କେନ୍ଦୁଝର: ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମ ଆଜି ଜେଲ୍ରୁ ମୁକ୍ତି ପାଇଛନ୍ତି। ନିଜ ଆଚରଣ ଓ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିବାରୁ ମହେନ୍ଦ୍ରଙ୍କୁ ମୁକ୍ତ କରାଯାଇଛି। ତାଙ୍କ ମୁକ୍ତି ପରେ ଏହି ମାମଲାର ଏକମାତ୍ର ବନ୍ଦୀ ଦାରା ସିଂହଙ୍କ ମୁକ୍ତି ପାଇଁ ବାଟ ଖୋଲିଛି।
୧୯୯୯ ଜାନୁଆରି ୨୧ରେ ଦାରା ଓ ତାଙ୍କର କିଛି ସମର୍ଥକ ଆନନ୍ଦପୁର ବ୍ଲକ୍ ମନୋହରପୁରରେ ଅଷ୍ଟ୍ରେଲିଆରୁ ଆସିଥିବା ଧର୍ମ ପ୍ରଚାରକ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କର ଦୁଇପୁଅ ଫିଲିପ୍ ଓ ତିମୋଥିଙ୍କୁ ଗାଡ଼ି ଭିତରେ ଶୋଇଥିବା ବେଳେ ଜିଅନ୍ତା ଜାଳି ଦେଇଥିଲେ। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମନୋହରପୁର ଗ୍ରାମର ମହେନ୍ଦ୍ର ହେମ୍ବ୍ରମ ୧୯୯୯ରେ ଗିରଫ ହୋଇଥିବାବେଳେ ଦାରା ୨୦୦୦ ମସିହା ୩୧ ଜାନୁଆରିରେ ଗିରଫ ହୋଇଥିଲେ। ମହେନ୍ଦ୍ରଙ୍କୁ ପ୍ରଥମେ ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ରଖାଯାଇଥିଲା।
୨୦୦୩ ସେପ୍ଟେମ୍ବର ୨୨ରେ ତାଙ୍କୁ ଆଜୀବନ ଜେଲ୍ ହୋଇଥିଲା। ତାଙ୍କୁ ଝାରପଡ଼ା ଜେଲ୍ରୁ ଜାମୁଝରୀ ମୁକ୍ତାକାଶ ଜେଲ୍, କଟକ, ବ୍ରହ୍ମପୁର, ବାରିପଦା, ଆନନ୍ଦପୁର ସବ୍ଜେଲ୍ ପରେ କେନ୍ଦୁଝର ଜେଲ୍କୁ ୨୦୧୧ରେ ସ୍ଥାନାନ୍ତର କରାଯାଇଥିଲା। ଏହି ମାମଲାରେ ମୋଟ ୧୩ ଜଣ ଗିରଫ ହୋଇଥିଲେ। ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା ଏବଂ ୧୧ ଜଣ ହାଇକୋର୍ଟରୁ ମୁକ୍ତି ପାଇଥିଲେ। ମହେନ୍ଦ୍ର ହେମ୍ବ୍ରମଙ୍କ ଆଜୀବନ ଦଣ୍ଡାଦେଶ କାଏମ ରହିଥିଲା। ରବୀନ୍ଦ୍ର କୁମାର ପାଲ୍ ଓରଫ ଦାରା ସିଂଙ୍କୁ ସେପ୍ଟେମ୍ବର ୨୦୦୩ରେ ଭୁବନେଶ୍ୱର ସିବିଆଇ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ୨୦୦୫ରେ ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ସେବେଠାରୁ ଦାରା ଓ ମହେନ୍ଦ୍ର କେନ୍ଦୁଝର ଜେଲ୍ରେ ଥିଲେ। ଆଚରଣରେ ସୁଧାର ଆସିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ସରକାରଙ୍କ ଗୃହ ଓ ଆଇନ ବିଭାଗର ପରାମର୍ଶକ୍ରମେ ସରକାରଙ୍କ ନିକଟକୁ ମହେନ୍ଦ୍ରଙ୍କ ମୁକ୍ତି ପାଇଁ ପ୍ରସ୍ତାବ ପଠାଯାଇଥିଲା। ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ ଆଇନ ବିଭାଗର ଅନୁମୋଦନ ପରେ ମହେନ୍ଦ୍ର (୫୦)ଙ୍କୁ ଅବଧି ପୂର୍ବରୁ ମୁକ୍ତ (ପ୍ରିମାଚ୍ୟୁର ରିଲିଜ୍) କରାଯାଇଛି। ଷ୍ଟେଟ୍ ସେଣ୍ଟେନସ୍ ରିଭ୍ୟୁ ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଏହା କାର୍ଯ୍ୟକାରୀ ହୋଇଛି ବୋଲି ଜେଲର୍ ମନସ୍ୱିନୀ ନାଏକ କହିଛନ୍ତି। ଏ ନେଇ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇ ଅବଗତ କରାଯାଇଥିଲା। ୨୫ ବର୍ଷ ପରେ ମହେନ୍ଦ୍ର ଜେଲ୍ରୁ ମୁକ୍ତି ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/17/N0VoWmgkxenAHOMMFfMz.jpg)