପିଏଲ୍‌କୁ ପରବର୍ତ୍ତୀ ସମୟରେ ସ୍ଥାନାନ୍ତର ହୋଇଥିଲା। ଏଣୁ ଜେଆଇଟିପିଏଲ୍‌କୁ ଏହି ଲିଜ୍ ମଞ୍ଜୁରିରେ ୨.୩୦ କୋଟି ଟଙ୍କାର ଅନୁଚିତ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର