ପୁଣି ଗଞ୍ଜାମରେ ବିଦ୍ୟୁତ ଆଘାତରେ ଜେଜେମା ଓ ନାତିର ମୃତ୍ୟୁ

ଗଞ୍ଜାମ: ସପ୍ତାହକ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ ୧୨ ଜଣଙ୍କ ଜୀବନ ନେଲାଣି | ଗତ ରବିବାର ଦିନ ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି | ମୃତକ ଦୁଇ ଜଣ ସମ୍ପର୍କରେ ଜେଜେମା-ନାତି | ମିଳିଥିବା ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅଧିନ କୋକଲୁଣ୍ଡା ଗ୍ରାମରେ ବିଦ୍ୟୁତ ଆଘାତରେ ଆସି ନାତି ରାଜେଶ ଜେନା(୨୦) ଓ ଜେଜେମା ଶିଶୁଳା ଜେନା(୭୨)ଙ୍କର ମୃତ୍ୟୁ ଘଟିଛି । ଆଜି ଦିନ ତିନିଟା ସମୟରେ ରାଜେଶ ଗାଧୋଇ ସାରି ନିଜର ଓଦା ଚଦରକୁ ଘରେ ଥିବା ଲୁହା ରଡ଼ ଉପରେ ଶୁଖାଇବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ନାତି ଛଟପଟ ହେବା ଦେଖି ଜେଜେମା ଦୌଡ଼ି ଯାଇ ନାତିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।

Patrika

ସେ ବିଦ୍ୟୁତ ଆଘାତରେ ଆସି ଗୁରୁତର ହୋଇଥିଲେ। ପରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଗୁରୁତର ନାତି ଓ ଜେଜେ ମା କୁ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଦୁଇଟିକୁ ଜବତ କରି ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି।

ଏଠାରେ ସୂଚନା ଥାଉ କି ରବିବାର ଦିନ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ ମେଣ୍ଢାରାଜପୁର ଡଙ୍କଲପାଡୁ ଗ୍ରାମ୍ୟ ରାସ୍ତାରେ ୧୧କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ପ୍ରାଣହାନି ଘଟିଥିଲା | ନିର୍ବନ୍ଧ ପାଇଁ ବନ୍ଧୁବାନ୍ଧବଙ୍କୁ ନେଇ ସୀଲକ ସିଟି ବସରେ ବରପକ୍ଷର ପରିବାର କନ୍ୟାଘରକୁ ଯାଉଥିଲେ । ଗାଁ ମୁଣ୍ଡ ଛକରେ ଉପରୁ ଓହଳିଥିଲା ମୃତ୍ୟୁ ରୂପି ୧୧କେଭି ବିଦ୍ୟୁତ ତାର। ଏହି ତାର ସଂସ୍ପର୍ଶରେ ଆସି ପୂରା ବସ୍‌ଟିରେ କରେଣ୍ଟ୍‌ ଚାର୍ଜ ହୋଇଯାଇଥିଲା । ଆଉ ବସ୍‌ରେ ବସିଥିବା ୪୩ ଜଣଙ୍କ ଭିତରୁ ୧୦ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର