ସର୍ବନିମ୍ନ ମଜୁରି ଦାବି କଲେ ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ : ମୌସୁମୀ ଅଧିବେଶନରେ ଘେରିବେ ବିଧାନସଭା

ସମ୍ବଲପୁର : ରାଜ୍ୟର ଗ୍ରାମ ପଞ୍ଚାୟତ ଗୁଡ଼ିକରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯଥା ପିଅନ, ରାତ୍ର ଜଗୁଆଳି, ସଫେଇ କର୍ମଚାରୀଙ୍କୁ ମନଇଚ୍ଛା ପାଉଣା ଯଥା ମାସିକ ୨୦୦ରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ନଦେଇ ନିୟମିତ ହେବା ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରି ଦେବା ନିମନ୍ତେ ସଂଘର ସଭାପତି ଲଳିତ କୁମାର ନାୟକ ଦାବି କରିଛନ୍ତି। ଯଦି ଜୁଲାଇ ମାସ ସୁଦ୍ଧା ଦାବି ପୂରଣ ନହୁଏ ତାହେଲେ ମୌସୁମୀ ଅଧିବେଶନ ବେଳେ ବିଧାନସଭା ସମ୍ମୁଖରେ ଏକ ବିଶାଳ ସମାବେଶ କରାଯାଇ ସରକାରଙ୍କ ଉପରେ ଚାପ ପକାଯିବ ବୋଲି ଶୁକ୍ରବାର ଏଠାରେ ଅନୁଷ୍ଠିତ ସଭାରେ ଶ୍ରୀ ନାୟକ କହିଥିଲେ। ଏହାବାଦ ସଭାରେ ଉପସ୍ଥିତ ଅନ୍ୟ ସଦସ୍ୟମାନେ ଅନ୍ୟାନ୍ୟ ଦାବି ଉପସ୍ଥାପନ କରିଥିଲେ। ଓଡ଼ିଶାର ୬୨୩୪ଟି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସ୍ଥାୟୀ ଘୋଷଣା କଲା ପର୍ଯ୍ୟନ୍ତ ସେମାନଙ୍କୁ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରି ପ୍ରଦାନ କରିବା, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଭୁଲ ନଥାଇ ବି ସରପଞ୍ଚ ଓ ଅନ୍ୟ ପଦାଧିକାରୀମାନେ ବହିଷ୍କୃତ କରୁଛନ୍ତି, ତେଣୁ ସେମାନଙ୍କଠାରୁ ଉକ୍ତ କ୍ଷମତା କାଢ଼ି ନେବା ପାଇଁ ସେମାନେ ଦାବି କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଭେଜରାଜ ମାଝୀ ଏବଂ ଲକ୍ଷ୍ମୀଧର ସାହୁ, ସାଧାରଣ ସଂପାଦକ ସତ୍ୟବାନ ସାହୁ, ସହସଂପାଦକ ଚନ୍ଦ୍ର ରଣା, କୋଷାଧ୍ୟକ୍ଷ ବୈଷ୍ଣବ ବାଗ, ସଂଗଠନ ସଂପାଦକ ଚୈତନ୍ୟ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର