ମେଳି ବାନ୍ଧିଲେ ଗ୍ରାମ ରୋଜଗାର ସେବକ : ଦାବି ହାସଲ ପାଇଁ ରାଜରାସ୍ତାକୁ ଓହ୍ଲାଇବେ

ଭୁବନେଶ୍ୱର : ୨୦୦୫ ମସିହେରେ ପ୍ରଣିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ସଫଳ ରୂପାୟନ ପାଇଁ ଗ୍ରାମ ରୋଜଗାର ସେବକ ସେବା ଯୋଗାଇ ଆସୁଛନ୍ତି। ହେଲେ ଦୀର୍ଘ ଦିନ ହେବ ଅବହେଳିତ ହୋଇ ରହିଛନ୍ତି। ବିଭିନ୍ନ ସମୟରେ ସେମାନେ ସରକାରଙ୍କୁ ଗୁହାରି କରିଥିବା ବେଳେ ସରକାର ମଧ୍ୟ ପ୍ରତିଶ୍ରୁତି ନେଇଛନ୍ତି। ହେଲେ ତାହା କେବଳ ପାଣିର ଗାର ହୋଇ ରହିଛି। ଏଣୁ ରାଜ୍ୟର ୬୩୩୪ ଜଣଙ୍କ ମଧ୍ୟରୁ ପାଖାପାଖି ୫ ହଜାର ଗ୍ରାମ ରୋଜଗାର ସେବକଙ୍କୁ ନେଇ ଆଜି ଶିଶୁପାଳଗଡ଼ରେ ଏକ ମହାସମାବେଶ ଆୟୋଜିତ ହୋଇଛି।

ଏହି ସମାବେଶରେ ଜିଆରଏସ୍‌ଙ୍କୁ ପିଇଓ ପଦବିରେ ସ୍ଥାୟୀ ନିଯୁକ୍ତି, ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ନ କରି ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା ନିୟମକୁ ଭିତ୍ତି କରି ୫୨୦୦ ମୂଳ ଦରମା ହିସାବରେ ମାସିକ ୯୫୦୦ ଦରମା ପ୍ରଦାନ କରିବା, ଅର୍ଥବିଭାଗ ଓ କୃଷି ବିଭାଗରେ ଖାଲି ଥିବା ପଦବିରେ ଯୋଗ୍ୟତା ଓ ଅଭିଜ୍ଞତା ଭିତ୍ତିରେ ନିଯୁକ୍ତି ଦେବା ପ୍ରଭୃତି ଦାବିକୁ ନେଇ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଦାବିଗୁଡ଼ିକୁ ସରକାର ପୂରଣ ନ ହେଲେ ଖୁବ୍‌ଶୀଘ୍ର ସେମାନେ ଏକତ୍ର ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହାଛଡ଼ା ଆଗାମୀ ନିର୍ବାଚନରେ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ଅସହଯୋଗ କରିବେ ବୋଲି ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଜିଆରଏସ୍‌ମାନେ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ରେକର୍ଡ଼ ରକ୍ଷଣାବେକ୍ଷଣ ସହ ସାମାଜିକ ସମୀକ୍ଷା, ଭତ୍ତା ବଣ୍ଟନ, ଜନଗଣନା ତଥା ସାମାଜିକ ଓ ଅର୍ଥନତିକ ସର୍ବେକ୍ଷଣ, ପଲ୍ଲୀସଭା ଓ ଗ୍ରାମ ସଭା ପରିଚାଳନା, ପଞ୍ଚାୟତରେ ସମସ୍ତ ଆର୍ଥିକ ଦେଣ ନେଣ ସହ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନ ହିତକର ଯୋଜନାକୁ ସଫଲ କରିବା ପାଇଁ ମୁଖ୍ୟ ଭୁମିକା ନିଭାଉଛନ୍ତି। ଏହା ଛଡ଼ା ବିଭିନ୍ନ ସମୟରେ ଅତିରିକ୍ତ କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଉଛନ୍ତି। ଧାର୍ଯ୍ୟ ହୋଇଥିବା କାମ ଠାରୁ ଅଧିିକ କାମ କରୁଛନ୍ତି। ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ/ସେବିକା ମହାସଂଘ ସଭାପତି ପ୍ରଭାତ ତିଓ୍ଵାରି, କାର୍ଯ୍ୟକାରୀ ସଭାପତି ରମାକାନ୍ତ ଲେଙ୍କା, ସାଧାରଣ ସମ୍ପାଦକ ବାବାଜୀ ବେହେରା, ଉପସଭାପତି ସତ୍ୟ ଜୀବନ ବିଶ୍ୱାଳ, ସୁଦର୍ଶନ ପୃଷ୍ଟି ଓ ସୁରେଶ ପାଣିଗ୍ରାହୀ ପ୍ରମୁଖ ଏହି ସମାବେଶକୁ ପରିଚାଳନା କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଆରଏସ୍‌ ସଂଘର କର୍ମକର୍ତ୍ତାମାନେ କାର୍ଯ୍ୟକ୍ଷେତ୍ରରେ ସେମାନେ ଉଠାଉଥିବା ଚାପକୁ ନେଇ ରହିଥିବା ଅଭିଜ୍ଞତା ଉପସ୍ଥପାନ କରିଥିଲେ।

ସମ୍ବନ୍ଧିତ ଖବର