ସୋର: ଅଜାଙ୍କ ଦଶାହକ୍ରିୟା ବେଳେ ଦୁଇ ନାତି ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକଦ୍ବୟ ହେଲେ ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ନଟାପଡ଼ା ପଞ୍ଚାୟତ ୱାଦା ଗାଁର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ (୧୬) ଓ ବିଦୁ ଗାଁର ସ୍ବର୍ଗତ ନାରାୟଣ କରଙ୍କର ପୁଅ ଚନ୍ଦନ (୨୭)। ଏହି ହୃଦୟ ବିଦାରକ ଘଟଣାକୁ ନେଇ ଦୁଇ ପରିବାରରେ କାନ୍ଦବୋବାଳି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।

Advertisment

ସୂଚନା ମୁତାବକ, ୱାଦା ଗ୍ରାମର ବିଷ୍ଣୁଚରଣ ପାଢ଼ୀଙ୍କର ଆଜି ଦଶାହ କର୍ମ ଥିଲା। ତେଣୁ ମୁଣ୍ଡନ ପାଇଁ ପରିବାର ଲୋକେ ଦିନ ପ୍ରାୟ ୧୧ଟା ବେଳକୁ ବାଗୁଡ଼ି ନିକଟ ପଥରକଟା ପୋଖରୀକୁ ଯାଇଥିଲେ। ସେଠାରେ ବିଷ୍ଣୁଚରଣଙ୍କ ନାତି ସୁଶାନ୍ତ (୧୬) ଓ ଚନ୍ଦନ (୨୭) ଦୁହେଁ ଆଗ ମୁଣ୍ଡନ ହେବା ପରେ ଗାଧୋଇବା ଲାଗି ପୋଖରୀ ଭିତରେ ପଶିଥିଲେ। ଏହି ସମୟରେ ଚନ୍ଦନଙ୍କର ଗୋଡ଼ ଖସିଯାଇଥିଲା। ବଡ଼ଭାଇ ଗଭୀର ଜଳରେ ବୁଡ଼ି ଯାଉଥିବା ଦେଖି ସୁଶାନ୍ତ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ସେ ମଧ୍ୟ ବୁଡ଼ିଯାଇଥିଲେ। ଦୁହେଁ ପାଣି ଭିତରୁ ନ ବାହାରିବାରୁ ଅନ୍ୟମାନେ ପୋଖରୀକୁ ଯାଇ ଖୋଜିଖୋଜି କରିବା ସହ ଗାଁ ଲୋକଙ୍କୁ ଖବର ଦେଇଥିଲେ। ପ୍ରଥମେ ଚନ୍ଦନଙ୍କୁ ଉଦ୍ଧାର କରି ଗ୍ରାମବାସୀ ବାଗୁଡି ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀର୍ଘ ସମୟ ପରେ ସୁଶାନ୍ତଙ୍କୁ ଗଭୀର ଜଳରୁ ଉଦ୍ଧାର କରି ସୋର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ଦୁହିଁଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ସୁଶାନ୍ତ ସ୍ବର୍ଗତ ବିଷ୍ଣୁଚରଣଙ୍କ ପୁଅ ପିତାମ୍ବର ପାଢ଼ୀଙ୍କ ପୁଅ ହୋଇଥିବା ବେଳେ ଚନ୍ଦନ ତାଙ୍କ ଜ୍ୱାଇଁ ସ୍ବର୍ଗତ ନାରାୟଣ କରଙ୍କ ପୁଅ ବୋଲି ଜଣାପଡିଛି।