ଟଙ୍କା ଲୋଭ ଦେଖାଇ ସମ୍ପର୍କୀୟ ୬ ବର୍ଷ ବୟସର ନାତୁଣୀକୁ ଦୁଷ୍କର୍ମ, ଅଜାକୁ ୧୦ ବର୍ଷ ଜେଲ

ରାଉରକେଲା/ସୁନ୍ଦରଗଡ଼: ଛଅ ବର୍ଷୀୟା ସମ୍ପର୍କୀୟ ନାତୁଣୀଙ୍କୁ ଦୁଷ୍କର୍ମ ମାମଲାର ଆଜି ଫଇସଲା ହୋଇଛି। ଦୁଷ୍କର୍ମୀ ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଗଦିଶପୁର ଗାଁର ପାଣ୍ଡୁକା କିଶାନ(୭୦)କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି। ଅନାଦେୟ ଆହୁରି ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାରକରି ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ପ୍ରଜାଇଡିଂ ଅଫିସର ସ୍ବତନ୍ତ୍ର ପକ୍ସୋ କୋର୍ଟ(ସୁନ୍ଦରଗଡ଼) ପାର୍ଥ ସାରଥୀ ପଟ୍ଟନାୟକ ମାମଲାର ବିଚାରକରି ରାୟ ପ୍ରକାଶ କରିଛନ୍ତି। ଏହାସହ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ମିଶ୍ର ମାମଲା ପରିଚାଳନା କରିଥିଲେ।

ଏହି ଲୋମହର୍ଷଣକାରୀ ଘଟଣା ୨୦୧୩ ମସିହା ମାର୍ଚ୍ଚ ୨୫ ତାରିଖରେ ଘଟିଥିଲା। ନାବାଳିକା(୬) ନିଜ ବାପା-ମା’ଙ୍କ ସହ ଜଗଦିଶପୁର ସ୍ଥିତ ନିଜ ମାମୁଁ ଘରକୁ ପୂଜା ପାଇଁ ଆସିଥିଲେ। ଘଟଣା ଦିନ ବାପା-ମା’ ପୂଜା ଦେଖିବାକୁ ଯାଇଥିବାବେଳେ ନାବାଳିକା ଘରେ କିଛି ସାଙ୍ଗସାଥୀଙ୍କ ସହ ଖେଳୁଥିଲେ। ରାତି ପ୍ରାୟ ୮ଟାରେ ସମ୍ପର୍କୀୟ ଅଜା ପାଣ୍ଡୁକା କିଶାନ ସେଠାରେ ପହଞ୍ଚିଥିଲା। ନାବାଳିକାଙ୍କୁ ଟଙ୍କା ଦେବାକୁ କହି ନିଜ ଘରକୁ ନେଇଆସିଥିଲା। ପରେ ପାଣ୍ଡୁକା ବଳପୂର୍ବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। କୌଣସିମତେ ନାବାଳିକା ସେଠାରୁ ଖସି ଆସି ପରିବାର ସଦସ୍ୟଙ୍କୁ ଘଟଣା ବିଷୟରେ କହିଥିଲେ। ତା’ ପରଦିନ, ଅର୍ଥାତ୍‌ ମାର୍ଚ୍ଚ ୨୬ ତାରିଖରେ ବୀରମିତ୍ରପୁର ଥାନାରେ ଏନେଇ ଏତଲା ହେବାପରେ ପୁଲିସ ପାଣ୍ଡୁକାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧିତ ଖବର