ବଡ଼ଚଣା ଗ୍ରାମୀଣ ଆବାସ କେଳେଙ୍କାରୀ : ଘର ଚୋରି ସାଙ୍ଗକୁ ଶ୍ରମ ଲୁଟ୍‌!

ଜାଲ୍‌ ଦସ୍ତଖତରେ ଲକ୍ଷ ଲକ୍ଷ ଟଙ୍କା ହଡପ

ଯାଜପୁର : ବଡ଼ଚଣା ଗ୍ରାମୀଣ ଆବାସ ଦୁର୍ନୀତିରେ ଆଉଏକ ଫର୍ଦ ଯୋଡ଼ି ହୋଇଯାଇଛି। ଘର ଚୋରି ସାଙ୍ଗକୁ ଶ୍ରମ ବି ଲୁଟ୍‌ ହୋଇଛି। ଜାଲ୍‌ ଦସ୍ତଖତରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ମିଳିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବଡଚଣା ବ୍ଲକ୍‌ ବାଲିପଡିଆ ଗ୍ରାମ ପଞ୍ଚାୟତରେ କେତେକ ଗୃହ ନିର୍ମାଣ କରାନଯାଇ ଗ୍ରାମୀଣ ଆବାସ ଯୋଜନାର ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଛି। ତଦନ୍ତରେ ଏହି କେଳେଙ୍କାରୀ ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିବା ସହିତ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଆଦୌ ଗୃହ ନିର୍ମାଣ ନ କରି ଏ ବାବଦରେ ଆସିଥିବା ଅର୍ଥକୁ ହଡ଼ପ କରାଯାଇଛି। ଏବେ ପ୍ରଥମ ଦଫାରେ ବାଲିପଡ଼ିଆ ଗ୍ରାମ ପଞ୍ଚାୟତ ଦାୟିତ୍ଵରେ ଥିବା ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌)ଙ୍କ ଦସ୍ତଖତକୁ ଆଉ ଜଣେ ଜିଆରଏସ୍‌ ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ତଥ୍ୟ ସମ୍ବାଦ ଅନୁସନ୍ଧାନ ଟିମ୍‌ ହାତରେ ଲାଗିଛି।

ଗ୍ରାମୀଣ ଆବାସ ଯୋଜନାରେ ଗୋଟିଏ ଗୃହ ନିର୍ମାଣ ପାଇଁ ୯୫ଟି ଶ୍ରମ ଦିବସ ପାଇଁ ୧୬ ହଜାର ୭୨୦ ଟଙ୍କା ଶ୍ରମିକଙ୍କୁ ଦେବାକୁ ବ୍ୟବସ୍ଥା ରହିଛିା ବାଲିପଡ଼ିଆ ପଞ୍ଚାୟତରେ ୧୦ରୁ ଅଧିକ ହିତାଧିକାରୀ ଗୃହ ନିର୍ମାଣ ନ କରି ମଷ୍ଟର୍‌ରୋଲ୍‌ରେ ଜାଲ ଦସ୍ତଖତ କରି ନରେଗା ମଜୁରି ହଡ଼ପ କରାଯାଇଛି। ନିୟମ ଅନୁଯାୟୀ ନରେଗା ଯୋଜନାରେ ଶ୍ରମ ଦିବସ ସୃଷ୍ଟି ହେବା ପାଇଁ ଗ୍ରାମ ରୋଜଗାର ସେବକ ମଷ୍ଟର୍‌ରୋଲ୍‌ ଇସ୍ୟୁ ରେଜିଷ୍ଟର୍‌ରେ ଦସ୍ତଖତ କଲା ପରେ ଆସିଷ୍ଟାଣ୍ଡ୍‌ କଂପ୍ୟୁଟର ପ୍ରୋଗ୍ରାମର ଜିଆର୍‌ଏସ୍‌ଙ୍କୁ ମଷ୍ଟର୍‌ରୋଲ୍‌ ଦେଇଥାନ୍ତି। ଜିଆର୍‌ଏସ୍‌ କାର୍ଯ୍ୟ ବେଳେ ଉପସ୍ଥିତ ରହି ଶ୍ରମିକମାନଙ୍କର ହାଜିରା ଓ ଦସ୍ତଖତ ନେଇ ସଂପୂର୍ଣ ଭାବରେ ମଷ୍ଟରରୋଲ ପ୍ରସ୍ତୁତ କରି ଜିଆର୍‌ଏସ୍‌ ଦସ୍ତଖତ କରି ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଦେଇଥାନ୍ତି। କନିଷ୍ଠ ଯନ୍ତ୍ରୀ ଶ୍ରମିକଙ୍କ ହାଜିରା, ଦସ୍ତଖତ ଓ ମଜୁରି ବାବଦ ଅର୍ଥକୁ ହିସାବ କରି ମୁଖ୍ୟ କିରାଣି ନିକଟକୁ ପଠାଇଥାନ୍ତି। ଉକ୍ତ ଫାଇଲ୍‌କୁ ମୁଖ୍ୟ କିରାଣୀ ତନଖି କଲା ପରେ ବିତ୍ତ ଅଧିକାରୀଙ୍କ ନିକଟକୁ ଶ୍ରମିକଙ୍କର ମଜୁରି, ଦସ୍ତଖତ, ହାଜିରାକୁ ହିସାବ ଓ ସଠିକ୍‌ ଆକଳନ ପାଇଁ ପଠାଇଥାନ୍ତି। ବିତ୍ତ ଅଧିକାରୀ ଟିକିନିଖି ତନଖି କଲା ପରେ ବିଡିଓଙ୍କ ନିକଟକୁ ଅର୍ଥ ପୈଠ ପାଇଁ ଆବଶ୍ୟକୀୟ ନିର୍ଦେଶ ନିମନ୍ତେ ପଠା ଯାଇଥାଏ। ପ୍ରଶ୍ନ ଉଠୁଛି ସଂପୃକ୍ତ ପଞ୍ଚାୟତର ଜିଆର୍‌ଏସ୍‌ଙ୍କ ଅଜାଣତରେ ଆଉ ଜଣେ ଜିଆର୍‌ଏସ୍‌ ଜାଲ ଦସ୍ତଖତ କରି କେମିତି ମଷ୍ଟରରୋଲ୍‌ ନେଲା! ଶ୍ରମିକମାନଙ୍କର ମିଥ୍ୟା ଶ୍ରମ ଦିବସ ସୃଷ୍ଟି କରି ଶ୍ରମିକମାନଙ୍କର ମିଥ୍ୟା ହାଜିରା ଓ ଦସ୍ତଖତ ମଷ୍ଟରରୋଲ୍‌ ଦର୍ଶାଇ ଏଥିରେ ଜିଆର୍‌ଏସ୍‌ ଜାଲ ଦସ୍ତଖତକୁ କନିଷ୍ଠ ଯନ୍ତ୍ରୀ ମୁଖ୍ୟ କିରାଣି, ବିତ୍ତ ଅଧିକାରୀ, ବିଡିଓ କେମିତି ଜାଣି ପାରିଲେ ନାହିଁ! ତଦନ୍ତ ହେଲେ ଏ ସବୁ ଘଟଣାର ପଦାଫର୍ସ ହେବ।

ଉଲ୍ଲେଖ ଯୋଗ୍ୟ ବଡ଼ଚଣା ବ୍ଲକ୍‌ର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଦସ୍ତଖତକୁ ମଧ୍ୟ ଜାଲ କରାଯାଇ ବିଲ ପୈଠ କରାଯାଇଥିଲା। ଅଭିଯୋଗ ହେବା ପରେ ଜିଲ୍ଲାପାଳ ଏଥିରେ ସଂପୃକ୍ତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ।

ସମ୍ବନ୍ଧିତ ଖବର