ଗ୍ରାମ ରୋଜଗାର ସେବକଙ୍କ ପାଇଁ ବଦଳି ବ୍ୟବସ୍ଥା
ଭୁବନେଶ୍ବର : ଏଣିକି ମନରେଗା ଯୋଜନାରେ ନିୟୋଜିତ ଗ୍ରାମ ରୋଜଗାର ସେବକଙ୍କୁ ଆଉ ନିଜ ପଞ୍ଚାୟତରେ ନିଯୁକ୍ତି ମିଳିବନି। ରାଜ୍ୟରେ ପ୍ରଶାସନିକ ସଂସ୍କାର ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସ୍ବରୁପ ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଆଜି ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୋଟିଏ ପଞ୍ଚାୟତରେ ୫ ବର୍ଷରୁ ଅଧିକ ଦିନ ରହିଥିବା ଗ୍ରାମ ରୋଜଗାର ସେବକଙ୍କ ପାଇଁ ବଦଳି ବ୍ୟବସ୍ଥା ଲାଗୁ କରାଯାଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଚାୟତିରାଜ ବିଭାଗ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ, ଜଣେ ଜିଆରଏସ ଗୋଟିଏ ଜିଲ୍ଲା ଭିତରେ ୫ ବର୍ଷରୁ ଅଧିକ ଦିନ ରହିଲେ ତାଙ୍କୁ ସେହି ଜିଲ୍ଲା ଭିତରେ ଅନ୍ୟ ଗ୍ରାମ ପଞ୍ଚାୟତକୁ ବଦଳି କରାଯିବ। ଏହାସହିତ ନିଜ ପଞ୍ଚାୟତରେ ଥିବା ଜିଆରଏସମାନଙ୍କୁ ବି ଅନ୍ୟ ପଞ୍ଚାୟତ ବଦଳି କରାଯିବ। ସେହିପରି ସମାନ ବଦଳି ବ୍ୟବସ୍ଥା ଏପିଓମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। ଗୋଟିଏ ବ୍ଲକରେ ୫ ବର୍ଷରୁ ଅଧିକ ଦିନ ରହିଲେ ସମ୍ପୃକ୍ତ ଏପିଓଙ୍କୁ ସେହି ଜିଲ୍ଲା ଭିତରେ ଅନ୍ୟ ବ୍ଲକକୁ ବଦଳି କରାଯିବ। ନିଜ ବ୍ଲକରେ ଏପିଓଙ୍କୁ ନିଯୁକ୍ତି ମିଳିବ ନାହିଁ। ନିଜ ବ୍ଲକରେ ପୂର୍ବରୁ ନିଯୁକ୍ତି ପାଇଥିବା ଏପିଓଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହେବା ପରେ ବଦଳି କରାଯିବ। ଜିଆରଏସ ଓ ଏପିଓମାନଙ୍କ ବଦଳି ହିସାବ ପାଇଁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଯୋଗଦେବା ଦିନ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ଗଣାଯିବ। ଚଳିତମାସ ଶେଷସୁଦ୍ଧା ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ପଞ୍ଚାୟତିରାଜ ବିଭାଗକୁ ଆସନ୍ତା ନଭେମ୍ବର ମାସ ୫ ତାରିଖ ସୁଦ୍ଧା ରିପୋର୍ଟ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି।