ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଧୀନ ପୁଟୁଗାଁର ଗ୍ରାମରକ୍ଷୀ କ୍ଷୀରୋଦ ପାତ୍ର (୪୨)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କର କ୍ଷତବିକ୍ଷତ ମୃତଦେହ ପୁଟୁଗାଁ ଗ୍ରାମର ହାଟପଡ଼ିଆ ନିକଟସ୍ଥ ଏକ ଆମ୍ବଗଛ ମୂଳରୁ ପୁଲିସ ଉଦ୍ଧାର କରିଛି। ତାଙ୍କୁ କେହି ଦୁର୍ବୃତ୍ତ ମାରଣାସ୍ତ୍ରରେ ହାଣି ହତ୍ୟା କରିବା ପରେ ଘୋଷାରି ଆଣି ଗଛମୂ‌ଳେ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି। ଗାଁ ଲୋକେ ଆଜି ସକାଳୁ ମୃତଦେହ ଦେଖିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ପ୍ରଚାର ହୋଇଯାଇଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ମୃତକଙ୍କ ଭାଇ ସନ୍ତୋଷ ପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି ବୋଲି ଥାନା ଏଏସ୍‌ଆଇ ବିପିନ ବିହାରୀ ବାରିକ ସୂଚନା ଦେଇଛନ୍ତି।