ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ବିନିଯୋଗ ବିଭାଗ ପକ୍ଷରୁ ୧୧ଟି ରାଜ୍ୟର ପୌରସଂସ୍ଥାମାନଙ୍କ ପାଇଁ ୨୪୨୭ କୋଟି ଟଙ୍କାର ଅନୁଦାନ ମଂଜୁର କରିଛନ୍ତି । ୨୦୨୧-୨୨ ବର୍ଷ ପାଇଁ ଦିଆଯିବାକୁ ଥିବା ଟାଏଡ୍ ଗ୍ରାଣ୍ଟର ଏହା ହେଉଛି ପ୍ରଥମ କିସ୍ତି । ଏହା ମଧ୍ୟରୁ ଓଡ଼ିଶାକୁ ୨୪୬.୬୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି ।
ଉତ୍ତରପ୍ରଦେଶକୁ ସର୍ବାଧିକ ୭୪୧ କୋଟି ଟଙ୍କାର ଅନୁଦାନ ଦିଆଯାଇଥିବାବେଳେ ମଧ୍ୟପ୍ରଦେଶକୁ ୨୯୯ କୋଟି ଓ ମହାରାଷ୍ଟ୍ରକୁ ୨୭୬ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ୧୦ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହରରେ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଏହି ଅନୁଦାନ ଦିଆଯାଇଛି । ଏହି ଅନୁଦାନର ୫୦ ପ୍ରତିଶତ ଅନୁଦାନ ରାଶି ପରିମଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବିନିଯୋଗ ହେବ । ଅବଶିଷ୍ଟ ୫୦ ପ୍ରତିଶତ ଅନୁଦାନ ରାଶି ପାନୀୟ ଜଳ ଓ ବୃଷ୍ଟି ଜଳ ସଂରକ୍ଷଣ କ୍ଷେତ୍ରରେ ବିନିଯୋଗ ହେବ । ରାଜ୍ୟ ସରକାର ଏହି ଅନୁଦାନ ରାଶି ପାଇବାର ୧୦ ଦିନ ମଧ୍ୟରେ ସଂପୃକ୍ତ ପୌରସଂସ୍ଥାମାନଙ୍କୁ ଆବଣ୍ଟିତ କରିବେ । ଯଦି ଅନୁଦାନ ପ୍ରଦାନ କରିବାରେ ୧୦ ଦିନରୁ ଅଧିକ ସମୟ ଲାଗେ ତେବେ ରାଜ୍ୟ ସରକାରମାନେ ସୁଧ ସହ ଅନୁଦାନ ରାଶି ପ୍ରଦାନ କରିବେ ।