ଗ୍ରାହାମ ଷ୍ଟେନ୍‌ସ ଓ ଦୁଇ ଶିଶୁପୁତ୍ରଙ୍କୁ ପୋଡ଼ି ହତ୍ୟା ମାମଲା : ୨୦ ବର୍ଷ ପରେ ଦାରା ସି˚ର ସହଯୋଗୀ ଗିରଫ, ଭୁବନେଶ୍ବର ଆଣିଲା ସିବିଆଇ ଟିମ୍‌

ଠାକୁରମୁଣ୍ତା : ବହୁ ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ ଷ୍ଟେନ୍‌ସ ଓ ତାଙ୍କ ଦୁଇ ଶିଶୁପୁତ୍ରର ହତ୍ୟା ମାମଲାରେ ଜଡ଼ିତ ଥିବା ଦାରା ସି˚ର ଜଣେ ଘନିଷ୍ଠ ସହଯୋଗୀକୁ ଦୀର୍ଘ ୨୦ ବର୍ଷ ପରେ ସିବିଆଇ ଗିରଫ କରିଛି। ଅଭିଯୁକ୍ତ ହେଉଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ଭରଣ୍ଡିଆ ପଞ୍ଚାୟତ ନିଶ୍ଚିତପୁର ଗ୍ରାମର ବୁଦ୍ଧଦେବ ନାଏକ(୪୫)। ଏହି ଗିରଫଦାରୀ ପରେ ଏହି ଘଟଣା ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛି।

ନିଶ୍ଚିତପୁର ଗ୍ରାମରେ ଥିବା ନିଜ ଘରେ ବୁଦ୍ଧଦେବ ରହିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ କୋଲକାତାରୁ ଆସିଥିବା ସିବିଆଇ ଟିମ୍ ଚଢ଼ଉ କରି ବୁଦ୍ଧଦେବକୁ ଗିରଫ କରିଥିଲା। ଆଜି ସକାଳେ ତାକୁ ଠାକୁରମୁଣ୍ଡା ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସିବିଆଇ ଅଧିକାରୀମାନେ ଆଣିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ପରେ ତାକୁ ସିବିଆଇ ଭୁବନେଶ୍ବର ନେଇ ଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମରେ ଗ୍ରାହାମ ଷ୍ଟେନ୍‌ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀବନ୍ତ ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିଲା। ଏହ‌ି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜା କାଟୁଥିବା ବେଳେ ଏହି ଘଟଣାକୁ ପ୍ରାୟ ଅନେକେ ଭୁଲି ଯାଇଥିଲେ। ଏହି ଜଘନ୍ୟ ହତ୍ୟା ମାମଲାରେ ବୁଦ୍ଧଦେବ ଦାରା ସିଂର ଘନିଷ୍ଠ ସହଯୋଗୀ ଥିଲା। ମାତ୍ର ସିବିଆଇ ନଜରରେ ସେ ଫେରାର୍‌ ଥିଲା। ଆଉ ଗିରଫ ଭୟ ନ ଥିବା ଭାବି ବୁଦ୍ଧଦେବ ତା’ର ନିଜ ଘରେ ରହି ଆସୁଥିଲା। ଆଜି ବୁଦ୍ଧଦେବର ଗିରଫଦାରୀ ପରେ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର