ଗ୍ରାମ ସ୍ୱରାଜ ଅଭିଯାନରେ ରାଜ୍ୟ ସରକାର ଅସହଯୋଗ କରୁଛନ୍ତି: ବିଜେପି

ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆପତ୍ତି ଜଣାଇଲେ ପ୍ରତିନିଧି ଦଳ

ଭୁବନେଶ୍ୱର : କେନ୍ଦ୍ର ସରକାର ଏପ୍ରିଲ୍‌ ୧୪ରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ଗ୍ରାମ ସ୍ୱରାଜ ଅଭିଯାନ ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ପହଞ୍ଚାଇବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। କିନ୍ତୁ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଏ ନେଇ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଅବଗତ କରାଇଛନ୍ତି।

ବିଜେପି ପକ୍ଷରୁ କୁହାଯାଇଛି, ଗ୍ରାମ ସ୍ୱରାଜ ଅଭିଯାନ ଦ୍ୱାରା କୃଷକର ଆୟକୁ ଦ୍ୱିଗୁଣିତ କରିବା, ପ୍ରତି ଘରେ ବିଜୁଳି ପହଞ୍ଚାଇବା, ପ୍ରତି ଶିଶୁକୁ ଟୀକାକରଣ କରିବା, କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ କୃଷି ବୀମା ଚାଷୀଙ୍କ ପାଖରେ ପହଞ୍ଚାଇବା ଆଦି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଅସହଯୋଗ କାରଣରୁ ରାଜ୍ୟବାସୀଙ୍କ ପାଖରେ କୌଣସି ସଚେତତନା ବାର୍ତ୍ତା ପହଞ୍ଚୁ ନାହିଁ। ଏହି ଅଭିଯାନ ଅଧୀନରେ ଗତ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ଅବସରରେ ଦଳିତମାନଙ୍କ ବିକାଶ ପାଇଁ ହୋଇଥିବା ବିଭିନ୍ନ ଯୋଜନା ଉପରେ ପ୍ରାଧାନ୍ୟ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କାର୍ଯ୍ୟକ୍ଷମ କଲେ ନାହିଁ। ସେହିପରି ଗତ ୧୮ ତାରିଖ ଦିନ ସ୍ୱଚ୍ଛ ଭାରତ ପର୍ବ ପାଳନ କରାଯାଇ ସମସ୍ତ ଗ୍ରାମପଞ୍ଚାୟତର ସ୍ୱଚ୍ଛତା ଓ ପରିମଳ ଉପରେ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ସରକାର କରାଇଦେଲେ ନାହିଁ। ଆଗାମୀ ଦିନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସଂଘୀୟ ବ୍ୟବସ୍ଥାର ଗାଇଡ୍‌ଲାଇନ୍‌ ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାବି କରିଥିଲେ। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଓ ଜନପ୍ରତିଧିମାନେ ମୋଦି ସରକାରଙ୍କ ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ପ୍ରତିନିଧି ଦଳରେ ବିଧାୟକ ନିତେଶ ଗଙ୍ଗଦେବ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର