ଭୁବନେଶ୍ବର: ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଗାଇଡଲାଇନ୍ ବଦଳିବା ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ଆଜି ସରକାରଙ୍କୁ ଘେରିଛନ୍ତି। ବିରୋଧୀ କହିଛନ୍ତି ଯେ ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ ଏହି ଯୋଜନା ସମ୍ପର୍କରେ କହିଥିଲେ ଯେ ସବୁ ପ୍ରକଳ୍ପ ଗ୍ରାମସଭାରେ ଅନୁମୋଦିତ ହେବ। ଏବେ କାହିଁକି ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ବାରା ୪୦% ଅର୍ଥ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି? ଏହାଦ୍ବାରା ଗାଁର ବିକାଶ ହେବନି। ବରଂ ଦଲାଲ୍ ପୋଷାଯିବେ। କାହା ସ୍ବାର୍ଥରେ ଗ୍ରାମସଭାକୁ ଅଣଦେଖା କରୁଛନ୍ତି ସରକାର ସ୍ପଷ୍ଟ କରନ୍ତୁ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେଡି ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା କରିଥିଲା। ବିଜେପି ଖାଲି ସେହି ଯୋଜନାର ନାଁ ବଦଳାଇଲା। ହେଲେ ସେମାନେ ଯେମିତି ଗ୍ରାମସଭାକୁ ଅଣଦେଖା କରୁଥିଲେ, ଏମାନେ ବି ସେମିତି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ କହିଥିଲେ, ଏ ସରକାର ଲୋକଙ୍କ ସରକାର। ଗାଁର କାମ ଗ୍ରାମସଭା ନିଷ୍ପତ୍ତି ଅନୁଯାୟୀ ହେବ। ଗାଇଡଲାଇନ୍ରେ ଗ୍ରାମସଭାରେ ପ୍ରକଳ୍ପ ଅନୁମୋଦନ ବ୍ୟବସ୍ଥା ରଖିଥିଲେ। କ’ଣ ଆବଶ୍ୟକ ପଡ଼ିଲା ଯେ ଦୁଇ ଥର ତାକୁ ବଦଳାଇବାକୁ ପଡ଼ିଲା? ପଞ୍ଚାୟତକୁ ମିଳୁଥିବା ମୋଟ୍ ଅର୍ଥର ୪୦% ଅର୍ଥ ଅଫିସିଆଲି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିଲା? ଏହା ଅର୍ଥ ଦଲାଲମାନଙ୍କୁ ପୋଷାଯିବ। ଇଆଡ଼ୁ ନିର୍ଦ୍ଦେଶ ଯିବ, ଆମ ବିଜେପି ଲୋକଙ୍କୁ କାମ ଦିଅ। ବିଧାୟକ ଯାହା
ଦଲାଲ୍ଙ୍କୁ ପୋଷିବାକୁ ଗାଇଡ୍ଲାଇନ୍ ବଦଳିଛି: ତାରା
ଗ୍ରାମାଞ୍ଚଳରେ ସମର୍ଥନ ନ ଥିବାରୁ ନିୟମ ବଦଳାଇଛନ୍ତି: ଅରୁଣ
ଏବେବି ୬୦% ଅଧିକାର ଗ୍ରାମସଭାକୁ ଦେଇଛୁ: ପଞ୍ଚାୟତିରାଜ ମନ୍ତ୍ରୀ
ନିଷ୍ପତ୍ତି ନେବେ ତାହା ହେବ। ଏବେ ଯାହା ହେଉଛି, ଗୋଦରି ଲୋ ତୋ ଗୋଡ଼କୁ ଅନା। ଏମାନେ ଫିଙ୍ଗିଲା ଛେପ ଚାଟୁଛନ୍ତି। ଏଥିରେ କେବେ ଗାଁର ବିକାଶ ହେବନି କି ଓଡ଼ିଶାର ବିକାଶ ହେବନି। କାମକୁ ପ୍ୟାକେଜ କରି ଟେଣ୍ଡର କରିଦେଲେ ଦୁର୍ନୀତି ସମ୍ପୂର୍ଣ୍ଣ ହଟିବ। ବିଧାନସଭାରେ ମନ୍ତ୍ରୀ ଗୋଟେ କଥା କହୁଛନ୍ତି, ଆଉ ଗୋଟେ କାମ କରୁଛନ୍ତି। ଏହା ବିଧାନସଭାର ସ୍ୱାଧିକାର ଭଙ୍ଗ କରୁଛି। ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଆମ ସରକାରରେ ପ୍ରକଳ୍ପର ପ୍ରସ୍ତାବ ଗ୍ରାମାଞ୍ଚଳ ଲୋକଙ୍କଠୁ ଅଣାଯାଉଥିଲା। ପଞ୍ଚାୟତ ସମିତି ଦେଇ ଜିଲ୍ଲାପରିଷଦକୁ ଆସୁଥିଲା। ସରକାରଙ୍କ ଅନୁମୋଦନ ପରେ କାମ ହେଉଥିଲା। ଏବେ ଗ୍ରାମସଭାରେ ଆଣି ପଞ୍ଚାୟତ ସମିତିରେ ରଖିଲେ, ବିଧାୟକ ଚାହିଁଲେ କିଛି ଦେଇପାରିବେ, ଜିଲ୍ଲାପାଳ କାଟିପାରିବେ। ଏମାନେ କଥା ସୁନ୍ଦର କହିଜାଣିଛନ୍ତି। ଗ୍ରାମାଞ୍ଚଳରେ ବିଜେପିକୁ ଲୋକଙ୍କ ସମର୍ଥନ ନାହିଁ ତେଣୁ ଏହି ଗଳାବାଟ। ବିଧାୟକ କିଛି ପ୍ରୋଜେକ୍ଟ ପୂରେଇବେ। ଯୋଜନା ପାଇଁ ହଜାରେ କୋଟି ବ୍ୟବସ୍ଥା ହୋଇଛି। ୬୮୦୦ ପଞ୍ଚାୟତରେ ବାଣ୍ଟିଲେ ପଞ୍ଚାୟତକୁ ୭ରୁ ୮ଲକ୍ଷ ଟଙ୍କା ପଡ଼ିବ। କିନ୍ତୁ ଆମ ଓଡ଼ିଶା ନବୀନ ଓଡ଼ିଶାରେ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଦିଆଯାଉଥିଲା। ଏମାନେ ଗାଁ ଗାଁରେ ଗଣ୍ଡଗୋଳ ଲଗାଇବେ। ଆମ ସମୟରେ ସ୍ୱଛତା ଥିଲା। କାମ ଶୀଘ୍ର ଶେଷ କରିବାକୁ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା।
ଗାଇଡଲାଇନ୍ ବଦଳିବା ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି, ପୂର୍ବ ସରକାର ଗ୍ରାମସଭାକୁ ପୂରା ଉଠାଇ ଦେଇଥିଲେ। ଆମେ ଏବେ ଗ୍ରାମସଭା ଆରମ୍ଭ କରିଛୁ। ୬୦% କାମ ଗ୍ରାମସଭା ମାଧ୍ୟମରେ କରୁଛୁ। ଏହା ଆମର ମହାନତା। ଏବେ ୪୦% କାମ ସାଂସଦ, ବିଧାୟକ, ଜିଲ୍ଲାପାଳ, ଦୂରଦୃଷ୍ଟି ସଂପନ୍ନ ଓ ଅନୁଭବୀ ଲୋକ ସୁପାରିସ୍ କରିବେ। ସବୁ ପ୍ରକଳ୍ପ ଜିଲ୍ଲାପାଳ ତଜର୍ମା କରି ଅନୁମୋଦନ କରିବେ। ଗାଁର ବିକାଶ ପାଇଁ ସମସ୍ତ କାର୍ଯ୍ୟ ହେବ। ଏହାଦ୍ବାରା ଗ୍ରାମସଭାର କୌଣସି ଗୁରୁତ୍ବ କମିବ ନାହିଁ। ଗାଇଡଲାଇନ୍ ବଦଳିବା ନେଇ ମୁଁ ବିଧାନସଭାରେ ଉଲ୍ଲେଖ କରିଛି।