ବୌଦ୍ଧ : ବୌଦ୍ଧ ସଂଗ୍ରହାଳୟକୁ ରାଜ୍ୟ ସଂଗ୍ରହାଳୟର ଅଧୀନକୁ ଅଣାଯିବାର ଯୋଜନା କରାଯାଇଛି। ଏହା ହେଲେ ସଂଗ୍ରହାଳାୟର ପରିଚାଳନା ଦାୟିତ୍ବ ରାଜ୍ୟ ସରକାରଙ୍କ ହାତକୁ ଯିବ। ରାଜ୍ୟ ସରକାର ଏହି ସଂଗ୍ରହାଳୟ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ବୌଦ୍ଧ ବିଧାୟକ ବୌଦ୍ଧକୁ ଅକ୍ସି-ଟୁରିଜମ୍‌ରେ ସାମିଲ କରିବା ପ୍ରସ୍ତାବ ଦେଇଛନ୍ତି। ଅକ୍ସି-ଟୁରିଜମରେ ସାମିଲ ହେଲେ ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ର ବଦଳିଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଅନୁଷ୍ଠିତ ଜାତୀୟ ଆଦିବାସୀ ଲୋକନୃତ୍ୟ ଉତ୍ସବକୁ ଯିବା ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବୌଦ୍ଧ ସର୍କିଟ୍‌ ହାଉସ୍‌ରେ ରହିଥିଲେ। ସାମ୍ବାଦିକ ସମ୍ମିଳନୀ ପରେ ମହାନଦୀର ଦ୍ବୀପ ମର୍ଜାକୁଦ ଯାଇ ପର୍ଯ୍ୟଟନ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଶନିବାର କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ଉପଜିଲ୍ଲାପାଳ ଅଶ୍ବିନୀ ମେହେର, ଡିସିଓ ଶିଶିର ସାହୁ, ଡିଆଇପିଆରଓ ବିରଞ୍ଚି ଧରୁଆ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲାର ରାଜାରାଜୁଡ଼ା ସମୟର ଅନେକ କୀର୍ତ୍ତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକ୍ଷୟ ଅବସ୍ଥାରେ ରହିଥିଲା। ଜିଲ୍ଲାର ଗୌରବମୟ ଐତିହ୍ୟ, ସାହିତ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିକୁ ସାଇତି ରଖିବା ପାଇଁ ସେଗୁଡ଼ିକୁ ସଂଗ୍ରହ କରି ସଂଗ୍ରହାଳୟରେ ସ୍ଥାନୀତ କରାଯାଇଛି। ସଂଗ୍ରହାଳୟ ପାଇଁ ରାଜାରାଜୁଡ଼ା ସମୟରେ ବ୍ୟବହୃତ ବିଭିନ୍ନ ଉପକରଣ ସହ ଜିଲ୍ଲାର କଳା, ସଂସ୍କୃତି, ପ୍ରାଚୀନ କୀର୍ତ୍ତିରାଜି, ହସ୍ତକଳା, ପୁରାତନ ପୋଥି, ଫଟୋଚିତ୍ର ଆଦି ସଂଗୃହୀତ ହୋଇଛି। ଜିଲ୍ଲାର ଲୋକେ ନିଜ ପାଖରେ ସାଇତି ରଖିଥିବା ପୁରାତନ ସାମଗ୍ରୀ ମଧ୍ୟ ସ୍ବତଃସ୍ଫୂର୍ତ୍ତ ଭାବରେ ସଂଗ୍ରହାଳୟ ପାଇଁ ହସ୍ତାନ୍ତର କରିଛନ୍ତି। ରାଜକୀୟ କକ୍ଷ, ଟେରାକୋଟା, ମୁଦ୍ରା ଓ ପୋଥି, ଚାରୁକଳା, ଜନଜାତି, ହସ୍ତଶିଳ୍ପ, ଶସ୍ତ୍ରଶାଳା ଆଦିକୁ ସ୍ବତନ୍ତ୍ର ଭାବରେ ୧୬ କୋଠରିରେ ସୁସଜ୍ଜିତ କରାଯାଇଛି। ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୨ ତାରିଖରେ ଭିଡିଓ କନଫରେନ୍ସ ମାଧ୍ୟମରେ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ।