ତେନ୍ତୁଳିଖୁଣ୍ଟି: ସାମାନ୍ୟ କେଇ ଟଙ୍କା ପାଇଁ ମା’ ଓ ପୁଅଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବସସା। ଏହି ସମୟରେ ନାତି ମଝିରେ ପଶିଥିଲା। ନିଜ ବାପାଙ୍କୁ ମାଡ଼ ମାରିଥିଲା। ଜେଜେ ମା ମଝିରେ ଆସିବାରୁ ତାଙ୍କୁ ମଧ୍ୟ ଠେଲି ଦେଇଥିଲା ନାତି। ଫଳରେ ତଳେ ପଡ଼ି ଜେଜେ ମା’ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ଜେଜେମାଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇପଡ଼ିଥିଲା ନାତି। ଏହାପରେ ମା ଏବଂ ପୁଅ ମିଶି ଶବକୁ ପୋତିଦେବାକୁ ଯୋଜନା କରିଥିଲେ। ପରେ ମଧ୍ୟ ରାତ୍ରରେ ଶବକୁ ଏକ ନାଳରେ ପୋତିଦେଇଥିଲେ। ଆଜି ଏହି ଘଟଣା ଉପରୁ ପରଦା ଉଠାଇଛି ପୁଲିସ। ଏଭଳି ଏକ ସମ୍ବେଦନଶୀଳ ଘଟଣା ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆ ଗୁଡା ଗ୍ରାମରେ ଘଟିଛି। ଘଟଣାର ଚାରିଦିନ ପରେ ଉଭୟ ମା’ ଓ ପୁଅଙ୍କୁ ଥାନାକୁ ଆଣି ପୁଲିସ ତଦନ୍ତ ଆରମ୍ଭ କରିଛି। ମା’ ଓ ଅଟକ ଅଛନ୍ତି। ଆସନ୍ତାକାଲି ପୋତାଯାଇଥିବା ସ୍ଥାନ ଖୋଳି ମୃତଦେହ ବାହାର କରି ଘଟଣା ସ୍ଥଳରେ ହିଁ ବ୍ୟବଛେଦ କରାଯିବ ବୋଲି ଏସଡିପିଓ ଆଦିତ୍ୟ ସେନ ସୂଚନା ଦେଇଛନ୍ତି।

Advertisment

ପୁଲିସ ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଖଣ୍ଡିଆ ଗୁଡା ଗ୍ରାମରେ ଚଳିତ ମାସ ୯ତାରିଖ ଦିନ ବାଲିଯାତ୍ରା ଶୁଭ ପଡିଥିଲା। ଗ୍ରାମରେ ଗହଳ ଚହଳ ଲାଗି ରହିଥିଲା। ଖଣ୍ଡିଆଗୁଡା ଗ୍ରାମର ଖଣ୍ଡିଆସାହିର ଆଦୁ ଯାନୀ ମଧ୍ୟ ରାତ୍ରରେ ନିଜ ମା’ ସୋନାଇଁ ଯାନୀଙ୍କୁ ମଦ୍ୟପାନ କରି ପାଟିତୁଣ୍ଡ କରି ଟଙ୍କା ମାଗୁଥିଲା। ଏହି ସମୟରେ ନାତି ଜଗବନ୍ଧୁ ଯାନୀ(୨୦) ଆସି ନିଜ ବାପାଙ୍କୁ ତାଗିଦ କରି ଗୋଟିଏ ଗୋଇଠା ମାରିଥିଲା। ଏହା ଦେଖି ଜେଜେମା ସୋନାଇଁ ମୋ ପୁଅକୁ କାହିଁକି ମାରୁଛୁ ବୋଲି ନାତିକୁ ପାଟି କରିଥିଲା। ଏଥିରେ ନାତି ଜଣଙ୍କ ନିଜ ଜେଜେମାଙ୍କୁ ଠେଲି ଦେବାରୁ ତଳେ ପଡ଼ି ଘଟଣା ସ୍ଥଳରେ ହିଁ ସୋନାଇଁ ଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ପୁଅ ଜଗବନ୍ଧୁ ଏବଂ ମା କୁନି ଯାନୀ ମିଶି ଯୋଜନା କରିଥିଲେ। ମଧ୍ୟ ରାତ୍ରରେ ନିଜ ଘର ନିକଟରେ ଥିବା ଏକ ନାଳ ନିକଟରେ ସୋନାଇଁଙ୍କ ଶବକୁ ପୋତିଦେଇ ଚାଲି ଆସିଥିଲେ। ପରେ ଜଗବନ୍ଧୁ ଅନ୍ୟତ୍ର ଚାଲି ଯାଇଥିଲା। ଆଜି ଅପରାହ୍‌ଣ ୪ଟା ସମୟରେ ମୃତ ସୋନାଇଁଙ୍କ ଭଣଜା ଲକିନାଥ ଯାନୀ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଶବ ପୋତାଯାଇଥିବା ସ୍ଥାନ ଚି଼ହ୍ନଟ କରିଛି ।ତଦନ୍ତ ପ୍ରକ୍ରିୟାରେ ସନ୍ଧ୍ୟା ହୋଇଯିବାରୁ ଆସନ୍ତାକାଲି ଶବ ଉଦ୍ଧାର କରାଯିବ ଏବଂ ଘଟଣାସ୍ଥଳରେ ହିଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶବ ବ୍ୟବଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।  ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ କେସର ତଦନ୍ତ କରୁଛନ୍ଆତି। ଉଭୟ ମା’ ଓ ପୁଅଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।