ଶୁଭକାନ୍ତ ପଢ଼ିଆରୀ
ଜଗତସିଂହପୁର: ଯେଉଁ ନଦୀଶଯ୍ୟାରେ ଦିନେ ବ୍ରିଟିସ୍‌ ମାନଙ୍କ ବୋଟ୍ ଚାଲୁଥିଲା, ଯାହା କଡ଼ରେ ‘ଅଳକା ଆଶ୍ରମ’ ଗଢ଼ି ଉଠିଥିଲା, ସେହି ଐତିହାସିକ ଅଳକା ନଦୀ ଏବେ ମୃତପ୍ରାୟ। ନଦୀର ପୁନରୁଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ପ୍ରାୟ ୧୩ କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ବେଳେ ନଈ ଭିତରେ ଜବରଦଖଲରେ ନିର୍ମାଣ କାର୍ଯ୍ୟ ବଢ଼ି ଚାଲିଛି। ତଥ୍ୟ ଅନୁଯାୟୀ ଇଂରେଜମାନେ ଭାରତକୁ ଶାସନ କରିବାର ପ୍ରାୟ ଦୁଇଶହ ବର୍ଷ ପୂର୍ବରୁ ୧୬୩୩ ଖ୍ରୀଷ୍ଟାବ୍ଦରେ ଜଗତସିଂହପୁରକୁ ଆସିଥିଲେ। ମରିଚିକୋଟ ଦେଇ ବାଲିକୁଦାରେ ପହଞ୍ଚିବା ପରେ ଅଳକା ନଦୀ ବାଟେ ଜଗତସିଂହପୁର ସହରରେ ପହଞ୍ଚିଥିଲେ। ଏଠାରେ ସୂତା କାରଖାନା ବସାଇ ୭ ବର୍ଷ ପର୍ଯ୍ୟନ୍ତ ବ୍ୟବସାୟ କରିଥିଲେ। ଅଳକା ନଦୀ ଦେଇ କଞ୍ଚାମାଲ, ସୂତା, ପୋଷାକ ଆଦି ବୋଟ୍‌ ମାଧ୍ୟମରେ ସମୁଦ୍ର ପର୍ଯ୍ୟନ୍ତ ଯାଉଥିଲା। ବ୍ରିଟିସ୍‌ ନାବିକ ବ୍ରୁଟନ୍‌ ଏ କଥା ତାଙ୍କ ପୁସ୍ତକରେ ମଧ୍ୟ ଉଲ୍ଲେଖ କରିଛନ୍ତି। ୧୦୩ ବର୍ଷ ପୂର୍ବେ ଓଡ଼ିଶା ସ୍ବାଧୀନତା ସଂଗ୍ରାମର ଅନ୍ତୁଡ଼ିଶାଳ କୁହାଯାଉଥିବା ଅଳକାଶ୍ରମ ଏହି ଅଳକା ନଦୀ କୂଳରେ ଗଢ଼ା ଯାଇଥିଲା। ଜିଲ୍ଲାର ସର୍ବପୁରାତନ ଏସ୍‌ଭିଏମ୍ କଲେଜ ଓ ଅନ୍ୟତମ ଅଳକା କଲେଜ ଏହି ନଦୀ କୂଳରେ ଗଢ଼ି ଉଠିଥିଲା।

Advertisment

ଜବରଦଖଲକାରୀଙ୍କ ପ୍ରତି ପ୍ରଶାସନର ଅନୁକମ୍ପା
ଦିନେ ବୋଟ୍ ଚାଲୁଥିଲା, ଏବେ ଆବାସିକ ଅଞ୍ଚଳ ଓ ଡମ୍ପିଂୟାର୍ଡ ପାଲଟିଛି

ଜଗତସିଂହପୁର ସହର ବି ଅଳକା କୂଳରେ ଗଢ଼ି ଉଠିଥିଲା। ଜଗତସିଂହପୁର ବ୍ଲକ୍‌ର ଅର୍ଦ୍ଧାଧିକ ଅଞ୍ଚଳ, ନାଉଗାଁ, ବାଲିକୁଦାର ଜୀବନରେଖା ପାଲଟିଥିଲା। ଚାଷ ସହ ମତ୍ସ୍ୟଜୀବୀ ଏହି ନଦୀ ଉପରେ ନିର୍ଭର କରି ନିଜର ଗୁଜରାଣ ମେଣ୍ଟାଉଥିଲେ। ଶାଖା କେନାଲକୁ ପାଣି ଯିବା ସହ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇପାରୁଥିଲା। ନଅଙ୍କ ଦୁର୍ଭିକ୍ଷ ପରେ ପରେ ଯେତେବେଳେ ତାଳଦଣ୍ଡା ଓ ଏହାର ଶାଖା ମାଛଗାଁ କେନାଲ ଖୋଳା ଯାଇଥିଲା ସେତେବେଳେ ଅଳକା ନଦୀର ଉତ୍ପତ୍ତିସ୍ଥଳ ମୁହଁ ବନ୍ଦ ହୋଇଯାଇଥିଲା। ନଦୀରେ ଧୀରେ ଧୀରେ ଜଳପ୍ରବାହ ବନ୍ଦ ହୋଇଥିଲା। ଜଳପ୍ରବାହ କମିବା ପରେ ଜବରଦଖଲ ଆରମ୍ଭ ହୋଇଥିଲା। ଏପରକି ଜଗତସିଂହପୁର ସହର ସମେତ ଆଉ କେତେକ ଅଞ୍ଚଳରେ ଅନେକ ଲୋକ ଜବରଦଖଲ କରି ନିଜ ନାଁରେ ପଟ୍ଟା କରାଇ ନେଇଥିଲେ। ଏବେ ଅଳକା ନଦୀଗର୍ଭରେ ଗାଲୁପଡ଼ା ପୋଲଠାରୁ କଣ୍ଟାପଡ଼ା ପର୍ଯ୍ୟନ୍ତ ଶହଶହ କୋଠା ତିଆରି ହୋଇ ସାରିଲାଣି।  ଫଳରେ ଅଳକା ପୁନରୁଦ୍ଧାର ପାଇଁ ଖନନ ବେଳେ ବାଧା ଉପୁଜିଥିଲା। ଏ କଥା ତହସିଲ ଓ ଜିଲ୍ଲା ପ୍ରଶାସନ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିଲେ।

ମୃତ ଅଳକା ନଦୀକୁ ଜୀବନ୍ୟାସ ଦେବା ପାଇଁ ଯୋଜନା କରାଯାଇ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଖନନ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଅବସ୍ଥା ଆହୁରି ସଙ୍ଗିନ। ଅଳକା ସମ୍ପୂର୍ଣ୍ଣ ମୃତପ୍ରାୟ ହୋଇ ଯାଇଥିବା ବେଳେ ଜବରଦଖଲ ବଢ଼ି ଚାଲିଛି। ପ୍ରଶାସନିକ ନିଷ୍କ୍ରିୟତା ଅଳକାର ଜୀବନ୍ୟାସ କ୍ଷେତ୍ରରେ ବାଧକ ସାଜିଛି।