କୂଅରେ ବୁଡ଼ିଗଲେ ଦାଦା, ପୁତୁରା: ପୁତୁରାକୁ ବଞ୍ଚାଇବାକୁ ଯାଇ ଫେରିଲେନି ଦାଦା

ଜଟଣୀ: ଆଜି ଜଟଣୀ ଥାନା ଅନ୍ତର୍ଗତ ଗୋଡ଼ାଧର୍ମସାଗର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ରାଗରେ କୂଅକୁ ଡେଇଁ ପଡ଼ିଥିବା ପୁତୁରାକୁ ବଞ୍ଚାଇବାକୁ ଯାଇ ଦାଦା ପ୍ରାଣ ହରାଇଛନ୍ତି। ଉଭୟ ମୃତକ ହେଲେ ଦାଦା ଦୁଲାରାମ ନାଏକ(୫୦) ଓ ପୁତୁରା ଅଖିଳ ନାଏକ(୧୮)। ଜଟଣୀ ଥାନା ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାଟି ଆଜି ଗୋଡ଼ାଧର୍ମସାଗର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଆଜି ସକାଳେ ନିଖିଳଙ୍କ ପରିବାରରେ କୌଣସି ଏକ ଘଟଣାକୁ କେନ୍ଦ୍ର କଳି ଲାଗିଥିଲେ। ଆତ୍ମହତ୍ୟା କରିବା ଲାଗି ନିଖିଳ ରାଗରେ କୂଅକୁ ଡେଇଁ ପଡ଼ିଥିଲେ।

ଗଭୀର କୂଅରେ ସେ ବୁଡ଼ି ଯାଉଥିବା ବେଳେ ପରିବାର ଲୋକେ ତାଙ୍କୁ ବଞ୍ଚାଇବାକୁ ବିକଳ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଦୁଲାରାମ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ପୁତୁରାକୁ ବଞ୍ଚାଇବା ପାଇଁ କୂଅକୁ ଡେଇଁପଡ଼ିଥିଲେ। ମାତ୍ର ଦାଦା ଓ ପୁତୁରା ପାଣିରେ ଭିଡ଼ାଭିଡ଼ି ହୋଇ କୂଅରେ ବୁଡ଼ିଯାଇଥିଲେ। ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳକୁ ଛୁଟିଥିଲେ। ମାତ୍ର ଗଭୀର କୂଅକୁ ପଶିବା ପାଇଁ କାହାର ଜୁ’ ନଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି କୂଅରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଜଟଣୀ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର