ଭୁବନେଶ୍ୱର: ଆସନ୍ତା ୨୦ତାରିଖରୁ ବରଗଡ଼ରେ ଏବଂ ୨୨ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନିତ କରିବା, ଅନିୟମିତତା, ଦଲାଲି, କଟ୍‌ନି ଛଟ୍‌ନିକୁ  ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ କରିବାକୁ ଉପମୁଖ୍ୟମନ୍ତ୍ରୀ  ଶ୍ରୀ ସିଂହଦେଓ ଗୁରୁତ୍ୱ ଦେଇଛନ୍ତି। ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଥିବାରୁ ଏହାକୁ ଯେପରି ସମସ୍ତ ଚାଷୀଙ୍କୁ ମିଳିବ ତାହା ନିଶ୍ଚିତ କରିବାକୁ କୁହାଯାଇଛି। ଡିସେମ୍ବର ୭ତାରିଖ ସୁଦ୍ଧା ଯେଉଁ ଚାଷୀମାନେ ମଣ୍ଡିରେ ଧାନ ଦେଇଥିବେ ସେମାନଙ୍କୁ ୮ତାରିଖରେ ସୋହେଲାରେ ହେବାକୁ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁଇଣ୍ଟାଲ ପିଛା ୮୦୦ଟଙ୍କା ଦେବେ ବୋଲି କୁହାଯାଇଛି। 

Advertisment

ସେହିପରି ଧାନର ମାନ ପରୀକ୍ଷଣ ପାଇଁ ଅଟୋମେଟିକ ଗ୍ରେନ ଆନାଲାଇଜର ବ୍ୟବହାର କରାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଏହାସହ ଆଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି। କଟ୍‌ନି ଛଟ୍‌ନିକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ ଭାବେ କରାଯିବ। ଏଥିନିମନ୍ତେ ମଣ୍ଡିରେ ନୋଡାଲ ଅଫିସର, ସୁପରଭାଇଜର ନିଯୁକ୍ତ କରାଯାଇଛି। ଆଜିର ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଓ ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।