ୟେସ୍‌ ବ୍ୟାଙ୍କରେ ଅଟକିଛି ଶସ୍ୟବୀମା, ୪୪ କୋଟି ୪୦ ଲକ୍ଷରୁ ଚାଷୀଙ୍କୁ ମିଳିଛି ମାତ୍ର ୭ ଲକ୍ଷ

ସନ୍ଦେହଘେରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ

ସୁନ୍ଦରଗଡ଼ : ମରୁଡ଼ି ଓ ଅନ୍ୟ ଦୁର୍ବିପାକରେ କ୍ଷତିଗ୍ରସ୍ତ ଫସଲର ଉପଯୁକ୍ତ କ୍ଷତିପୂରଣ ଚାଷୀଙ୍କୁ ଦେବାକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଚାଷୀ ନାମକୁ ମାତ୍ର ପ୍ରିମିୟମ୍‌ ଅର୍ଥାତ୍‌ ଖରିଫ୍‌ରେ ୨ ପ୍ରତିଶତ, ରବିରେ ୧.୫ ପ୍ରତିଶତ ଓ ଉଦ୍ୟାନକୃଷିରେ ୫ ପ୍ରତିଶତ ଦେଇ ଫସଲକୁ ବୀମାଭୁକ୍ତ କରିଥାଏ। ତେବେ ଅନେକ ସମୟରେ ବୀମାକମ୍ପାନି, ବ୍ୟାଙ୍କ, ଅଧିକାରୀଙ୍କ ମନମାନି ଓ ଉଦାସୀନତା ଯୋଗୁ କୃଷକ ବୀମାରୁ ବଞ୍ଚିତ ହୋଇଥାଏ ବା ଠିକ୍‌ ସମୟରେ ବୀମା ରାଶି ପାଇ ନଥାଏ। ସୁନ୍ଦରଗଡ଼ ଜିଲ୍ଲାରେ ସମବାୟ ସମିତି ଜରିଆରେ ବୀମାଭୁକ୍ତ ହୋଇଥିବା ହଜାର ହଜାର ଚାଷୀ ଏପରି ମନମାନିର ଶିକାର ହୋଇଛନ୍ତି। ବୀମା କମ୍ପାନି ବୀମା ରାଶି ଦେଇଥିଲେ ମଧ୍ୟ ତାହା ଚାଷୀଙ୍କ ଖାତାକୁ ଆସି ପାରିନାହିଁ। ଅଧାବାଟରେ ବ୍ୟାଙ୍କ ତାକୁ ଅଟକାଇ ରଖିଛି। ଜିଲ୍ଲାର ୫୪ ହଜାର ୨୨୩ ଚାଷୀଙ୍କ ଫସଲ ବୀମା ବାବଦକୁ ୪୪ କୋଟି ୪୦ ଲକ୍ଷ ୫୮ ହଜାର ୪୦ ଟଙ୍କା ଆସିଥିବା ବେଳେ ଏ ଯାଏ ସେଥିରୁ ମାତ୍ର ହାତଗଣତି କିଛି ଚାଷୀଙ୍କୁ ୭ ଲକ୍ଷ ୪୬ ହଜାର ୮୨୨ ଟଙ୍କା ପ୍ରଦାନ କରାଯାଇଛି। ଆଉ ଏପଟେ ୫୪ ହଜାରରୁ ଅଧିକ ଚାଷୀ ବୀମାଟଙ୍କା ପାଇବାକୁ କେବଳ ଦିନ ଗଣିଚାଲିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ମନମାନି ଓ ଅବହେଳା ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ୨୦୨୧ ଖରିଫ୍‌ଋତୁରେ ଜିଲ୍ଲାର ୪୪ଟି ଲ୍ୟାମ୍ପସ ବା ସମବାୟ ସମିତି ଜରିଆରେ ୭୭୯୨୯ ଚାଷୀଙ୍କୁ ୫୫୨ କୋଟି ୬୮ ଲକ୍ଷ ଟଙ୍କା ଋଣ ଦିଆଯାଇଥିଲା। ସେଥିମଧ୍ୟରେ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ସୁନ୍ଦରଗଡ଼ ସଦରରେ ୧୦୦୬୮ଚାଷୀଙ୍କୁ ୭୦.୯୭ କୋଟି ଋଣ ଦିଆଯାଇଥିବା ବେଳେ ବସ୍‌ଷ୍ଟାଣ୍ଡ ଶାଖାରେ ୩୬୯୨ ଚାଷୀଙ୍କୁ ୨୯.୦୨ କୋଟି, ସର୍ଗିପାଲି ଶାଖା‌ରେ ୫୭୯୬ ଚାଷୀଙ୍କୁ ୪୦.୯୨ କୋଟି, ହେମଗିର ଶାଖାରେ ୩୪୮୫ ଚାଷୀଙ୍କୁ ୨୧.୨୧ କୋଟି, ସବଡେଗା ଶାଖାରେ ୬୦୯୮ ଚାଷୀଙ୍କୁ ୩୨.୭୦ କୋଟି ଋଣ ଦିଆଯାଇଥିଲା। ସେହିପରି ବଡ଼ଗାଁ ବ୍ୟାଙ୍କ ଶାଖାରେ ୫୭୭୯ ଚାଷୀଙ୍କୁ ୨୭.୮୦ କୋଟି, ରାଜଗାଙ୍ଗପୁର ଶାଖାରେ ୬୨୧୬ ଚାଷୀଙ୍କୁ ୩୯.୬୮ କୋଟି, ରାଉରକେଲା ବ୍ୟାଙ୍କ ଶାଖାରେ ୬୨୬୬ ଚାଷୀଙ୍କୁ ୪୩.୮୮ କୋଟି, ସାରନଗରୀ ଟାଉନସିପ୍‌ ଶାଖାରେ ୬୧୫୧ ଚାଷୀଙ୍କୁ ୬୨.୯୦ କୋଟି, ପୁରୁଣାପାଣି ଶାଖାରେ ୬୫୯୯ ଚାଷୀଙ୍କୁ ୫୭.୯୦ କୋଟି, ଲହୁଣିପଡ଼ା ଶାଖାରେ ୬୨୩୭ ଚାଷୀଙ୍କୁ ୪୩.୯୯ କୋଟି, କୋଇଡ଼ା ଶାଖାରେ ୨୨୭୩ ଚାଷୀଙ୍କୁ ୧୭.୦୫ କୋଟି, ବଣାଇଗଡ଼ ଶାଖାରେ ୫୩୯୨ ଚାଷୀଙ୍କୁ ୩୮.୮୦ କୋଟି, ଗୁରୁଣ୍ଡିଆ ଶାଖାରେ ୩୮୭୭ ଚାଷୀଙ୍କୁ ୨୫.୮୧ କୋଟି ଋଣ ଦିଆଯାଇଥିଲା। ତନ୍ମଧ୍ୟରୁ ୫୪,୨୨୩ ଚାଷୀଙ୍କ ୫୧,୮୯୭.୪୦ ହେକ୍ଟର ଜମି ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଅନ୍ତର୍ଭୁକ୍ତ ହୋଇଥିଲା। ୨୦୨୨ ମେ ୩୧ରେ ଦୁଇଟି ପର୍ଯ୍ୟାୟରେ ରିଲାଏନ୍ସ ବୀମା କମ୍ପାନି ଜିଲ୍ଲାର ଚାଷୀଙ୍କ ଫସଲବୀମା ବାବଦକୁ ୪୪ କୋଟି ୪୦ ଲକ୍ଷ ୫୮ ହଜାର ୪୦ ଟଙ୍କା ଦେଇଛନ୍ତି। ତେବେ ବୀମାଟଙ୍କା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ବାରା ପୂର୍ବରୁ ଅନୁବନ୍ଧିତ (ଟାଏଅପ୍‌) ୟେସ୍‌ ବ୍ୟାଙ୍କରେ ଜମାହୋଇଛି। ଯାହାକୁ ନେଇ ଉଠିଛି ବିବାଦ। କାରଣ ପୂର୍ବରୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ନିଜସ୍ବ ଆଇଏଫ୍‌ଏସ୍‌ସି କୋଡ୍‌ ନଥିବାରୁ ୟେସ୍‌ ବ୍ୟାଙ୍କ କୋଡ୍‌ରେ ସମସ୍ତ ପ୍ରକାର ଦେଣନେଣ ଚାଲିଥିଲା। କିନ୍ତୁ ଦେଢ଼ବର୍ଷ ହେଲା ରାଜ୍ୟ ସମବାୟ ବ୍ୟାଙ୍କକୁ ଆଇଏଫ୍‌ଏସ୍‌ସି କୋଡ୍‌ ମିଳିଛି। ତେଣୁ ବୀମାଟଙ୍କା ୟେସ୍‌ ବ୍ୟାଙ୍କ ପରିବ‌ର୍ତ୍ତେ ସିଧାସଳଖ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଜମାହେବା କଥା। କିନ୍ତୁ ବିବାଦରେ ଥିବା ୟେସ୍‌ ବ୍ୟାଙ୍କରେ କିପରି ବୀମାଟଙ୍କା ଜମା କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହାକୁ ନେଇ ସ‌ନ୍ଦେହଘେରକୁ ଚାଲିଆସିଛି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ। ଏବେ ସମବାୟ ବ୍ୟାଙ୍କ ବୀମାଟଙ୍କା ନିଜ ଖାତାକୁ ଆଣିବାକୁ ଚେଷ୍ଟା ଚଲାଇଥିବା କୁହାଯାଉଛି। ତେବେ ଏହାମଧ୍ୟରେ ଚାଷୀଙ୍କ ବୀମାଟଙ୍କ‌ାକୁ ପକାଇ ରଖିଥିବା ୟେସ୍‌ ବ୍ୟାଙ୍କ ସେ ବାବଦକୁ ମିଳୁଥିବା ଲାଭ ଉଠାଇ ନେଉଛି। ଆଉ ଏପଟେ ଚାଷୀ ନିଜ କ୍ଷତିଗ୍ରସ୍ତ ଫସଲର ବୀମା ଟଙ୍କା ପାଇବାକୁ ଅନାଇ ରହିଛି।

ସମ୍ବନ୍ଧିତ ଖବର