ବଲାଙ୍ଗୀର: ୧୯୬୭ରୁ ୧୯୭୧ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ। ଏବେ ତାଙ୍କ ନାତି ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳିବେ। ଉପମୁଖ୍ୟମନ୍ତ୍ରୀ ହେବାରେ ଶ୍ରୀ ସିଂହଦେଓ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଦ୍ବିତୀୟ ରାଜନେତା। ତାଙ୍କ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରରେ ହେମାନନ୍ଦ ବିଶ୍ବାଳ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ।

Advertisment

ରାଜ୍ୟରେ ବିଜେପି ସରକାର ଗଠନ ହେବା ସୁନିଶ୍ଚିତ ହେବାସହ ବଲାଙ୍ଗୀର ଜିଲ୍ଲାର ପ୍ରାଧାନ୍ୟ ବି ବଢ଼ିଯାଇଥିଲା। କାରଣ ବଲାଙ୍ଗୀର ଲୋକସଭା କ୍ଷେତ୍ରର ୭ଟି ଆସନରୁ ବିଜେପି ୫ଟି ଆସନ ଅକ୍ତିଆର କରିଥିଲା। ଲୋକସଭା ଆସନ ବି ବିଜେପି ଖାତାକୁ ଯାଇଥିଲା। ତେଣୁ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ନବଗଠିତ ମନ୍ତ୍ରିମଣ୍ଡଳରେ ଗୁରୁଦାୟିତ୍ବ ତୁଲାଇବେ ବୋଲି ଚର୍ଚ୍ଚା ହେଉଥିଲା। ଶେଷରେ, ତାହା ହିଁ ହୋଇଛି ଏବଂ ବିଜେପି ବିଧାୟକ ଦଳ ବୈଠକରେ ଶ୍ରୀ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ପିତା ଆର୍‌ଆର୍‌ ସିଂଦେଓଙ୍କ ଦେହାନ୍ତ ପରେ ଶ୍ରୀ ସିଂହଦେଓ ୨୦୦୪ ମସିହା ଏପ୍ରିଲ୍‌ ମାସରେ ପାଟଣା ମହାରାଜ ଭାବେ ଅଭିଷିକ୍ତ ହୋଇଥିଲେ। ଏଥିସହିତ, ରାଜନୀତିରେ ମଧ୍ୟ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଆସୁଥିଲେ। ୧୯୯୫ ମସିହାରୁ ‌କ୍ରମାଗତ ଭାବେ ୫ଟି ନିର୍ବାଚନରେ ବିଜୟୀ ହୋଇ ସେ ଜଣେ ଦକ୍ଷ ଏବଂ ଅଭିଜ୍ଞ ରାଜନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ।

ବିଜେଡି-ବିଜେପି ମେଣ୍ଟ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ତୁଲାଇଥିଲେ। ତେବେ, ୨୦୧୯ ମସିହା‌ରେ ସେ ପରାଜିତ ହୋଇଥିବା ବେଳେ ଚଳିତଥର ପୁଣିଥରେ ବିଜୟ ହାସଲ କରିଛନ୍ତି। ଶ୍ରୀ ସିଂହଦେଓଙ୍କ ପତ୍ନୀ ସଂଗୀତା କୁମାରୀ ସିଂହଦେଓ ମଧ୍ୟ ରାଜନୀତିରେ ବେଶ୍‌ ସଫଳତା ପାଇଛନ୍ତି। ଚଳିତ ୨୦୨୪ ମସିହା ନିର୍ବାଚନକୁ ମିଶାଇ ସେ ୫ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏକମାତ୍ର ବିବାହିତା ଝିଅ ନିଭ୍ରିତି ମେୱାର୍ ସକ୍ରିୟ ରାଜନୀତିରେ ନଥିଲେ ମଧ୍ୟ ନିର୍ବାଚନ ସମୟରେ ବାପା-ମା’ଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଆସୁଛନ୍ତି। ଆଜି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବାରୁ ବଲାଙ୍ଗୀର ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି।