ମାଣିଦା: ମୁଣ୍ଡ ଗୁଞ୍ଜିବାକୁ ନିଜର ଜାଗା ନାହିଁ। କେବେ ବସ୍ଣ୍ଟାଣ୍ଡରେ ତ କେବେ ପରପିଣ୍ଡାରେ ଶୋଇବାକୁ ପଡ଼ୁଛି। ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ। ଏହିପରି ଅସହାୟ ଅବସ୍ଥାରେ କାଳାତିପାତ କରୁଥିବା ଜଣେ ବୃଦ୍ଧା ୨୦୦ ଟଙ୍କାରେ ନିଜର ନାତିକୁ ବିକି ଦେଇଛନ୍ତି। ଭୋକ ସହିପାରୁନି, ନାତିର ଦୁଃଖ ବି ଦେଖିପାରୁନି। ସେଇଥି ପାଇଁ ନାତିକୁ ପରହାତରେ ଟେକି ଦେଇଛି ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅନ୍ତର୍ଗତ ବଳଦିଆ ଗ୍ରାମର ମନ୍ଦ ହେମ୍ବ୍ରମ (୬୫) l
‘ଭୋକ ସହିପାରୁନି, ନାତିର ଦୁଃଖ ବି ଦେଖିପାରୁନି’
ମନ୍ଦଙ୍କ ସ୍ବାମୀ କାହିଁ କେତେଦିନ ତଳୁ ମରିଯାଇଛନ୍ତି। ଶାଶୂଘରେ ଜାଗାବାଡ଼ି ନଥିବାରୁ ସେ ରାସଗୋବିନ୍ଦପୁର ବ୍ଲକ୍ ଛାତନା ପଞ୍ଚାୟତ ରାଇପାଳ ଗାଁରେ ୨୦୦୮ ମସିହାଠାରୁ ସାନ ଭଉଣୀ ଓ ଭଉଣୀ ଜ୍ୱାଇଁଙ୍କ ଘରେ ରହୁଥିଲେ। ନିଜର ପୁଅବୋହୂ ବି ଥିଲେ। କୋଭିଡ୍ରେ ବୋହୂ ମରିଯିବା ବେଳକୁ ତାଙ୍କର ପାଞ୍ଚମାସର ପୁଅଟିଏ ଥିଲା। ମନ୍ଦଙ୍କ ପୁଅ ଆଉ ଜଣଙ୍କୁ ବିବାହ କରି କେନ୍ଦ୍ରାପଡ଼ା ଚାଲିଗଲେ। ତେଣେ ସାନ ଭଉଣୀ ଓ ଜ୍ୱାଇଁଙ୍କୁ ବାର୍ଦ୍ଧକ୍ୟ ଗ୍ରାସ କରିସାରିଥିଲା। ତେଣୁ, ପାଞ୍ଚବର୍ଷର ନାତିଟିକୁ ଧରି ଏଣେତେଣେ ମୁଣ୍ଡ ଗୁଞ୍ଜୁଥିଲେ ମନ୍ଦ। ଭିକମାଗି ବସ୍ଷ୍ଟାଣ୍ଡରେ ରହୁଥିଲେ। କିଏ କେତେବେଳେ ଦୟା ଦେଖାଇ ମୁଠେ ଦେଇଦେଲେ ସେ ନିଜେ ଖାଉଥିଲେ ଆଉ ନାତି ତୁଣ୍ଡରେ ବି ଦେଉଥିଲେ। ମନ୍ଦଙ୍କ କହିବା କଥା ନାତିର କଷ୍ଟ ଦେଖି ସେ ଆଉ ସହିପାରିଲେନି। ଜଣେ ଲୋକ ନିଜର ପିଲା ନାହିଁ ବୋଲି କହି ଦୁଇଥର ଆସି ଦେଖା କରିଥିଲା। ମୋ ନାତିକୁ ନେଇ ଭଲରେ ରଖିବ ବୋଲି କହିଲା। କାଲି ରାତିରେ ସେ ନେଇଯାଇଛି। ଆଉ ମୋତେ ୨୦୦ ଟଙ୍କା ଦେଇଯାଇଛି। ଆଉ କାଗଜରେ ଫୋନ୍ ନମ୍ବର ଲେଖିଦେଇଛି ବୋଲି କାନ୍ଦିକାନ୍ଦି କହିଛନ୍ତି ମନ୍ଦ ହେମ୍ବ୍ରମ୍। ଏହି ଖବର ଶୁଣି ସମାଜସେବୀ ନିୟତି ରାଣୀ ବାରିକ ଶିଶୁଟିକୁ ଉଦ୍ଧାର କରି ଅନାଥ ଆଶ୍ରମରେ ରଖିବା ସହ ବୃଦ୍ଧାଙ୍କୁ ଥଇଥାନ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏହି ବୃଦ୍ଧା ଜଣଙ୍କୁ ସରକାରୀ ଭତ୍ତା ମିଳୁ ନଥିବା ଜଣାପଡ଼ିଛି।