ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ୱର : ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ। ଏଥିପାଇଁ ରାଜ୍ୟକୁ ଅଧିକ ଗୃହର ମଞ୍ଜୁରି ମିଳିବ। ଏ କଥା କହିଛନ୍ତି କେନ୍ଦ୍ର ଗ୍ରାମ ଉନ୍ନୟନ ବିଭାଗ ସଚିବ ଅମରଜିତ୍‌ ସିହ୍ନା। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଥିଲେ ଶ୍ରୀ ସିହ୍ନା।

ଘରଡିହ ନ ଥିବା ବାସହୀନ ପରିବାରକୁ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ। ଏମାନଙ୍କୁ ରାଜ୍ୟ ସରକାର ଘରଡିହ ଯୋଗାଇ ଦେଉଥିବାରୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ଗୃହ ମଞ୍ଜୁର କରିବାକୁ ଶ୍ରୀ ପାଢ଼ୀ କେନ୍ଦ୍ରୀୟ ସଚିବଙ୍କୁ ଅନୁରୋଧ କରିଥିଲେ। ଏହାକୁ ନୀତିଗତ ସ୍ୱୀକୃତି ଜଣାଇଥିଲେ କେନ୍ଦ୍ରୀୟ ସଚିବ ଶ୍ରୀ ସିହ୍ନା। ତେବେ ଯୋଜନାରେ ହିତାଧିକାରୀଙ୍କୁ ଅନ୍‌ଲାଇନରେ ସିଧାସଳଖ ଅର୍ଥ ପ୍ରଦାନ ନେଇ ଦେଖାଦେଇଥିବା ସମସ୍ୟା ଏବଂ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କିସ୍ତି ପ୍ରଦାନ ନେଇ ବିଭାଗୀୟ ସଚିବ ଦେଓରଂଜନ କୁମାର ସିଂ କେନ୍ଦ୍ରୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଆଶୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ସିହ୍ନା।

ସୂଚନା ମୁତାବକ ଗତ ତିନିବର୍ଷରେ ରାଜ୍ୟରେ ୧୩.୫୦ ଲକ୍ଷ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି। ଚଳିତ ବର୍ଷ ଧାର୍ଯ୍ୟ ୩ ଲକ୍ଷ ୫୨ ହଜାର ଗୃହ ଲକ୍ଷ୍ୟ ମଧ୍ୟରୁ ବର୍ତମାନ ସୁଦ୍ଧା ୨.୧୭ ଲକ୍ଷ ଗୃହ ନିର୍ମାଣ ସରିଛି। ହିତାଧିକାରୀ ଚୟନ ଏବଂ କାର୍ଯ୍ୟାଦେଶ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ସୂଚନାଭିତ୍ତିକ କରିବା ଉଦ୍ଦେଶ୍ୟରେ ପ୍ରତି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ କାନ୍ଥମାନଙ୍କରେ ହିତାଧିକାରୀ ତାଲିକା ଲେଖାଯାଇଥିବା ବୈଠକରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର