ଭୁବନେଶ୍ୱର : ଯାଜପୁର ଜିଲ୍ଲାର ତିନିଟି ପ୍ରମୁଖ ପାହାଡ଼ ଏବେ ପଥର ମାଫିଆଙ୍କ କବ୍ଜାକୁ ଚାଲିଯାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ, ରାହାଡ଼ପୁର ଓ ବିଛାଖଣ୍ଡି ପାହାଡ଼ରୁ କୋଟି କୋଟି ଟଙ୍କାର ଗ୍ରାନାଇଟ୍ ପ୍ରତିଦିନ ଚୋରାଚାଲାଣ ଚାଲିଛି। କୋଟିପତି ପଥର ମାଫିଆମାନେ ଅପରାଧୀଙ୍କୁ ହାତ ବାରିସି କରି ତଥା ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦି’ପହରରେ ଲୁଟତରାଜ ଚଳାଇଛନ୍ତି। ଟିକେ ଟିକେ କଥାରେ ବୋମାମାଡ଼ ହେଉଛି ଓ ଗୁଳି ଫୁଟୁଛି। ସାଧାରଣ ଲୋକେ ଭୟଭୀତ ହୋଇ ପାଟି ଖୋଲୁ ନାହାନ୍ତି। ସ୍ଥାନୀୟ ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଅଧିକାରୀ ଓ ପୁଲିସ ଏହି ଇଲାକାରେ ପ୍ରବେଶ କରିବାକୁ ଭୟ କଲେଣି। ସ୍ଥିତି ଦିନକୁ ଦିନ ବିଗି଼ଡି ଚାଲିଥିଲେ ହେଁ, ଜିଲ୍ଲାପାଳ, ଏସ୍ପି ଚୁପ୍। ରାଜ୍ୟସ୍ତରରେ ଡିଜି, ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ରାଜସ୍ୱ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ତତ୍ପରତା ଦେଖାଉନାହାନ୍ତି।
ସବୁଠାରୁ ବଡ଼ କଥା ହେଉଛି, କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ମନ୍ତ୍ରାଳୟର ପ୍ରସ୍ତାବିତ ୫ ହଜାର କୋଟି ଟଙ୍କାର ତୈଳ ପ୍ରକଳ୍ପ ପ୍ରତିଷ୍ଠା ନେଇ ମଧ୍ୟ ଏବେ ଅନିଶ୍ଚିତତା ଦେଖାଦେଲାଣି। ମାଫିଆମାନେ ପରୋକ୍ଷରେ ଏହି ଅଶୋଧିତ ତୈଳ ଭଣ୍ଡାରକୁ କରାଇ ନ ଦେବାକୁ ଚକ୍ରାନ୍ତ ଆରମ୍ଭ କରାଇ ଦେଇଛନ୍ତି।
ମିଳିଥିବା ତଥ୍ୟ ଅନୁସାରେ, ଡଙ୍କାରୀ ପାହାଡ଼ରେ ମୋଟ୍ ୧୬ଟି ସୈରାତ ରହିଛି। ଏ ମଧ୍ୟରୁ ତିନିଟିକୁ ଖନନ ପାଇଁ ଅନୁମତି ମିଳିଛି। ହେଲେ ବ୍ୟବସ୍ଥାକୁ ଫୁ କରି ମାଫିଆମାନେ ସମସ୍ତ ସୈରାତରୁ ଦିନରାତି ବେଆଇନ ଭାବେ ପଥର ବେଆଇନ୍ ଖୋଳି ଚାଲିଛନ୍ତି। ପାଖାପାଖି ଏକ ବର୍ଷ ହେବ ଏକାଧିକ ଆନ୍ଧ୍ର କମ୍ପାନି ଏହି ପାହା଼଼ଡ଼ରୁ ଚୋରା ଚାଲାଣ ଜାରି ରଖିଛନ୍ତି।
ବିନା ଅନୁମତିରେ କେମିତି ଡଙ୍କାରୀ ପାହାଡର ୧୨ଟି କଳାପଥର ଖାଦାନରୁ ବ୍ୟବସାୟୀମାନେ ହିଟାଚି ଓ ବ୍ରେକର ମାଧ୍ୟମରେ ଦୈନିକ ୪ ହଜାରରୁ ଊର୍ଧ୍ୱ ଟ୍ରିପ୍ ଚୋରା ଚାଲଣ କରୁଛନ୍ତି, ତାହା ସବୁ ମହଲକୁ ଆନ୍ଦୋଳିତ କରୁଛି। ଏକ ତଥ୍ୟ ଅନୁସାରେ, କେବଳ ଏହି କାରଣରୁ ରାଜ୍ୟ ସରକାର ଦୈନିକ ୨୫ ଲକ୍ଷରୁ ଊର୍ଧ୍ୱ ଟଙ୍କାର ରାଜସ୍ୱ ହରାଉଛନ୍ତି ଓ ସମାନ୍ତରାଳ ଭାବେ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ଅନିୟନ୍ତ୍ରିତ ଖଣି ଖନନ ଫଳରେ ସଂରକ୍ଷିତ ଜଙ୍ଗଲର ବନ୍ୟପ୍ରାଣୀଙ୍କ ଜୀବନ ଏବେ ସଙ୍କଟ ଭିତରକୁ ଚାଲିଗଲାଣି। ଏଥି ସହିତ ଡଙ୍କାରୀର ଦକ୍ଷିଣ ପାର୍ଶ୍ୱରେ ଥିବା ରାଣୀବନ୍ଧ ଓ ପାଇକରାପୁର ଡ୍ୟାମ୍ ମଧ୍ୟ ପୋତି ହେଉଛି।
ସରକାରୀ ହିସାବ ଅନୁଯାୟୀ , ବିଛାଖଣ୍ଡି ପାହାଡ଼ରେ ୧୬ଟି ଖାଦାନ ରହିଛି। ଏଠାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ପାହାଡ଼କୁ କୋରି ଖାଇଗଲେଣି ମାଫିଆ। ଏହି ପାହାଡ଼ର ୩ଟି ଖାଦାନକୁ ବିନା ଅନୁମତିରେ ବେଧଡକ ଲୁଟୁଛନ୍ତି। ଅଞ୍ଜିରା ପାହାଡ଼ରେ ମଧ୍ୟ ୧୪ଟି ଖାଦାନ ସରକାରୀ ଖାତାରେ ଥିବା ବେଳେ ୮ଟି ପରିବେଶ ଅନୁମତି ଓ ମାଇନିଂ ପ୍ଲାନ ନଥାଇ ଖନନ କାର୍ଯ୍ୟ ଜାରି ରହିଛି। ରାହାଡ଼ପୁର ପାହାଡ଼ ସ୍ଥିତି ତା ଚାହିଁ ସାଂଘାତିକ। ଏଠାରେ ୧୨ ଟି ଖାଦାନ ରହିଥିବା ବେଳେ ଏଥିରୁ ୪ଟି ବେଆଇନ ଭାବେ ଚାଲିଛି ଓ ଦୈନିକ ଶହ ଶହ ଟ୍ରିପ୍ ପଥର ଚୋରା ଚାଲାଣ ହେଉଛି। କେବଳ ସେତିକି ନୁହେଁ, ପରିବେଶ ମଞ୍ଜୁରି ଓ ମାଇନିଂ ପ୍ଲାନ୍ ଅନୁମୋଦନ ନ ଥାଇ ଶହ ଶହ ଏକର ଅ଼ଞ୍ଚଳରେ ଖନନ ଓ ଚାଲାଣ କରାଯାଉଛି। ଏହାର ପ୍ରଭାବ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କଲାଣି।
ଏହାକୁ ନେଇ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି ହେଲାଣି। ହେଲେ ଯାଜପୁର ଜିଲ୍ଲାର ଲୋକ ପ୍ରତିନିଧିମାନେ ଏ ପ୍ରସଙ୍ଗରେ କିନ୍ତୁ ନିରବ ରହିଛନ୍ତି। କାହିଁକି ଓ କାହାର ସ୍ୱାର୍ଥ ସୁରକ୍ଷା ପାଇଁ ସମସ୍ତେ ମୁକ ପାଲଟି ଯାଇଛନ୍ତି, ତାହା ମଧ୍ୟ ବୁଝାପଡୁନାହିଁ। ସେହିପରି ସର୍ବସମ୍ମୁଖରେ ହେଉଥିବା ଏହି ବେଆଇନ କାରବାର ନେଇ ଜିଲ୍ଲାପାଳ କିମ୍ବା ଏସ୍ପି କେବେ ଏମିତି ତନାଘନା କରିନାହାନ୍ତି, ଯାହା ଫଳରେ ମାଫିଆମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବ। ରାଜ୍ୟ ସରକାରଙ୍କ ମୌନତା ପ୍ରଶାସନିକ ଉଦାସୀନତାକୁ ବହୁଗୁଣିତ କରିଦେଲାଣି। ଗତ ମାର୍ଚ୍ଚ ୨୦ ତାରିଖରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବେଆଇନ ଖନନ ରୋକିବା ପାଇଁ ଏକ ଚିଠି ଲେଖିଥିଲେ ହେଁ, ଏହାର ସାମାନ୍ୟତମ ପ୍ରଭାବ କାହା ଉପରେ ପଡିନାହିଁ।
ସ୍ମରଣଯୋଗ୍ୟ, କେନ୍ଦ୍ର ସରକାରଙ୍କର ପେଟ୍ରୋଲିୟମ ମନ୍ତ୍ରଣାଳୟ ଦୁଇ ବର୍ଷ ତଳେ ୫ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଅଞ୍ଚଳରେ ଅଶୋଧିତ ତୈଳ ଭଣ୍ଡାର କରିବା ପାଇଁ ଯୋଜନା କରିଥିଲେ। ପରେ ପରେ ପେଟ୍ରୋଲିୟମ୍ ସଚିବ କେ ଡ଼ି ତ୍ରିପାଠୀ ଡଙ୍କାରୀ ପାହାଡ ବୁଲି ସ୍ଥିତି ଅନୁଧ୍ୟାନ କରି ଫେରିଯାଇଥିଲେ। ଏହା ସହ ପ୍ରସ୍ତାବିତ ଅଶୋଧିତ ତୈଳ ବିଶୋଧନାଗାର ପାଇଁ ଡଙ୍କାରୀ ପାହାଡ଼ ନିକଟରେ ୬ ଶହ ଏକର ସ୍ଥାନ ନିରୂପଣ ଓ ଏହାର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇବା ପାଇଁ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ଲିମିଟେଡ୍ ପକ୍ଷରୁ ୨୦୧୭ ଅକ୍ଟୋବର ୧୨ ତାରିଖରେ ଚିଠି ନଂ ୫୨୯୭ରେ ଯାଜପୁର ଜିଲ୍ଲା ରଂଜନ କୁମାର ଦାସଙ୍କୁ ଲିଖିତ ଭାବେ କୁହାଯାଇଥିଲା।
୪ ହଜାର ୯୮୭ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ୪୦୦ଏକର ଜମିର ଆବଶ୍ୟକତା ରହିଛି। ଡଙ୍କାରୀ ପାଦଦେଶରେ ଥିବା ଖାତା ନଂ ୨୨୧ ପ୍ଲଟ୍ ନଂ ୬୦୦ ରେ ୭୭୩.୬୦ ଏକର ପର୍ବତ କିସମ ଜମି ରହିଛି। ଏହି ପ୍ରକଳ୍ପଟି ୪ ନିୟୁତ ଟନ କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ଏଠାରେ ଯେତିକି ତେଲ ଗଚ୍ଛିତ ରହିବ ତାହା ଦେଶର ୮ ଦିନର ତୈଳ ଆବଶ୍ୟକତାକୁ ପୂରଣ କରିପାରିବ। ନିକଟରେ କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ପ୍ରକଳ୍ପ ଯୋଗୁ ୧୨ଟି ପଥର ଖାଦାନ ସହିତ ୨୨ଟି କ୍ରସର ପ୍ରାଥମିକ ପର୍ଯ୍ୟାୟରେ ବନ୍ଦ ହେବା ସ୍ପଷ୍ଟ ହୋଇଛି। ଏକଥା ଜଣାପଡିବା ପରେ ମାଫିଆମାନେ ଆହୁରି ସକ୍ରିୟ ହୋଇପଡିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/mine.jpg)