ଜେଜେମା’ଙ୍କୁ ହତ୍ୟା ଅଭିଯୋଗରେ  ନାତି ଗିରଫ

ରାଇରଙ୍ଗପୁର/ଝରାଡ଼ିହି (୨): ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଁଳାଯୋଡ଼ି ଗ୍ରାମରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ନାତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମୃତକଙ୍କ ଝିଅ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନଂ ୫୨/୨୨ରେ ଏକ ମାମଲା ରୁଜୁ କରି ସେହି ଗ୍ରାମର ଗୋବିନ୍ଦ ମହାନ୍ତଙ୍କ ପୁଅ ଦେବୁ ମହାନ୍ତ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଁଳାଯୋଡ଼ି ଗ୍ରାମର ସଖୀ ମହାନ୍ତ (୭୫) ତାଙ୍କ ପୁଅ ଗୋବିନ୍ଦ ମହାନ୍ତଙ୍କ ପାଖରେ ରହୁଥିଲେ। ୧୪ ତାରିଖରେ ନାତି ଦେବୁ ମାରପିଟ୍‌ କରିବାରୁ ଜେଜେମା ସଖୀ ଗୁରୁତର ଅବସ୍ଥାରେ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ଓ ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ୧୫ ତାରିଖରେ ମୃତ୍ୟୁ ହୋଇ ଯାଇଥିଲା ବୋଲି ଗତକାଲି ସଖୀଙ୍କ ଝିଅ ବୃନ୍ଦାବତୀ ଅଭିଯୋଗ କରିଥିଲେ। ଚିକିତ୍ସା ଚାଲିଥିବାବେଳେ ନାତି ଦେବୁ ଜେଜେମା’ଙ୍କୁ ମାରପିଟ୍‌ କରିବା ସହ ଟଣାଘୋଷରା କରିଥିବା ନେଇ ବାରିପଦା ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ପାଇ ବହଳଦା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଅଭିଯୁକ୍ତ ନାତି ଦେବୁ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତେବେ ସଖୀ ପାଉଥିବା ପେନ୍‌ସନ୍‌ ଟଙ୍କାକୁ ନେଇ ପୁଅ ଗୋବିନ୍ଦ ଓ ବିବାହିତା ଝିଅ ବୃନ୍ଦାବତୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗୁଥିଲା ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର