ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ୍‌ ଧାନକ୍ରୟ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ କୋଟା ବୃଦ୍ଧି କରି ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନକ୍ରୟ କରିବା ପାଇଁ ପ୍ରଶାସନ ଟାର୍ଗେଟ ରଖିଛି। ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ମିଳିଥିବା ଟାର୍ଗେଟ ୪୯ଲକ୍ଷ ୫୫ହଜାର କ୍ବିଣ୍ଟାଲ୍‌ ମଧ୍ୟରୁ ୪୬ଲକ୍ଷ ୨୪ହଜାର ୫୧୦ କ୍ବିଣ୍ଟାଲ୍‌ ଧାନ କିଣା ସରିଲାଣି। ଜିଲ୍ଲା ପାଇଁ ଆଉ ୩ଲକ୍ଷ ୬୧ହଜାର କ୍ବିଣ୍ଟାଲ୍‌ କୋଟା ବଳକା ରହିଛି। ତେବେ ବଳକା ରହିଥିବା କୋଟା ପୂରଣ ସହିତ ସମସ୍ତ ଚାଷୀ କିପରି ଧାନ ବିକ୍ରି କରିପାରିବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୮୦ ପ୍ରତିଶତ ଚାଷୀ ଧାନ ବିକ୍ରି କରି ସାରିଲେଣି। ଆଉ ପ୍ରାୟ ୨୦ ପ୍ରତିଶତ ଚାଷୀ ଧାନ ବିକ୍ରି କରିବେ ବୋଲି ସୂଚନା ଦିଆଯାଇଛି।

Advertisment

ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍‌ ଋତୁରେ ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହେବା ପାଇଁ ୧ଲକ୍ଷ ୩୧ହଜାର ଚାଷୀଙ୍କ ତାଲିକା ପ୍ରସ୍ତୁତ କରା ଯାଇଥିଲା। ତନ୍ମଧ୍ୟରୁ ୧ଲକ୍ଷ ୫ହଜାର ୯୪୬ଜଣ ଚାଷୀ ଧାନ ବିକ୍ରି କରି ସାରିଲେଣି। ବାକି ରହିଥିବା ଚାଷୀ କିପରି ଠିକ୍‌ ସମୟରେ ତାଙ୍କର ଧାନ ବିକ୍ରି କରି ପାରିବେ ସେ ନେଇ ଦୃଷ୍ଟି ଦେବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯୋଗାଣ ବିଭାଗ ଓ ସମବାୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଅମଳ ହୋଇଥିବାରୁ ଗଞ୍ଜାମ ଜିଲ୍ଲା ପାଇଁ ଧାନ ସଂଗ୍ରହ ଟାର୍ଗେଟ ପର୍ଯ୍ୟାୟ କ୍ରମେ ବୃଦ୍ଧି କରି ବର୍ତ୍ତମାନ ୪୯.୫୫ ଲକ୍ଷ କ୍ବିଣ୍ଟାଲ୍‌ କରାଯାଇଛି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ ମଧ୍ୟରୁ ୧୬ଟି ବ୍ଲକ୍‌ରେ ଟାର୍ଗେଟର ୯୦ ପ୍ରତିଶତରୁ ଅଧିକ ଧାନ କିଣା ହୋଇ ସାରିଲାଣି। ସୋରଡ଼ା ବ୍ଲକ୍‌ରୁ ସର୍ବାଧିକ ୯୯ ପ୍ରତିଶତ ଧାନକ୍ରୟ ହୋଇ ସାରିଛି। ସେହିପରି ଦିଗପହଣ୍ଡିରୁ ୯୮ ପ୍ରତିଶତ, ସାନଖେମୁଣ୍ଡିରୁ ୯୭.୫୦ , ପାତ୍ରପୁରରୁ ୯୭.୬୭, ଜଗନ୍ନାଥପ୍ରସାଦରୁ ୯୬.୩୫, ଧରାକୋଟରୁ ୯୭.୯୧, ଚିକିଟିରୁ ୯୭.୮୨ ଏବଂ ଭଞ୍ଜନଗର ବ୍ଲକ୍‌ରୁ ୯୭.୫୭ ପ୍ରତିଶତ ଧାନକ୍ରୟ ହୋଇ ସାରିଲାଣି। ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୯୩.୩୩ ପ୍ରତିଶତ ଧାନ ସଂଗ୍ରହ ହୋଇ ସାରିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।