ବିଦ୍ୟୁତ ଆଘାତରେ ଯୁବକ ମୃତ, ଖବର ଶୁଣି ଟଳିପଡ଼ିଲେ ଜେଜେମା

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଡଙ୍ଗରପଡ଼ା ଗ୍ରାମରେ ଜଣେ ଯୁବକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇବା ଖବର ପାଇ ତାଙ୍କ ଜେଜେମାଙ୍କ ମଧ୍ୟ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ନାତି ଓ ଜେଜେମାଙ୍କ ଏଭଳି ଆକସ୍ମିକ ମୃତ୍ୟୁରେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି।

ସୂଚନାନୁସାରେ ହଳଦୀ ପଞ୍ଚାୟତ ଡଙ୍ଗରପଡା ଗ୍ରାମର ମାଖୁନୁ ନାଏକଙ୍କ ବଡ଼ ପୁଅ ଚନ୍ଦ୍ରମଣି ନାଏକ(୩୦) ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। ବୁଧବାର ଅପରାହ୍ଣରେ ଘଣ୍ଟବାହାଲ ଗ୍ରାମର କଳାକାହ୍ନୁ ଛୁରାଙ୍କ ଘର ଛାତରେ ସେ ଛଡ଼ ବନ୍ଧେଇ କାମ କରୁଥିବା ବେଳେ ଘର ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ ଆଘାତରେ ଗୁରୁତର ଚନ୍ଦ୍ରମଣିଙ୍କୁ ଏକ ଆମ୍ବୁଲାନ୍ସରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଦେବଦତ୍ତ ସାହୁ କହିଥିଲେ। ଚନ୍ଦ୍ରମଣିଙ୍କ ମୃତ୍ୟୁ ଖବର ପାଇ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଘରେ ବି କାନ୍ଦ ବୋବାଳି ପଡ଼ିଥିଲା। ତେବେ ଚନ୍ଦ୍ରମଣି ମୃତ୍ୟୁ ଖବର ଶୁଣି ଶଯ୍ୟାଶାୟୀ ଥିବା ତାଙ୍କର ଜେଜେମା ଯଶୋଦା ନାଏକ(୯୦ ବର୍ଷ) ମଧ୍ୟ ହୃଦ୍‌ଘାତରେ ଟଳି ପଡ଼ିଥିଲେ। ମାତ୍ର କେଇ ମିନିଟ୍‌ ମଧ୍ୟରେ ନାତି ଓ ଜେଜେମାଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ଓ ମୁରିବାହାଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଚନ୍ଦ୍ରମଣିଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ମେଡ଼ିକାଲକୁ ନିଆଯାଇଥିଲା। ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଗୁରୁବାର ସକାଳେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ମୁରିବାହାଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏସ୍‌ଆଇ ସରୋଜ ରଞ୍ଜନ ରଥ ପ୍ରକାଶ କରିଛନ୍ତି। ଗୁରୁବାର ଉଭୟ ନାତି-ଜେଜେମାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର