ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ବାଟବଣା ହୋଇଛି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା। ଏହି ଯୋଜନାରେ ଛାତ୍ରଛାତ୍ରୀ ତାଲିମ ତ ପାଉଛନ୍ତି ମାତ୍ର ସେମାନଙ୍କ ଥଇଥାନ ବ୍ୟବସ୍ଥା ନୈରାଶ୍ୟଜନକ। ୨୦୨୨-୨୩ ମସିହାରେ ୮୯୦ ଜଣଙ୍କ ମଧ୍ୟରୁ ୩୦୬ ଅର୍ଥାତ୍ ୩୪ପ୍ରତିଶତ ଥଇଥାନ ହୋଇଛନ୍ତି। ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ରେ ଥଇଥାନ ହାର ଶୂନ୍ ରହିଛି। ତାଲିମପ୍ରାପ୍ତ ଛାତ୍ରଛାତ୍ରୀ ଥଇଥାନ ବ୍ୟବସ୍ଥା ହେଉ ନଥିବାରୁ ଅଡ଼ୁ୍ଆ ପରସ୍ଥିତି ଦେଖାଦେଉଛି। ଅନେକ ଛାତ୍ରଛାତ୍ରୀ ମାନସିକ ଚିନ୍ତାରେ ମଧ୍ୟ ରହୁଥିବା ନଜିର ରହିଛି। ୨୦୨୦-୨୧ରେ ୧୩ଟି ବ୍ଲକ୍ରୁ ୧୨୦୭ଜଣଙ୍କ ମଧ୍ୟରୁ ୨୪୮ଜଣଙ୍କୁ ଏବଂ ୨୦୨୧-୨୨ ମସିହାରେ ୧୩୮ଜଣଙ୍କୁ ନିଯୁକ୍ତି ମିଳିଛି।
ନିଯୁକ୍ତି ମିଳୁ ନଥିବାରୁ ବହୁ ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ଚାକିରି ଅନ୍ବେଷଣରେ ଚାଲିଯାଉଥିବା ଦେଖିବାକୁ ମିଳୁଛି। ଛାତ୍ରଛାତ୍ରୀମାନେ ଏହି ଯୋଜନାରେ ଲାଭ ଉଠାଇବା ପାଇଁ ତାଲିମ ପୂର୍ବରୁ ଯେତିକି ଆଗ୍ରହ ଦେଖାଉଛନ୍ତି ତାଲିମ ପରେ ସେମାନଙ୍କ ଆଶା ମଉଳିବାରେ ଲାଗିଛି। ଜିଲ୍ଲାରେ ବେଦାନ୍ତ କାରଖାନା, ପଡ଼ୋଶୀ ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଉତ୍କଳ ଆଲୁମିନା କାରଖାନା, ଘରୋଇ ଉଦ୍ୟୋଗ ଓ ସରକାରୀ ପ୍ରତିଷ୍ଠାନମାନଙ୍କରେ ନିଯୁକ୍ତି ସୁଯୋଗ କମ୍ ଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ନିରାଶ ହେଉଛନ୍ତି। ଏ ସଂପର୍କରେ ଓର୍ମାସ ଡେପୁଟି ସିଇଓ ଜର୍ଜ କେର୍କେଟାଙ୍କୁ ପଚାରିବାରୁ ବିଭିନ୍ନ କମ୍ପାନିମାନଙ୍କ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଦିଆଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଅନୁଦାନ ଆସିନଥିବାରୁ ବର୍ତ୍ତମାନ ଏହି ଯୋଜନା ବନ୍ଦ ରହିଛି ବୋଲି ସେ କହିଛନ୍ତି।