ବୃଦ୍ଧା ଜେଜେମା’ କାନ୍ଧରେ ୪ ନାତିନାତୁଣୀଙ୍କ ଭାର

ବାରିପଦା/ଶାଳଚୁଆ: ବିକାଶ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ତେବେ ଯୋଜନାର କାଣିଚାଏ ଲାଭ ପାଉନାହାନ୍ତି ଯୋଗ୍ୟ ହିତାଧିକାରୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଶିମିଳିପାଳ ପାଦଦେଶରେ ଥିବା କଟୁରିଆ ହୁଡ଼ିସାହିର ବୃଦ୍ଧା ସାକ୍ରା ସୋରେନ ହେଉଛନ୍ତି ଏହାର ଉଦାହରଣ। ୪ଜଣ କୁନି କୁନି  ନାତି, ନାତୁଣୀଙ୍କୁ ନେଇ ସେ ଯେମିତି ଦୟନୀୟ ଭାବେ ଚଳୁଛନ୍ତି ଯେ କେହି ଦେଖିଲେ ଆଖିରୁ ଲହ ଝରିଆସିବ। ସାକ୍ରାଙ୍କର ସମ୍ବଳ କହିଲେ ଚାଳଛପର ଭଙ୍ଗା ଘରଟିଏ। ଜମିବାଡ଼ି କିଛି ନାହିଁ। ସରକାରୀ ସହାୟତା କହିଲେ ମାସକୁ ୩୫ କିଲୋ ଚାଉଳ ମିଳୁଛି। ଭତ୍ତା ନାହିଁ କି ଆବାସ ଘର ମିଳିନାହିଁ। ଭଙ୍ଗା କୁଡ଼ିଆରେ ୩ ନାତି ଓ ଜଣେ ନାତୁଣୀଙ୍କୁ ନେଇ ସେ ଜୀବନ ବିତାଉଛନ୍ତି।

୨ ବର୍ଷ ପୂର୍ବେ ପୁଅ ରେନେଟାର ମୃତ୍ୟୁ ହୋଇଥିଲା। ଆଉ ବୋହୂ ତାମଡ଼ ବର୍ଷେ ହେଲା କେଉଁ ଆଡେ ଯାଇଛି ଯେ ତାର ଦେଖା ନାହିଁ। ଏହି ପରିଣତ ବୟସରେ ଅଭାବ ଅନଟନ ସତ୍ତ୍ବେ ସାକ୍ରା ନାତି-ନାତୁଣୀଙ୍କୁ ମଣିଷ କରିବାକୁ ମୁଲମଜୁରି କରିଛନ୍ତି। ତେବେ ସେମାନଙ୍କ ପେଟକୁ ଦାନା ଦେବାକୁ ସମ୍ବଳ ନାହିଁ। ଅଧିକାଂଶ ଦିନ ପଖାଳ ଭାତ କେବଳ ଲୁଣ ଲଗାଇ ଖାଇବାକୁ ପଡ଼ୁଛି ବୋଲି କହନ୍ତି ସାକ୍ରା। ତାଙ୍କ ସବା ସାନ ନାତି ରାମ ଦ୍ବିତୀୟ ଶ୍ରେଣୀରେ, ମଝିଆ ନାତି ବିଶୁ ଚତୁର୍ଥ ଓ ବଡ଼ ନାତି ମଦନ ଷଷ୍ଠ ଶ୍ରେଣୀରେ ଗାଁ ସ୍କୁଲରେ ପଢୁଛନ୍ତି।

ସିକ୍ରାଙ୍କ ବଡ଼ ନାତୁଣୀ ସିନ୍‌ଗ ଗାଁ ପାଖ ଏକ ସରକାରୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପଢୁଛି। ଅସହାୟ ପରିବାରକୁ ସରକାରୀ ସହାୟତା ପାଇଁ ଗାଁ ପାଖ ଜୟ ମୁର୍ମୁ ନାମକ ଜଣେ ସମାଜସେବୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି। କେହି ହେଲେ ଏମାନଙ୍କ ଦୁଃଖ ଶୁଣୁ ନାହାନ୍ତି ବୋଲି ସେ କହିଛନ୍ତି। ଫଳରେ ଦାରିଦ୍ର୍ୟ ଓ ଅଭାବ ଅନଟନ ମଧ୍ୟରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଏହି ପରିବାର। ପିଲାଙ୍କୁ କିପରି ମଣିଷ କରିବେ ସେଇ ଚିନ୍ତାରେ ଅଛନ୍ତି ଜେଜେମା’ ସାକ୍ରା।

ସମସ୍ତଙ୍କ ପାଇଁ ସରକାର ଯୋଜନା କରୁଛନ୍ତି। ହେଲେ ତାଙ୍କ ପ୍ରତି ସରକାର କଣ ପାଇଁ ନିଷ୍ଠୁର ହୋଇଛନ୍ତି ବୋଲି ସେ କହିଛନ୍ତି। ଯାଏ ବଞ୍ଚିଥିବି ନାତି-ନାତୁଣୀଙ୍କ ମୁହଁରେ ଆହାର ଯୋଗାଉଥିବି। ମରଗଲା ପରେ ସେମାନେ ନିଜ ଭାଗ୍ୟକୁ ଆଦରି ପଡ଼ିବେ ବୋଲି ଆଜି ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ଆସିଥିବା ବେଳେ କାନ୍ଦିକାନ୍ଦି କହୁଥିଲେ ସାକ୍ରା। ତେବେ ସାକ୍ରା ନିଜ ନାତିନାତୁଣୀଙ୍କୁ ଧରି ଜିଲ୍ଲାପାଳଙ୍କ ପାଖ‌କୁ ଆସିଥିବା କୌଣସି ସୂତ୍ରରୁ ଖବର ପାଇ ପହଞ୍ଚି ଯାଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ବାଳ। ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ମିଳିବି ବୋଲି ପ୍ରତିଶ୍ରୁତି ଦେଇ ଜିଲ୍ଲାପାଳଙ୍କୁ ସାକ୍ଷାତ ନକରାଇ ଫେରାଇ ଦେଇଥିଲେ। ତେବେ ସେ ନିଜ ପ୍ରତିଶ୍ରୁତି ରଖୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର