କଟକ/ ନିଶ୍ଚିନ୍ତକୋଇଲି/ନେମାଳ: ନେମାଳ ଲେଣ୍ଡୁରାଭଗବାନପୁର ଡକାୟତି ଓ ହତ୍ୟା ମାମଲାର ପର୍ଦାଫାଶ କରିଛି ପୁଲିସ। ଡକାୟତ ନୁହେଁ ନିଜେ ମୃତକଙ୍କ ସମ୍ପର୍କୀୟ ନାତି ଭିଆଇଥିଲା ଏହି କାଣ୍ଡ। ଏହି ମାମଲାରେ ହୃଷିକେଶଙ୍କ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି(୧୯)ଙ୍କୁ ପୁଲିସ ଗିରଫ କରିଛି। ଓମ୍ ପ୍ରକାଶଠାରୁ ଲୁଟ ହୋଇଥିବା ଅଳଙ୍କାର ଓ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତ ମୃତକଙ୍କ ସମ୍ପର୍କୀୟ ହୋଇଥିବା ସୂଚନା ରହିଛି।ଏନେଇ ସାମ୍ବାଦିକ ସମିଳନୀ କରି ଅଧିକ ସୂଚନା ଦେବ ପୁଲିସ।
ତଥ୍ୟ ଅନୁଯାୟୀ ଲେଣ୍ଡୁରାଭଗବାନପୁର ଗ୍ରାମର ହୃଷୀକେଶ ମୁଦୁଲି (୬୯) ସ୍ଥାନୀୟ ଅନନ୍ତେଶ୍ବର ନୋଡ଼ାଲ୍ ଉଚ୍ଚବିଦ୍ୟାଳୟର କିରାଣି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ପତ୍ନୀ କନକଲତା (୫୮), ଗୋଟିଏ ପୁଅ ଓ ଝିଅକୁ ନେଇ ହୃଷୀକେଶଙ୍କ ପରିବାର। ପୂର୍ବରୁ ଝିଅର ବିବାହ ହୋଇଯାଇଥିଲା ବେଳେ ପୁଅ କଟକରେ ରହି ପଢୁଛନ୍ତି। ଘରେ ହୃଷୀକେଶ ଓ ପତ୍ନୀ କନକଲତା(୫୮) ରହୁଥିଲେ। ଗତକାଲି ରାତିରେ ପତିପତ୍ନୀଙ୍କ ସହ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି(୧୯) ତାଙ୍କ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ କବାଟ ଖୋଲିବା ପାଇଁ ହୃଷୀକେଶଙ୍କ ନାମ ଧରି ଡାକିଥିଲେ। ଡାକ ଶୁଣି ଦମ୍ପତି କବାଟ ଖୋଲିଥିଲେ ବୋଲି ନାତି ଓମ୍ ପ୍ରକାଶ କହିଛନ୍ତି। ଏହାପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ଆକ୍ରମଣ କରି ମାରଣାସ୍ତ୍ରରେ ହୃଷୀକେଶଙ୍କ ଗଳାକୁ କାଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲ।
/sambad/media/post_attachments/wp-content/uploads/2022/12/ctc-oo4-750x430-1.jpg)
ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ କନକଲତା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଲହୁଲୁହାଣ ଅବସ୍ଥାରେ କନକଲତା ଅଚେତ ହୋଇ ପଡ଼ି ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ନାତି ଓମ୍ ପ୍ରକାଶଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ପ୍ରତିବାଦ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଏକ କୋଠରୀରେ ପୂରାଇ ଦେଇଥିଲେ।
ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ସୁନା, ରୁପା ଅଳଙ୍କାର, ଟଙ୍କା ଆଦି ଲୁଟି ନେବା ସହିତ ଆଲମିରାରେ ଥିବା କାଗଜପତ୍ର, ହୃଷୀକେଶ ଘୋଡ଼ାଇ ହୋଇଥିବା କମ୍ବଳ ଆଦିରେ ନିଆଁ ଲଗାଇ ପଳାଇ ଯାଇଥିଲେ। ରାତି ପ୍ରାୟ ୪ଟାରେ ନାତି ଓମ୍ ପ୍ରକାଶଙ୍କ ଡାକ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହୃଷୀକେଶଙ୍କ ମୃତଦେହ ଓ କନକଲତା ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ। କନକଲତାଙ୍କୁ ସଂଗେ ସଂଗେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେ କୋମାରେ ଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ମୃତକଙ୍କ ଭାଇ ନୃସିଂହଚରଣ ମୁଦୁଲି ନେମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (କେସ୍ ନଂ-୨୧୯/୨୨) ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। କଟକରୁ ହୃଷୀକେଶଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/30469dc6-b9e5-4720-b27a-c8d8bd536c71.jpg)