ଗ୍ରାଜୁଏଟ୍‌ ଝିଅ ବି ଦାଦନ : ଆନ୍ଧ୍ରରୁ ଫେରି ବାପା, ମା’ଙ୍କ ପାଇଁ ସଂଘର୍ଷ କରୁଛନ୍ତି

ବଲାଙ୍ଗୀର : ଦାନା ପାଇଁ ଏଠି ଦାଦନ ହୁଏ ମଣିଷ। ବଂଚିବା ପାଇଁ ସଂଘର୍ଷ କରିଥାଏ ଗରିବ ପରିବାର। ବଲାଙ୍ଗୀର ଉପଖଣ୍ଡ ଲଖପାଲି ଗାଁର ଗ୍ରାଜୁଏଟ ଝିଅ ଦାଦନ ହେବାର କାହାଣୀ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ବାପା, ମା’ଙ୍କୁ ଦାଦନ ଯିବାକୁ ଦେବେନି କହି ପଣ କରିଥିବା ଅଲିଅଳ ଝିଅ ସୁଷମା ପାଠ ପଢ଼ିଥିଲେ। ଗ୍ରାଜୁଏଟ ବି ହୋଇଥିଲେ। ହେଲେ ଗ୍ରାଜୁଏଟ ଝିଅ ରୋଜଗାର ନପାଇ ପରିସ୍ଥିତିର ଚାପରେ ପଡ଼ି ବାପା, ମାଙ୍କ ସହ ନିଜେ ଦାଦନ ହୋଇଗଲେ। ଆଉ ଏବେ କରୋନା ଲକ୍‌ଡାଉନ୍‌ ସମୟରେ ଗାଁକୁ ଫେରି ବାପା, ମା’ଙ୍କ ପେଟକୁ ଦାନା ଗଣ୍ଡାଏ ଯୋଗାଇବା ପାଇଁ ନିଜେ ସଂଘର୍ଷ କରୁଛନ୍ତି।

ବଲାଙ୍ଗୀର ନିକଟସ୍ଥ ଲଖପାଲି ଗାଁର ଇନ୍ଦ୍ର ନାଗ। ସ୍ତ୍ରୀ ବିଜୟା ଓ ଝିଅ ସୁଷମାଙ୍କୁ ନେଇ ତାଙ୍କ ସଂସାର। ଏକ ଇନ୍ଦିରାଆବାସ ଘର ପାଇ ପରିବାର ଲୋକ ରହୁଛନ୍ତି।ଏଇ ଘର ଖଣ୍ଡିକ ଛାଡ଼ିଦେଲେ ତାଙ୍କ ପାଖରେ ଆଉ କିଛି ସମ୍ବଳ ନାହିଁ। ଇନ୍ଦ୍ର ଓ ବିଜୟାଙ୍କ ଚାରି ଝିଅ ଥିଲେ। ହେଲେ ଦାରିଦ୍ର୍ୟ ଯୋଗୁଁ ସ୍ୱାସ୍ଥ୍ୟସେବା ଯୋଗାଇ ନପାରି ତିନି ଝିଅ ବାଲ୍ୟାବସ୍ଥାରୁ ଆଖି ବୁଜି ଦେଇଥିଲେ। ସୁଷମା ହିଁ ଏକମାତ୍ର ଝିଅ ତାଙ୍କର ଏବେ ସାହାଭରସା। ଝିଅକୁ ପାଠ ପଢ଼ାଇ ଚାକିରି କରାଇବେ ବୋଲି ସ୍ବପ୍ନ ଦେଖିଥିଲେ ବାପା, ମା। ଦିନକୁ ଦୁଇଓଳି ଖାଦ୍ୟ ଯୋଗାଡ଼ ପାଇଁ ବାପା, ମା ସଂଘର୍ଷ କରୁଥିଲେ। ବର୍ଷକୁ ଆଠମାସ ଝିଅକୁ ଛାଡ଼ି ଦାଦନ ଯାଉଥିଲେ। ସ୍କୁଲରୁ ନେଇ କଲେଜ ଯାଏ ସଂପର୍କୀୟ ଘରେ ରହି ଝିଅ ସୁଷମା ପାଠ ପଢ଼ିଥିଲେ। ଯେତେ ସମସ୍ୟା ଆସିଲେ ବି ସେ ହାର୍‌ ମାନିନଥିଲେ। ବହୁ ବର୍ଷ କଷ୍ଟରେ ପାଠ ପଢ଼ି ଗ୍ରାଜୁଏଟ ହୋଇଥିଲେ ସୁଷମା। ଖୁସିରେ ବିଭୋର ହୋଇଯାଇଥିଲେ। ଭାବିଥିଲେ ଏଥର ସେ କାମ ପାଇବେ। ବାପା, ମାଙ୍କ ପାଇଁ ଦୁଇମୁଠା ଖାଦ୍ୟ ଯୋଗାଡ଼ କରିପାରିବେ। ଦାଦନ ଯିବା ବନ୍ଦ କରି ସେ ବାପା, ମା’ଙ୍କ ସହ ଘରେ ରହିବେ। ହେଲେ ସରକାରୀ ବ୍ୟବସ୍ଥା ଏହି ଗରିବ ଝିଅକୁ କାମଟିଏ ଦେଇ ପାରିନଥିଲା। ଶେଷରେ ପରିସ୍ଥିତିରେ ପଡ଼ି ବାଧ୍ୟ ହୋଇ ବାପା, ମା ସହ ନିଜେ ଦାଦନ ଖଟିବାକୁ ଯାଇଥିଲେ। ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରୁ ସରକାରୀ ବ୍ୟବସ୍ଥାରେ ଉଦ୍ଧାର ହୋଇ ଏବେ ଇନ୍ଦ୍ରଙ୍କ ପରିବାର ଗାଁକୁ ଫେରିଛନ୍ତି। ସାତଦିନ ସଂଗରୋଧ କେନ୍ଦ୍ରରେ ରହି ନିଜ ଘରକୁ ଫେରିଛନ୍ତି।

ସରକାରଙ୍କ ସଂଗରୋଧରେ ରହିବା ପରର ଦୁଇ ହଜାର ଟଙ୍କା ସହାୟତା ପାଇ ନାହାନ୍ତି। ଏପଟେ କରୋନା କଟକଣାରେ କାମଟିଏ ବି ପାଇପାରୁ ନାହାନ୍ତି। ହାତରେ କାମ ନାହିଁ, ପେଟରେ ଦାନା ନାହିଁ। ସେସବୁ ଯାହା ହେଉନା କାହିଁକି ସୁଷମା କହିଛନ୍ତି, ସଂଘର୍ଷ କଲେ ବି ଏଠି କାମ ନାହିଁ। ଫଳରେ ସେ ଦାଦନ ହୋଇ ଯାଇଥିଲେ। ଏବେ ଫେରିବା ପରେ ବି କାହାର ସହାୟତା ନାହିଁ। ଯେତକ ଖାଦ୍ୟ ପେଟକୁ ଦରକାର ତାହା ବି ତାଙ୍କ ପରିବାର ପାଖରେ ନାହିଁ। ଦାରିଦ୍ର୍ୟ ସାଙ୍ଗକୁ କରୋନା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛି ବୋଲି କହିଛନ୍ତି। ଏହି ପରିବାରକୁ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର

Comments are closed.