ଦଶପଲ୍ଲା: ଦଶପଲ୍ଲା ତହସିଲ ଅଧୀନସ୍ଥ ଚଡ଼େୟାପଲ୍ଲୀ ସର୍କଲର ଭାତଗଦାଠାରେ ଥିବା ଗ୍ରାନାଇଟ୍‌ ଖଣି ଠାବ ହେବା ପରେ ସେଠାରୁ ଆଖିବୁଜା ପଥର କଟାଯାଇ ଚାଲାଣ ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଖଣି ସମ୍ପର୍କରେ ଖଣିବିଭାଗ ନିକଟରେ କୌଣସି ସୂଚନା ନାହିଁ ବା ବିଭାଗୀୟ ଅଧିକାରୀମାନେ ଚେଇଁ ଶୋଇଛନ୍ତି ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି। ସୂଚନାଯୋଗ୍ୟ, ସମସ୍ତ ପଥରଖଣିକୁ ରାଜସ୍ବ ବିଭାଗ ଅଧୀନରୁ ଖଣି ବିଭାଗକୁ ହସ୍ତାନ୍ତର କରାଯିବା ପରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଖଣି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼। ଯାହାକି ବିଭିନ୍ନ ବ୍ଲକ୍‌ରେ ଚାଲି ଆସିଥିବା ଖଣି ଉତ୍ତୋଳନର କେଳେଙ୍କାରୀ ସାମ୍ନାକୁ ଆସିଛି। କେଉଁଠି ବେଆଇନ ଭାବେ ଖଣି ଉତ୍ତୋଳନ କରାଯାଇଛି ତ ପୁଣି କେଉଁଠି ଧାର୍ଯ୍ୟ ପରିମାଣଠାରୁ ମାତ୍ରାଧିକ ପରିମାଣର ଖଣି ଉତ୍ତୋଳନ କରାଯାଇଛି। ଖାଲି ସେତିକି ନୁହେଁ, ଜଙ୍ଗଲ କିସମ ଜାଗାରେ ଥିବା ଖଣିକୁ ଲିଜ୍ ଦିଆଯାଇଥିବା ନେଇ ସନ୍ଦେହ କରିଛନ୍ତି ଖଣି ଅଧିକାରୀ ଈଶ୍ବର ପ୍ରଧାନ। ଏହାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ଏବଂ ଏହି ଖଣି ସମ୍ପର୍କରେ ଖଣି ଅଧିକାରୀ ଶ୍ରୀ ପ୍ରଧାନଙ୍କ ନିକଟରେ କୌଣସି ସୂଚନା ନଥିବା କହିଛନ୍ତି।

Advertisment

ବଡ଼କଥା ହେଉଛି, ଏହି ଖଣିଟି ଦୀର୍ଘବର୍ଷ ଧରି ଚାଲିଆସୁଛି। ପାହାଡ଼ କାଟି ଗ୍ରାନାଇଟ୍ ପ୍ରସ୍ତୁତ ପାଇଁ ବଡ଼ବଡ଼ ପଥର ଖଣ୍ତ ବାହାରକୁ ଚାଲାଣ ହେଉଛି। କୋଟିକୋଟି ଟଙ୍କାର ପଥର ଚାଲାଣ ହେଉଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରି ଆସୁଛନ୍ତି। ପୂର୍ବରୁ ଏହାକୁ କୁଇ ସମାଜ ସମେତ ଡିୱାଇଏଫ୍‌ଆଇ ସଂସ୍ଥା ପକ୍ଷରୁ ପ୍ରଚଣ୍ଡ ବିରୋଧ କରି ପ୍ରଶାସନିକ ଅଧିକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପାହାଡ଼ ଚାରିପାଖରେ ଜନବସତି ସମେତ ବିଦ୍ୟାଳୟ ଗଢ଼ି ଉଠିଥିବା ବେଳେ ପରିବେଶ ମଞ୍ଜୁରି କିଭଳି ପ୍ରଦାନ କରାଯାଇଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ହେଲେ ପ୍ରଶାସନ ସମସ୍ତ ନୀତିନିୟମ ଉଲ୍ଲଂଘନ କରି ଏହାକୁ ମା’ ଚଣ୍ଡେଶ୍ବରୀ ଗ୍ରାନାଇଟ୍ସ ନାମକ ସଂସ୍ଥାକୁ ଲିଜ୍ ଦେଇଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି।

ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ ଚଡ଼େୟାପଲ୍ଲୀ, ପୋଖରୀଗୋଛା, ଦୁଡ଼ା, କଳସାଖମଣ, ନୂଆଗାଁ ଏବଂ କୁଜାମେଣ୍ଢି ଭଳି ପଞ୍ଚାୟତର ବହୁ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ସଡ଼କଟିଏ ନିର୍ମାଣ ହୋଇନି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ପାନୀୟଜଳ ଭଳି ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇରହିଛି। ପଞ୍ଚାୟତବାସୀଙ୍କୁ ଦୁର୍ଦ୍ଦିନକୁ ଠେଲିଦେଇ ଉକ୍ତ ଅଞ୍ଚଳରୁ କୋଟିକୋଟି ଟଙ୍କା ମୂଲ୍ୟର ଖଣି ଉତ୍ତୋଳନକୁ ଅଞ୍ଚଳବାସୀ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ଉକ୍ତ ଖଣିରେ ମାତ୍ରାଧିକ ପରିମାଣର ପଥର ମହଜୁଦ୍‌ ଥିବା ହେତୁ କିଛିମାସ ହେଲା ପ୍ରଚୁର ପଥର ବାହାର କରିବା ପରେ ଚାଲାଣ ପାଇଁ ଯୋଜନା ଚାଲିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। କେବେ ଓ କେତେବର୍ଷ ପାଇଁ ଏହି ଖଣିକୁ ଲିଜ୍ ଦିଆଯାଇଛି? କେତେ ପରିମାଣର ଖଣି ଉତ୍ତୋଳନ କରାଯିବାର ନିୟମ ରହିଛି ଓ କେତେ ଖଣି ଉତ୍ତୋଳନ କରାଯାଇଛି ଏହାର ତଦନ୍ତ ପାଇଁ ଡିୱାଇଏଫ୍‌ଆଇର ପଞ୍ଚାୟତ ସମ୍ପାଦକ ଶ୍ରୀନିବାସ ନାୟକଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି। ଏସମ୍ପର୍କରେ ଖଣି ଅଧିକାରୀ ଶ୍ରୀ ପ୍ରଧାନଙ୍କ ନିକଟରେ କୌଣସି ସୂଚନା ନଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।