ଦୁର୍ବିପାକ ସତ୍ତ୍ବେ ବି ରାଜ୍ୟରେ ରେକର୍ଡ଼ ଛୁଇଁବ ଶସ୍ୟ ଉତ୍ପାଦନ

ଭୁବନେଶ୍ୱର : କୋଭିଡ୍‌ ମହାମାରୀ, ଅମ୍ଫାନ୍‌ ବାତ୍ୟା, ଡେରିରେ ବର୍ଷା ଓ ବର୍ଷା ବିତ୍ପାତରୁ ଗତ ଅଗଷ୍ଟ ମାସରେ ବନ୍ୟା। ଏସବୁ ଦୁର୍ବିପାକରେ ଚାଷ କିଛିଟା ପ୍ରଭାବିତ ହୋଇଥିଲେ ବି ଚାଷୀ ଡରିଯାଇନି। ସେ ତାର ଧର୍ଯ୍ୟ ଓ କଷଣ ଜାରି ରଖିଛି। ଫଳରେ ଏ ବର୍ଷ ଖରିଫ ଋତୁରେ ବମ୍ଫର୍‌ ଶସ୍ୟ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ୨୦୨୦-୨୧ ବର୍ଷ ପାଇଁ ଧାନ ଓ ଅଣଧାନ ଫସଲ ମିଶି ଶସ୍ୟ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ ହେବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବିଶେଷଜ୍ଞ କହିଲେଣି, ଯଦି ଅମଳ ପର୍ଯ୍ୟନ୍ତ ଆଉ କୌଣସି ବାତ୍ୟା କିମ୍ବା ଦୁର୍ବିପାକ ନ ହୁ୍ଏ, ତାହେଲେ ଶସ୍ୟ ଉତ୍ପାଦନ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଟପିଯିବ।

ପ୍ରତିବର୍ଷ ପରି ଏବର୍ଷ ବି୬୧ ଲକ୍ଷ ୬୧ ହଜାର ହେକ୍ଟର ପରିମିତ ଜମିରେ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେଥିରୁ ଚଳିତ ଖରିଫ ଋତୁରେ ୩୭ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ସହିତ ୪ ଲକ୍ଷ ହେକ୍ଟର ଜମିରେ ମକା, ବାଜରା ଓ ଅନ୍ୟ ଶସ୍ୟଜାତୀୟ ଫସଲ କରାଯାଇଛି। ଏହାବ୍ୟତୀତ ୬ ଲକ୍ଷ ୨୨ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ, ୨ ଲକ୍ଷ ୩୫ ହଜାର ହେକ୍ଟର ଜମିରେ ତୈଳ ଜାତୀୟ ଫସଲ, ୭ ଲକ୍ଷ ୬୮ ହଜାର ହେକ୍ଟର ଜମିରେ ପନିପରିବା, ୧ ଲକ୍ଷ ୮୫ ହଜାର ହେକ୍ଟର ଜମି କପା ଓ ଝୋଟ ଚାଷ ପାଇଁ ଉପଯୋଗ କରାଯାଇଛି।

ଚଳିତବର୍ଷ ବର୍ଷା ପରିମାଣକୁ ଯଦି ହିସାବକୁ ନିଆଯାଏ, ତାହେଲେ ମୌସୁମୀ ରାଜ୍ୟରେ ସକ୍ରିୟ ହେବା ପରେ ଗତ ଜୁନ୍‌ ମାସରେ ୯% ଅଧିକ ବର୍ଷା ରେକର୍ଡ଼ କରାଯାଇଥିଲା। ଜୁଲାଇ ମାସରେ ୩୫% କମ୍‌ ବର୍ଷା ହେଲା। କିନ୍ତୁ ଅଗଷ୍ଟ ମାସରେ ଆବଶ୍ୟକତାଠାରୁ ଅଧିକ ୪୭% ବର୍ଷା ରେକର୍ଡ଼ ହୋଇଛି। ସେହିପରି ସେପ୍ଟେମ୍ବରରେ ୩୫% କମ୍‌ ବର୍ଷା ହୋଇଥିଲେ ବି ପରବର୍ତ୍ତୀ ଅବସ୍ଥାରେ ଅକ୍ଟୋବରରେ ବାରମ୍ବାର ଲଘୁଚାପ ବର୍ଷା ଯୋଗୁଁ ନିଅଣ୍ଟିଆ ପରିମାଣ ଭରଣା ହୋଇଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨୭ ତାରିଖସୁଦ୍ଧା ରାଜ୍ୟରୁ ମୌସୁମୀ ବିଦାୟ ନେବ। କିନ୍ତୁ ଗତ ୧୦ ଦିନ ଭିତରେ ରେକର୍ଡ଼ ପରିମାଣର ବର୍ଷା ଆସନ୍ତା ରବି ଋତୁ ଚାଷ ପାଇଁ ଭଲ କାମ ଦେବ। କାରଣ ଏହି ବର୍ଷା ପାଣି ମାଟିର ବତର(ଆର୍ଦ୍ରତା) ବଜାୟ ରଖିବାରେ ସହାୟକ ହେବ ବୋଲି କୃଷି ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହିପରି ଭାବେ ଚଳିତ ବର୍ଷ ରାଜ୍ୟରେ ୧୩% ବର୍ଷା ରେକର୍ଡ଼ କରାଯାଇଛି।

deccanchronicle.com

କୋଭିଡ୍‌ ମହାମାରୀ ପାଇଁ ଏବର୍ଷ ଚାଷ ଓ ଚାଷୀଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନ ହେବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାରଙ୍କ କୃଷି ବିଭାଗରୁ ତଥ୍ୟ ନେବାରେ ଜଣାପଡ଼ିଛି, ଖରିଫ୍‌ ଚାଷ ପାଇଁ ସରକାରଙ୍କ ପକ୍ଷରୁ ୩ ଲକ୍ଷ ୮୦ ହଜାର କ୍ବିଣ୍ଟାଲ ଧାନ ବିହନ ଓ ୨୦ ହଜାର କ୍ବିଣ୍ଟାଲ୍‌ ଅଣଧାନ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି। ଯାହାକି ଗତ ୪ ବର୍ଷ ଭିତରେ ସବୁଠୁ ଅଧିକ। ସେହିପରି ଚଳିତ ବର୍ଷ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ମୋଟ୍‌ ୮ ଲକ୍ଷ ୬୦ ହଜାର ମେଟ୍ରିକ୍‌ ଟନ୍‌ ସାରରୁ ଏବେସୁଦ୍ଧା ଚାଷୀଙ୍କୁ ୭ ଲକ୍ଷ ୮୫ ହଜାର ମେଟ୍ରିକ୍‌ ଟନ୍‌ ସାର ଯୋଗାଇ ଦିଆଯାଇଛି।

ସମବାୟ ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ଥର ଚାଷୀଙ୍କୁ ସମବାୟ ଋଣ ପ୍ରଦାନ କରିବା ପାଇଁ ୯ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ସେଥିରୁ ଏବେସୁଦ୍ଧା ୧୮ ଲକ୍ଷ ୮୦ ହଜାର ଚାଷୀଙ୍କୁ ୮ ହଜାର ୩୨୧ କୋଟି ଟଙ୍କାର ଋଣ ଆବଣ୍ଟନ ହୋଇଛି। ସେହିପରି ୨୦୨୦-୨୧ ଖରିଫ ବର୍ଷରେ ଧାନ ବିକ୍ରି କରିବା ପାଇଁ ୧୪ ଲକ୍ଷ ୯୭ ହଜାର ୭୭୯ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ତୁଳନାରେ ପ୍ରାୟ ୨ ଲକ୍ଷ ୬୦ ହଜାର ଚାଷୀ ଅଧିକ ପଞ୍ଜୀକୃତ ହୋଇଛନ୍ତି।

The Hindu

ବାତ୍ୟା ଓ ବନ୍ୟା ମାଡ଼ରେ ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାଗୁଡ଼ିକର ଚାଷଜମିରେ ଫସଲ ନଷ୍ଟ ହୋଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ପାଇକମାଳ, ଝାରବନ୍ଧ, ଗାଏସିଲଟ ବ୍ଲକ୍‌ରେ ଧାନ ଫସଲରେ ରୋଗପୋକ ଲାଗି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ନୂଆପଡ଼ା ଜିଲ୍ଲାର କୋମନା ଓ ନୂଆପଡ଼ା ବ୍ଲକ୍‌, ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ, ପାଟଣାଗଡ଼ ଓ ଆଗଲପୁର ବ୍ଲକ୍‌ର କେତେକ ଅଞ୍ଚଳରେ ଧାନ ଫସଲରେ ରୋଗପୋକ ଲାଗିଥିବା ସୂଚନା ମିଳିଛି। ଏହାକୁ ଛାଡ଼ିଦେଲେ ରାଜ୍ୟରେ ବାକି ସବୁ ଅଞ୍ଚଳରେ ଖରିଫ୍‌ ଫସଲ ଭଲ ହୋଇଛି। କୃଷି ବିଶେଷଜ୍ଞଙ୍କ ମତରେ କେତେକ ଅଞ୍ଚଳରେ ରୋଗପୋକ ଲାଗିଲେ ବି ମାତ୍ର ୧୦ରୁ ୧୨% ଫସଲ ପ୍ରଭାବିତ ହେବ। ନଚେତ୍‌ ମୋଟାମୋଟି ଭାବେ ରାଜ୍ୟରେ କୃଷି ଉତ୍ପାଦନ ରେକର୍ଡ଼ ଛୁଇଁବ।

ଚାରିଆଡ଼େ କୋଭିଡ ମହାମାରୀ ଆତଙ୍କ। ମହାମାରୀ ସହିତ ସଂଗ୍ରାମ କରୁ କରୁ କେତେବେଳେ ଜୀବନ ଜିତୁଛି ତ ପୁଣି କେତେବେଳେ ହାରିଯାଉଛି। କରୋନା ସଂକ୍ରମଣ ନେଇ ଲୋକଙ୍କ ମନରେ ଛନକା। ଘରୁ ବାହାରକୁ ବାହାରିଲେ ସାମନାରେ ଥିବା ପ୍ରତ୍ୟେକ ବ୍ୟକ୍ତି କରୋନା ସଂକ୍ରମିତ ଭାବି ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ୁଛି। କିନ୍ତୁ ଏତେସବୁ ପରେ ବି ଏ ମାଟିର ଚାଷୀ ମହାମାରୀ ଆଗରେ ନଇଁଯାଇନି। କାରଣ ଚାଷ ତାର ଜୀବନ ଓ ଜୀବିକା ଆଉ ସେ ସମସ୍ତଙ୍କ ପାଇଁ ଅନ୍ନଦାତା।

ସମ୍ବନ୍ଧିତ ଖବର