ଭୁବନେଶ୍ୱର : ନିଯୁକ୍ତିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନ ରଖି ଗ୍ରାମ ରୋଜଗାର ସେବକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛି ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ। ସଂଘର ଆବାହକ ସୁଧିର ଚନ୍ଦ୍ର ମୁଦୁଲି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ୨୦୦୬ ମନରେଗା ଯୋଜନାରେ ରାଜ୍ୟ ସରକାରଙ୍କ ଦ୍ୱାରା ପାଇଥିବା ନିଯୁକ୍ତି ଅନୁଯାୟୀ ଓ ୨୦୧୮ରେ ନିଯୁକ୍ତି ପାଇଥିବା ଥିବା ଗ୍ରାମ ରୋଜଗାର ସେବକ ବା ଜିଆରଏସ୍‌ଙ୍କୁ ପଞ୍ଚାୟତସ୍ତରରେ ନିଯୁକ୍ତି ଦିଆ ନ ଯାଇ ବ୍ଲକ୍‌ସ୍ତରରେ ନିଯୁକ୍ତି ଦିଆଯାଉ। ଏହାସହିତ ଜିଲ୍ଲାସ୍ତରରେ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରାଯାଉ। ଜିଆରଏସ୍‌ଙ୍କ କାର୍ଯ୍ୟକୁ ସରପଞ୍ଚଙ୍କ ପରିବର୍ତେ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ଓ ବିଡିଓଙ୍କ ଦ୍ୱାରା ସମୀକ୍ଷା କରାଯାଉ। କାର୍ଯ୍ୟରତ ଥିବା ସମୟରେ ଦୁର୍ଘଟଣା ଘଟିଲେ ରାଜ୍ୟ କର୍ମଚାରୀଙ୍କୁ ମିଳୁଥିବା ସୁବିଧା ଜିଆରଏସ୍‌ଙ୍କୁ ପ୍ରଦାନ କରାଯାଉ। ଜିଆରଏସ୍‌ଙ୍କୁ ଶତ ପ୍ରତିଶତ ପିଇଓ ପଦବିରେ ନିଯୁକ୍ତି ଦିଆଯାଉ। ସମାନ କାମକୁ ସମାନ ଦରମା ବିଚାରକୁ ଭିତ୍ତିକରି ୫୨୦୦ଟଙ୍କା ମୂଳ ଦରମା ହିସାବରେ ମାସିକ ୧୦ହଜାର ଟଙ୍କା ଦରମା ପ୍ରଦାନ କରାଯାଉ। କୃଷି ବିଭାଗ ଓ ଅର୍ଥ ବିଭାଗରେ ଖାଲି ପଡ଼ିଥିବା ପଦବିରେ ଜିଆରଏସ୍‌ଙ୍କୁ ନିଯୁକ୍ତି ଦେବା ସହିତ ୨୦୧୭ରୁ ବର୍ଦ୍ଧିତ ଦରମା ପ୍ରଦାନ କରିବା ଶ୍ରୀ ମୁଦୁଲି ଦାବି କରିଛନ୍ତି।