ବ୍ୟାସନଗର: ବ୍ୟାସନଗରର ବସ୍ତି ଅଞ୍ଚଳରେ ଅପରାଧ ବଢ଼ିବାରେ ଲାଗିଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ପନାସିଆ ବସ୍ତିରେ ଭିଣୋଇ ନିଜ ସାନଶଳାକୁ ହତ୍ୟା କରିଥିବାବେଳେ ଆଜି ପୌରାଞ୍ଚଳର ୧୩ ନଂ ୱାର୍ଡ ନହକା ବାଇପାସ୍ ରାସ୍ତାକଡ଼ରେ ଥିବା ଡାବସାହି ଆଦିବାସୀ ବସ୍ତିରେ ୫ ବର୍ଷର ନାତୁଣୀକୁ ତଣ୍ଟି ଚିପି ଜେଜେମା’ ମାରି ଦେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଉଭୟ ଜେଜେମା’ ଓ ଜେଜେବାପାଙ୍କୁ ଉଠାଇ ନେଇ ପଚରାଉଚରା ଚଳାଇଛି।
ବର୍ଷକ ତଳେ ଅଭିଯୁକ୍ତ ଦମ୍ପତିଙ୍କ ପୁଅବୋହୂ ନାତୁଣୀ ସୁକୁରୁମୁନି(୫) ଓ ନାତି କାନ୍ଦୁରୁ(୪)କୁ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ। ନାତିନାତୁଣୀଙ୍କୁ ସାଙ୍ଗରେ ଧରି ଏହି ଦମ୍ପତି ଡାବସାହିର ମୀନା ପୂର୍ତ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ। ସେମାନେ ପ୍ରତିଦିନ ନାତିନାତୁଣୀଙ୍କୁ ମାରପିଟ୍ କରିବା ସହିତ ନିର୍ଯାତନା ଦେଉଥିଲେ। ଏପରିକି ନିଆଁ ଚେଙ୍ଖ ଦେଇଥିବା ପଡ଼ୋଶୀ କହିଛନ୍ତି। ଗତକାଲି ଶନିବାର ସନ୍ଧ୍ୟାରେ ଜେଜେମା’ ଗୁରୁବାରୀ ମୁର୍ମୁ (୪୫) ନାତୁଣୀ ସୁକୁରୁମୁନିକୁ ମାଡ଼ ମାରିବା ସହ ତଣ୍ଟି ଚିପି ମାରିଦେଇଥିଲା। ଏହାପରେ ମୃତଦେହକୁ ଘର ଭିତରେ ଲୁଚେଇ ରଖିଥିଲା। ମୂଲ ଲାଗିବାକୁ ଯାଇଥିବା ସ୍ୱାମୀ ଚରଣ ମୁର୍ମୁ ଘରକୁ ଫେରି ଏହା ଜାଣିଥିଲେ ହେଁ ନିରବ ରହିଥିଲା। ଏହି ଘଟଣାକୁ ନାତି କାନ୍ଦୁରୁ ଦେଖିଥିଲା। କାଳେ ସେ କାହାକୁ କହିଦେବ ସେଥିପାଇଁ ଜେଜେ ଓ ଜେଜେମା’ ତାକୁ ଧମକ ଦେଇଥିଲେ। ଆଜି ସକାଳେ ଡାବସାହିର ପଡ଼ୋଶୀମାନେ ସୁକୁରୁମୁନି ମରିଯାଇଥିବା କଥା ଜାଣିଥିଲେ। ପରେ କାନ୍ଦୁରୁ କାନ୍ଦିକାନ୍ଦି ତା ଦିଦିକୁ ଜେଜେମା’ ତଣ୍ଟିଚିପି ମାରି ଦେଇଥିବା କହିଥିଲା।
ସାହିର ଲୋକମାନେ ଚରଣ ଓ ଗୁରୁବାରୀଙ୍କୁ ପଚାରିବାରୁ ନାତୁଣୀ କେମିତି ମଲା ସେମାନେ କିଛି ଜାଣିନଥିବା କହିଥିଲେ। ଖବର ପାଇ ଯାଜପୁରରୋଡ ପୁଲିସ ଚରଣ ମୁର୍ମୁ ଓ ଗୁରୁବାରୀଙ୍କୁ ଉଠାଇ ନେଇ ଥାନାରେ ପଚରାଉଚରା ଚଳାଇଛି। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ମୃତ ଶିଶୁକନ୍ୟାର ମୁହଁ ଓ ଶରୀରରେ କ୍ଷତ ଚିହ୍ନ ଥିବାବେଳେ ନାକରୁ ଫେଣ ବାହାରିଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି, ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଦମ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।